Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରବାଟୀ’ଟି-୨୦’ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍; ୮ ଏବଂ ୯ରେ ଯାନବାହାନ ଉପରେ କଟକଣା

କଟକ,୮|୧୨: ବାରବାଟୀ ମ୍ୟାଚ ପାଇଁ ଯାନବାହାନ ଯିବା ଆସିବା ଉପରେ କଟକଣା ଲାଗିଛି | ଆସନ୍ତା ୯ରେ ଖେଳାଯିବାକୁ ଥିବା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପାଇଁ କଟକ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲଗାଇଛି। ୮ ତାରିଖରେ ଅଭ୍ୟାସ ମ୍ୟାଚ୍ ହେବାକୁ ଯାଉଛି। ଏହି ଦିନ ଖେଳ ଓ ଖେଳାଳିମାନଙ୍କୁ ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମ୍ ଓ ଆଖପାଖରେ ପ୍ରବଳ ଭିଡ ଜମିବ। ସେଥିପାଇଁ କମିସନରେଟ୍ ପୁଲିସ ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛି। କଟକଣାଗୁଡ଼ିକ ଆଜି ଠାରୁ ଦିନ ୧୨ଟାରୁ ରାତି ୯ଟା ଏବଂ ଆସନ୍ତା କାଲି ମ୍ୟାଚ ଅବସରରେ ୯ ତାରିଖରେ ସକାଳ ୮ଟାରୁ ଆରମ୍ଭ ହେବ | ଭିଡ଼ କମାଇବା ପାଇଁ ଏହି କଟକଣା ଲାଗୁ କରାଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ମାତାମଠ ପଟୁ ମହାନଦୀ ରିଂରୋଡ୍‌ରେ ଆସୁଥିବା ସମସ୍ତ ଯାନବାହନ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।

କେବଳ ପାସ୍‌ ଥିବା ଯାନବାହନ ବାମ୍ବୋ ଡିପୋ ଗଡ଼ାର ବାମକୁ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାୱଡ଼ା ମୋଟର୍‌ ଛକ ଏବଂ ମଣିସାହୁ ଛକ ଆଡ଼ୁ ଆସୁଥିବା ଯାନବାହନଗୁଡ଼ିକ ଗିର୍‌ନାର୍‌ ହୋଟେଲ୍‌ ଛକରୁ ପୁରୁଣା ଲ’ ହଷ୍ଟେଲ୍‌ ଛକ ଦେଇ ମହାନଦୀ ରିଂରୋଡ୍‌ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ପାସ୍‌ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡୀଛକ ଆଡ଼ୁ ବାରବାଟୀ ଷ୍ଟାଡ଼ିୟମ୍ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। କୌଣସି ଯାନବାହନ ଆନନ୍ଦଭବନ ଛକରୁ ଭାୟା କିଲ୍ଲାଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବେ ନାହିଁ। କ୍ୟାଣ୍ଟନମେଣ୍ଟ୍ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ। ସମାଜ ଅଫିସ ଛକ ପଟୁ ପାସ୍‌ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଯାନବାହନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ପ୍ରତିମୂର୍ତ୍ତି ଆଡ଼କୁ ଯାଇପାରିବେ ନାହିଁ। ପାସ୍‌ ଥିଲେ ୱାଇଏମ୍‌ସିଏ ରାସ୍ତା ଓ ଲାୟନ୍ସ ଆଇ ହସ୍ପିଟାଲ୍‌ ଦେଇ ନିଜ ଗାଡ଼ି ଓଡ଼ିଶା କ୍ରିକେଟ୍ ଏକାଡେମି ପଡ଼ିଆରେ ପାର୍କିଂ କରିପାରିବେ। ରିଜର୍ଭ ପୁଲିସ୍ ଲାଇନ୍ ଆଡ଼ୁ ଆସୁଥିବା ଯାନବାହନ ଗୁଡ଼ିକ ଓଡ଼ିଶା ପୁଲିସ ସଂଘ (ଓପା)ଠାରୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ।

କୌଣସି ଭାରୀଯାନ ମହାନଦୀ ଓ କାଠଯୋଡ଼ି ରିଂରୋଡ୍‌ ଏବଂ ସହର ମଧ୍ୟରେ ଚଳପ୍ରଚଳ କରିବାକୁ ନିଷେଧ କରାଯାଇଛି। ସକାଳ ୮ରୁ ରାତି ୨ଟା ପର୍ଯ୍ୟନ୍ତ ଭାରୀଯାନ ଗୁଡିକ ଉପରେ ଉପରେ କଟକଣା ଲାଗୁ ହେବ। ୮ ତାରିଖ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ୍ ପାଇଁ ଚହଟା ଛକ ଓ ଶିଖରପୁର ଛକରୁ ବାମ୍ବୋ ଡିପୋ ପର୍ଯ୍ୟନ୍ତ ଦିନ ୧୨ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତେବେ ଉପରୋକ୍ତ କଟକଣାଗୁଡ଼ିକ ଅଗ୍ନିଶମ, ଆମ୍ବୁଲାନ୍ସ, ପୁଲିସ ଆଦି ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ ଲାଗୁ ହେବନାହିଁ। ସାଧାରଣ ଜନତା କଟକଣା ଲାଗୁ ହୋଇଥିବା ରାସ୍ତାରେ ନ ଯାଇ ଅନ୍ୟ ରାସ୍ତାରେ ଯିବାକୁ ପୁଲିସ କମିସନର୍ ଏସ୍‌. ଦେବଦତ୍ତ ସିଂହ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories