ଆଜି ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ; ଭାବବିହ୍ୱଳ ହୋଇ ପୋଷ୍ଟ କଲେ ଈଷା ଦେଓଲ
ମୁମ୍ବାଇ;୮|୧୨: ଆଜି ବଲିଉଡର କିମ୍ବଦନ୍ତୀ ଅଭିନେତା ତଥା ‘ହି-ମ୍ୟାନ୍’ ଭାବରେ ପରିଚିତ ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ । କିନ୍ତୁ ଦୁଃଖର ବିଷୟ ଏହିକି ଯେ, ନିଜର ୯୦ତମ ଜନ୍ମଦିନ ପାଳନ କରିବା ପାଇଁ ସେ ଆଉ ନାହାନ୍ତି | କିଛିଦିନ ପୂର୍ବେ ଅର୍ଥାତ୍ ଗତ ନଭେମ୍ବର ୨୪ ତାରିଖରେ ସେ ମୃତ୍ୟୁବରଣ କରିଥିଲେ। ଯାହାକି ପୁରା ବଲିଉଡ ଜଗତରେ ଶୋକର ଛାୟା ଖେଳେଇଦେଇଥିଲା| ତାଙ୍କ ଜନ୍ମଦିନ ଅବସରରେ ପୁରା ବଲିଉଡ୍ ଏବଂ ତାଙ୍କ ପରିବାର ତାଙ୍କୁ ଝୁରୁଛନ୍ତି । ବିଶେଷକରି ତାଙ୍କ ଝିଅ ଈଷା ଦେଓଲ ବାପାଙ୍କୁ ମନେ ପକାଇ ଖୁବ୍ ଭାବବିହ୍ୱଳ ହୋଇପଡିଛନ୍ତି । ବାପାଙ୍କ ଦେହାନ୍ତ ପରେ ପ୍ରଥମ ଥର ପାଇଁ ଈଷା ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରିଛନ୍ତି | ସେ ସେହି ଲେଖାରେ ନିଜର ମନର କୋହକୁ ବ୍ୟକ୍ତ କରିଛନ୍ତି ।
ଈଷା ଦେଓଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାପା ଧର୍ମେନ୍ଦ୍ରଙ୍କ ସହ କିଛି ପୁରୁଣା ଏବଂ ସ୍ମରଣୀୟ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସହିତ ସେ ଯେଉଁ କ୍ୟାପସନ୍ ଲେଖିଛନ୍ତି, ତାହା ପଢିଲେ ଯେକେହି ବି ଭାବପ୍ରବଣ ହୋଇଯିବେ। ଈଷା ଲେଖିଛନ୍ତି, “ମୋର ପ୍ରିୟ ପାପା, ଆମର ସମ୍ପର୍କ ସବୁଠାରୁ ମଜବୁତ । ସ୍ୱର୍ଗ ହେଉ କିମ୍ବା ପୃଥିବୀ, ଆମେ ସର୍ବଦା ଏକାଠି ଅଛୁ। ବର୍ତ୍ତମାନ ପାଇଁ, ମୁଁ ତୁମକୁ ମୋ ହୃଦୟର ଅତି ଗଭୀରରେ ଯତ୍ନର ସହ ସାଇତି ରଖିଛି, ଯାହା ସାରା ଜୀବନ ମୋ ସାଥୀରେ ରହିବ।” ସେ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ ତୁମକୁ ବହୁତ କଷ୍ଟର ସହ ମନେ ପକାଉଛି ପାପା… ତୁମର ସେହି ସ୍ନେହଭରା ଆଲିଙ୍ଗନ, ଯାହା ମୋ ପାଇଁ ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ଥିଲା। ତୁମର ସେହି ନରମ ଅଥଚ ଶକ୍ତ ହାତ, ଯାହା ଅନେକ ଅକୁହା କଥା କହିଦେଉଥିଲା ଏବଂ ମୋ ନାମ ଧରି ଡାକୁଥିବା ତୁମର ସେହି ସ୍ୱର, ମୁଁ ସବୁ କିଛିକୁ ଖୁବ୍ ମିସ୍ କରୁଛି।”
ସୂଚନା ଅନୁଯାଇ, ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ଦେଓଲ ପରିବାର ଗଭୀର ଶୋକରେ ଅଛନ୍ତି। ପତ୍ନୀ ହେମା ମାଳିନୀ, ପୁଅ ସନ୍ନି ଏବଂ ବବି ଦେଓଲ ମଧ୍ୟ ବାପାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି। କିନ୍ତୁ ତାଙ୍କର ୯୦ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପରିବାର ବର୍ଗ ଏକାଠି ହୋଇ ତାଙ୍କ ସ୍ମୃତିଚାରଣ କରୁଛନ୍ତି। ଈଷାଙ୍କ ଏହି ପୋଷ୍ଟରେ ବଲିଉଡର ଅନେକ କଳାକାର ଏବଂ ପ୍ରଶଂସକମାନେ କମେଣ୍ଟ କରି ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଧର୍ମେନ୍ଦ୍ର କେବଳ ଜଣେ ଅଭିନେତା ନଥିଲେ, ସେ ଥିଲେ କୋଟି କୋଟି ଦର୍ଶକଙ୍କ ହୃଦୟର ରାଜା । ଈଷାଙ୍କ ଏହି ଭାବବିହ୍ୱଳ ପୋଷ୍ଟ ପ୍ରମାଣ କରୁଛି ଯେ ଜଣେ ଝିଅ ପାଇଁ ବାପା କେବେବି ଅତୀତ ହୁଅନ୍ତି ନାହିଁ, ସେ ସର୍ବଦା ଏକ ଅନୁଭବ ହୋଇ ରହିଥାନ୍ତି ।

