Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରି ରାଖାଲଗୁଡ଼ାରେ ପହଞ୍ଚିଲା ମହିଳାଙ୍କ ମୃତଦେହ, ପୋଲିସର କଡା ସୁରକ୍ଷା ବଳୟରେ ହେଲା ଅନ୍ତିମ ସଂସ୍କାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ରାଖାଲଗୁଡାର ମହିଳାଙ୍କୁ ନିର୍ମମ ହତ୍ୟା ଘଟଣା । ଗାଁରେ ପହଞ୍ଚିଲା ମୃତଦେହ । ଗତକାଲି ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଗାଁରେ ମୃତଦେହ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ମୃତ ମହିଳାଙ୍କ ପରିବାରକୁ ୩୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ମହିଳାଙ୍କୁ ନିର୍ମମ ହତ୍ୟା ପରେ ଏମଭି-୨୬ ଗାଁରେ ପୋଡ଼ାଜଳା, ଭଙ୍ଗାରୁଜା ହିଂସାକାଣ୍ଡ ପରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି। ରାଖାଲଗୁଡ଼ା ଗାଁରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି, ଜିଲ୍ଲାପାଳ, ଏସପି ଉପସ୍ଥିତ ଅଛନ୍ତି। ସେପଟେ ହିଂସାକାଣ୍ଡକୁ ନେଇ ଆଜି ଶାନ୍ତି କମିଟି ବୈଠକ ବସିବ ବୋଲି ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ହିଂସାକାଣ୍ଡରେ କ୍ଷୟକ୍ଷତିର ପରିମାଣ ଆକଳନ ଚାଲିଛି। ଉପଦ୍ରବୀଙ୍କୁ ରୋକିବାକୁ ସିସିଟିଭି ଲଗାଇଛି ପ୍ରଶାସନ।

ସୂଚନା ଅନୁସାରେ ମାଲକାନଗିରିର ରାଖାଲଗୁଡାର ଅଞ୍ଚଳରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା | ତେବେ ଉଦ୍ଧାର ପରଠୁ ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା । MV-26 ଗାଁରେ ଗୋଟିଏ ଗୋଷ୍ଠୀ ଲୋକଙ୍କ ଘରଦ୍ବାର ଜାଳି ଦେଇଥିବାବେଳେ MV-3ରେ ବଙ୍ଗୀୟ ସମାଜ ମେଳି କରି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଥିଲେ | ଉତ୍ତେଜନାକୁ ନଜରରେ ରଖି ଗତକାଲି ସଂଧ୍ୟା ୬ରୁ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା | ଗତ ୩ ତାରିଖରେ ରାଖାଲଗୁଡା ଗାଁର ଲାକେ ପଡିଆମି ନିଖୋଜ ହୋଇଥିଲେ । ୪ ତାରିଖରେ ଡୁଡାମେଟଲା ନଦୀ କୂଳରେ ମିଳିଥିଲା ତାଙ୍କ ମୁଣ୍ଡ ବିହୀନ ମୃତଦେହ। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି |

ଏହା ମଧ୍ୟରେ ବିଧାନସଭାରେ ଅଧିବେଶନ ସମୟରେ ଶୂନ୍ୟକାଳରେ ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ । ଗୃହରେ ମାଲକାନଗିରି ହିଂସା ପ୍ରସଙ୍ଗ ଉଠାଇ ସରକାର ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଛନ୍ତି ଏବେ ମାଲକାନଗିରି ଜଳୁଛି, ଆଗକୁ ଆଉ ଏକ କନ୍ଧମାଳ ହେବାକୁ ଯାଉଛି । ଅନେକ ଘର ପୋଡ଼ି ଦିଆଗଲାଣି, ଜୀବନ ଗଲାଣି । ହେଲେ ଆମେ ଏଠି ବସି କାର୍ଯ୍ୟକ୍ରମ କରୁଛେ । ଲୋକ କଣ କହିବେ ବୋଲି ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ରାଜା ସ୍ୱାଇଁ । ରାଜ୍ୟର ଗୋଟିଏ ଅଂଶ ଜଳୁଥିବା ବେଳେ ଆମେ ଏଠି ନିୟମ ତିଆରି କରୁଛେ ଏହା କେତେ ଦୂର ଠିକ୍ ବୋଲି କହିଛନ୍ତି |

ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ଏହି ବିଷୟରେ କିଛି କହୁ ନାହାନ୍ତି | ମଣିପୁର ଭଳି ମାଲକାନଗିରି ଏକ ଉଦାହରଣ ହେବାକୁ ଯାଉଛି | ବେଙ୍ଗଲି କହୁଥିବା ଲୋକ ସମସ୍ତେ ବାଂଲାଦେଶୀ ନୁହଁନ୍ତି । କିନ୍ତୁ ରାଜ୍ୟରେ ସେଭଳି ବାତାବରଣ ତିଆରି କରାଯାଉଛି ବୋଲି ସରକାରଙ୍କୁ ଦୋଷ ଦେଇଛନ୍ତି ରାଜା ସ୍ୱାଇଁ । ଏହାସହିତ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ବାଚସ୍ପତି ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଯଥାଶୀଘ୍ର ହାଉସ କମିଟି ଗଠନ କରି ମାଲକାନଗିରି ପଠାଯାଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ