Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୦୦ କୋଟି ଟଙ୍କା ଆକାଉଣ୍ଟରେ ଥାଇ ତଥାପି ଗରିବ! ଜାଣନ୍ତୁ ଏ ଶ୍ରମିକଙ୍କ ସମ୍ପୂର୍ଣ୍ଣ କାହାଣୀ ବିଷୟରେ..

୬୦୦ କୋଟି ଟଙ୍କା ଆକାଉଣ୍ଟରେ ତଥାପି ଗରିବ! ଏ କଥା ଶୁଣିଲା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ | ଆପଣ ନିଶ୍ଚିତ ଭାବୁଥିବେ ଯେ, ୬୦୦ କୋଟି ଟଙ୍କା ଥାଇ ମଧ୍ୟ ଗରିବ ହେଲେ କେମିତି ? ହଁ ଦର୍ଶକବନ୍ଧୁ, ଏ ୬୦୦ କୋଟି ଟଙ୍କିଆ ଗରିବଙ୍କ ସମ୍ପୂର୍ଣ୍ଣ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ବିଷୟରେ | ଏ ହେଉଛି ବିହାର ବକ୍ସରର ଜଣେ ଦିନ ମଜୁରିଆଙ୍କ କାହାଣୀ | ଶ୍ରମିକଙ୍କ ଆକାଉଣ୍ଟରେ ଅଚାନକ ଭାବେ ୬୦୦ କୋଟି ଟଙ୍କା ଜମା ହୋଇଥିଲା।

ଆଉ ବ୍ୟାଙ୍କ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟ ଟିକୁ ଫ୍ରିଜ୍ କରିଦେଇଥିଲା । ଶ୍ରମିକ ଜଣକ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପାଖରେ ଘର ଚଳେଇବାକୁ ଟଙ୍କାଟିଏ ମଧ୍ୟ ନଥିଲା | କାରଣ ସେ ଗୋଟିଏ ସପ୍ତାହ ଧରି କାମ ପାଇନାହାଁନ୍ତି । ସେ ଭାବିଥିଲେ ଯେ ସେ ବ୍ୟାଙ୍କରୁ ୨୦୦ କିମ୍ବା ୩୦୦ ଟଙ୍କା ଉଠାଇ ସଉଦା କାରବାର କରିବେ। କିନ୍ତୁ ଯେତେବେଳେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଠାତ ଏତେ ପରିମାଣର ଟଙ୍କା ଦେଖିଲେ, ସେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ଏବେ , ତାଙ୍କ ଆକାଉଣ୍ଟ ଫ୍ରିଜ୍ ହେବା ପରେ ଶ୍ରମିକ ବ୍ୟାଙ୍କରୁ ଆଉ ଟଙ୍କା ଉଠାଇ ପାରିବେ ନାହିଁ କିମ୍ବା ଘରକୁ ସଉଦା ପତ୍ର ମଧ୍ୟ ଆଣି ପାରିବେ ନାହିଁ।

ଡିସେମ୍ବର ୭ରେ ଏହି ଘଟଣାଟି ଘଟିଛି ବିହାରର ବକ୍ସର ଜିଲ୍ଲା ଅନ୍ତର୍ଗତ ବାରକା ରାଜପୁର ଗାଁରେ | ୩୬ ବର୍ଷୀୟ ଶ୍ରମିକ ଜିତେନ୍ଦ୍ର ସାହଙ୍କ ପାଇଁ ଏହି ଦିନଟି ସବୁଦିନ ପରି ସ୍ୱାଭାବିକ ଥିଲା | ସେ ସକାଳେ ଉଠିଲେ । ତାଙ୍କ ସ୍ତ୍ରୀ କହିଲେ, “ଶୁଣ, ଆମ ଘରେ ଖାଦ୍ୟ ସମ୍ପୂର୍ଣ୍ଣ ସରିଗଲାଣି । ଦୟାକରି ଆମ ପାଇଁ କିଛି ସଉଦା ଆଣ। ତାହା ପରେ ଜିତେନ୍ଦ୍ର କହିଲେ, “ତୁମେ ଜାଣ ଯେ ଗତ ସପ୍ତାହେ ଧରି ମୋର କୌଣସି କାମ ନାହିଁ। ମୋ ପକେଟରେ ଗୋଟିଏ ଟଙ୍କା ମଧ୍ୟ ନାହିଁ।” ତାଙ୍କ ସ୍ତ୍ରୀ କହିଲେ,” ତେବେ ଗୋଟିଏ ଗୋଟିଏ କାମ କର। CSP କେନ୍ଦ୍ରକୁ ଯାଅ ଏବଂ ତୁମର ଆକାଉଣ୍ଟ ଯାଞ୍ଚ କର । କିଏ ଜାଣେ, ସେଠାରେ କିଛି ଟଙ୍କା ଥାଇପାରେ। ଏହାକୁ ଉଠାଇ ସଉଦା ଆଣ।

ଜିତେନ୍ଦ୍ର ତାଙ୍କ ସ୍ତ୍ରୀଙ୍କ କଥାରେ ରାଜି ହୋଇ CSP କେନ୍ଦ୍ରକୁ ଗଲେ। ସେ କର୍ମଚାରୀଙ୍କୁ ତାଙ୍କ ଆକାଉଣ୍ଟ ନମ୍ବର ଦେଇ କହିଲେ, “ମହାଶୟ, ଦୟାକରି ମୋ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରନ୍ତୁ। ଯଦି ମୋ ପାଖରେ ୫୦୦ ଟଙ୍କା ଅଛି, ଦୟାକରି ୩୦୦ ଟଙ୍କା ଉଠାଇ ମୋତେ ଦିଅନ୍ତୁ । ଯଦି ମୋ ଆକାଉଣ୍ଟରେ ୪୦୦ ଟଙ୍କା ରହିଛି, ତେବେ ମୋତେ ଦୟାକରି ୨୦୦ ଟଙ୍କା ଉଠାଇ ଦିଅନ୍ତୁ।” CSP କେନ୍ଦ୍ରର କର୍ମଚାରୀ ତାଙ୍କ ଆକାଉଣ୍ଟ ଯାଞ୍ଚ କରିବା ମାତ୍ରେ ତାଙ୍କ ମୁହଁରୁ କେବଳ ଗୋଟିଏ ଶବ୍ଦ ବାହାରି ଆସିଲା ୬୦୦ କୋଟି। ଏହା ପରେ କର୍ମଚାରୀ ଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଜିତେନ୍ଦ୍ର ଏହା ଶୁଣି ଥରି ଥରି କଣ୍ଠରେ କହିଲେ, “କଣ? ୬୦୦ କୋଟି?” ତାଙ୍କ ପାଦ ତଳୁ ମାଟି ଖସିଗଲା ଭଳି ଅନୁଭବ ହେଲା | ସେ ଭାବିଲେ ଏହା ନିଶ୍ଚିତ ଭାବେ ଏକ ସ୍ବପ୍ନ । ତା ନୁହେଁତ ଆଉ କଣ ? ଗୋଟେ ଦିନ ମଜୁରିଆର ଆକାଉଣ୍ଟରେ ହଠାତ ଏତେ ପରିମାଣର ଟଙ୍କା କୌଣସି ଏକ ସ୍ବପ୍ନ ଠାରୁ କମ ନୁହେଁ | ତା’ପରେ ଜିତେନ୍ଦ୍ର କହିଲେ, ସେହି ମୁହୂର୍ତ୍ତରେ, ମୁଁ ହଠାତ୍ ମୋର ଭଙ୍ଗା ଘର, ମୋ ପିଲାମାନଙ୍କର ଭୋକ ଏବଂ ଯନ୍ତ୍ରଣା କଥା ମନେ ପକାଇଲି। ପ୍ରଥମେ, ମୁଁ ଭାବିଲି ହୁଏତ ସେମାନଙ୍କର ମେସିନ୍ ଖରାପ ଥିବା |ତା’ପରେ ମୁଁ କହିଲି, ‘ଠିକ୍ ଅଛି, ଦୟାକରି ମୋତେ ୧୦,୦୦୦ ଟଙ୍କା ଦିଅ । CSP କେନ୍ଦ୍ର କର୍ମଚାରୀ କହିଲେ, “ନା,ଏଥିରୁ ମୁଁ ତୁମକୁ ଟଙ୍କା ଦେଇପାରିବି ନାହିଁ ।

ଜିତେନ୍ଦ୍ର କହିଲେ, “ମହାଶୟ, ଦୟାକରି ମୋତେ ଅତି କମରେ ୨୦୦ ଟଙ୍କା ଦିଅନ୍ତୁ। ମୋ ପରିବାର ଭୋକରେ ମରୁଛି।” କିନ୍ତୁ CSP କେନ୍ଦ୍ର କର୍ମଚାରୀ କହିଲେ, “ଯଦି ମୁଁ ଆପଣଙ୍କୁ ଗୋଟିଏ ଟଙ୍କା ମଧ୍ୟ ଦିଏ, ତେବେ ମୁଁ ମୋର ଚାକିରି ହରାଇବା ସହିତ ଆପଣ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। ଆମକୁ ପୋଲିସକୁ ତୁରନ୍ତ ଜଣାଇବାକୁ ପଡିବ। ପରେ ” ଜିତେନ୍ଦ୍ରଙ୍କ ଆକାଉଣ୍ଟ ତୁରନ୍ତ ୨୦ ମିନିଟ୍ ମଧ୍ୟରେ ଫ୍ରିଜ୍ କରିଦିଆଗଲା । ବ୍ୟାଙ୍କ ମ୍ୟାନେଜର ଏବଂ ପୋଲିସ ଏହାକୁ ଏକ ଯାନ୍ତ୍ରିକ ତ୍ରୁଟି ବୋଲି କହିଛନ୍ତି ଏବଂ ତଦନ୍ତ କରୁଛନ୍ତି। ପୋଲିସ ପରିବାରକୁ ଆଶ୍ୱାସନା ଦେଇଛି ଯେ, ଅପରାଧ ଜଣାପଡିବା ପର୍ଯ୍ୟନ୍ତ ସେମାନଙ୍କୁ ହଇରାଣ କରାଯିବ ନାହିଁ ।

କିନ୍ତୁ ଜିତେନ୍ଦ୍ରଙ୍କ ଜୀବନରେ ସେହି ଦିନଟି କୌଣସି ଦୁଃସ୍ୱପ୍ନ ଠାରୁ କମ ନଥିଲା। ଜିତେନ୍ଦ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ, “ଆମେ ଏକ ଭଙ୍ଗା ଦୁଇ କୋଠରୀ ବିଶିଷ୍ଟ ଘରେ ରହୁ । ଆମର ପରିବାରରେ ୧୧ ଜଣିଆ ସଦସ୍ୟ ଅଛନ୍ତି। ରୋଷେଇ ଘର ଟିଣରେ ତିଆରି ହୋଇଛି । ମୁଁ ମିଠା ତିଆରି କରୁଥିବା ଦୋକାନରେ ସହାୟକ ଭାବରେ କାମ କରେ । କେତେବେଳେ ମୋତେ କାମ ମିଳେ, କେତେବେଳେ ମିଳେ ନାହିଁ। ମୋ ସ୍ତ୍ରୀ ଏକ ଛୋଟ ଦୋକାନରୁ ସିଗାରେଟ୍, ବିଡ଼ି ଏବଂ ତମାଖୁ ବିକ୍ରି କରନ୍ତି । ସେଥିରୁ ଯାହା ୧୦୦ କି ୧୫୦ ଟଙ୍କା ରୋଜଗାର ବାହାରିଲା ତାହା ପ୍ରତି ଆମେ କୃତଜ୍ଞ। ୫୦୦ ଟଙ୍କା ଆମ ପାଇଁ ସବୁଠାରୁ ବଡ଼ ପରିମାଣ। ମୁଁ ଯେତେବେଳେ କାମ ପାଏ ମୋ ଶ୍ରମ ଅନୁସାରେ ଦିନକୁ ପ୍ରାୟ ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରେ |

ଜିତେନ୍ଦ୍ରଙ୍କ କହିଛନ୍ତିଯେ, ମୁଁ “ଗତ ସପ୍ତାହ ଧରି ମୋର କୌଣସି କାମ କରି ନାହିଁ। ପରିବାର ଚଳିବ କିପରି | ସଉଦା ଆସିବ କେମିତି? ମୁଁ ଟଙ୍କା ଟିଏ ମଧ୍ୟ ଉଠାଇ ପାରୁନାହିଁ। ଟଙ୍କାର ଅଭାବ ତ ପୂର୍ବରୁ ଏକ ସମସ୍ୟା ହୋଇ ରହିଥିଲା। କିନ୍ତୁ ଏବେ ମୁଁ ଚିନ୍ତିତ ଯେ, ଏବେ ମୋ ଆକାଉଣ୍ଟକୁ ଏତେ ଟଙ୍କା ଆସିବାର କାରଣରେ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୋଲିସ ମୋତେ ଏଘଟଣାରେ ଗିରଫ କରିପାରେ। ମୁଁ ଜାଣିନାହିଁ ଯେ ଏହି ଟଙ୍କା କେଉଁଠାରୁ ଆଉ କିପରି ଆସିଲା।” ଏହି ସମୟରେ, ଷ୍ଟେସନ ହାଉସ୍ ଅଧିକାରୀ ପୂଜା କୁମାରୀ କହିଛନ୍ତି, “ଆମେ ମଧ୍ୟ ସୂଚନା ପାଇଲୁ ଯେ, ଜଣେ ଶ୍ରମିକଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଜମା ହୋଇଛି। ଏହା ଏକ ଟେକ୍ନିକାଲ ବିଷୟ ହୋଇପାରେ ତେବେ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବ୍ୟାଙ୍କ ପକ୍ଷରୁ ତଦନ୍ତ ଜାରି ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ