ପୁରାତନ ଛାତ୍ର ସଂସଦ ପକ୍ଷରୁ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଝାରସୁଗୁଡ଼ା ୧୦/୧୨ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କୁରେମାଲ ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଆୟୋଜନ କରା ଯାଇଥିଲା । ବିଦ୍ୟାଳୟରେ ବହୁବର୍ଷ ଧରି ସେବା ଦେଇ ଅବସର ଗ୍ରହଣ କରିଥିବା ଗୁରୁଜନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଆୟୋଜିତ ଏହି ସଭା ପୁରୁଣା ଦିନର ସ୍ମୃତିକୁ ପୁନର୍ଜୀବିତ କରିଥିଲା ।
ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ, ଗୁରୁ ପୂଜନ ଓ ବିଦ୍ୟାଳୟର ଦିବଙ୍ଗତ ଶିକ୍ଷକ- ଛାତ୍ର ଛାତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହା ପରେ ବିଶିଷ୍ଟ କଳାକାର ତଥା ପୁରାତନ ଛାତ୍ର ରାଜେଶ ସିଂହ ଓ ସାଥୀ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ପୁରାତନ ଛାତ୍ର ସଂସଦ ସଭାପତି ମହେନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ଉକ୍ତ ସଭାରେ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶାନ୍ତନୁ ପାଣିଗ୍ରାହୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବଟୁ ପଧାନ, ଇଂରାଜୀ ଶିକ୍ଷକ ମଙ୍ଗଳ ପ୍ରସାଦ ଭୋଇ, ଗଣିତ ଶିକ୍ଷକ ଯଦୁମଣି ପ୍ରଧାନ ଏବଂ ଖେଳ ଶିକ୍ଷକ ବିହାରୀ ଲାଲ ପଟେଲଙ୍କୁ ପୁଷ୍ପମାଲ୍ୟ, ଉପଢ଼ୌକନ ସହ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରି ପୁରାତନ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହି ଅବସରରେ ଶିକ୍ଷାନୁଷ୍ଠାନର ସଂଘର୍ଷ ଓ ସଫଳତାର କାହାଣୀ, ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ଛାତ୍ର ବାତ୍ସଲ୍ୟ ସମ୍ପର୍କ,ଶିକ୍ଷାଦାନ ଶୈଳୀ ଆଦି ଉପରେ ଅବସର ଗ୍ରହଣ କରିଥିବା ଶିକ୍ଷକ ବୃନ୍ଦ ସଭାରେ ପରିପ୍ରକାଶ କରିଥିଲେ। ସେହିଭଳି ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ଶିକ୍ଷା ଦିନର ସ୍ମୃତି, ଗୁରୁ ମାନଙ୍କ ପ୍ରେରଣା, ଛାତ୍ର ଜୀବନ ର ଅନୁଭୂତି ଗୁଡ଼ିକୁ ଭାବ ବିହ୍ବଳ ହୋଇ ବକ୍ତବ୍ୟ ରଖିଥିଲେ । ନିଜ ବିଦ୍ୟାଳୟର ଗୁରୁ ଙ୍କ ଠାରୁ ଆଶୀର୍ବାଦ ନେବା ସହ ସେମାନଙ୍କୁ ଉପଯୁକ୍ତ ସମ୍ମାନ କରିବା ପାଇଁ ଦୀର୍ଘ ସମୟ ପରେ ଏଭଳି ଏକ ସୁଯୋଗ ମିଳିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା । ଉକ୍ତ ଭବ୍ୟ ସମ୍ୱର୍ଦ୍ଧନା ଉତ୍ସବରେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାପ୍ରେମୀ ତଥା ଦୂର ଦୁରାନ୍ତରୁ ପୁରାତନ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

