ଥମୁନି କନିଷ୍ଠ ଶିକ୍ଷକ ଆନ୍ଦୋଳନ ; ମୃତ ୨୪ ଶିକ୍ଷକଙ୍କ ପରିବାର ଭୋକ ଉପାସରେ କାଟୁଛନ୍ତି ଦିନ
ଭୁବନେଶ୍ୱର;୧୦|୧୨ : ଆନ୍ଦୋଳନରୁ ହଟୁନାହାନ୍ତି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ଶିକ୍ଷକ ସଂଘ। ଏହି ଆନ୍ଦୋଳନକୁ ନେଇ ସାରା ରାଜ୍ୟରେ ଏବେ ହଲଚଲ ସୃଷ୍ଟି ହୋଇଛି | କନିଷ୍ଠ ଶିକ୍ଷକମାନେ ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଏହାକୁ ନେଇ ଗତ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ରାଜ୍ୟରେ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯିବ | କିନ୍ତୁ ଏହି କଥାକୁ ୪ ମାସ ବିତିଯାଇଥିଲେ ବି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବାହାରୁନି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସଂଘ ।
ସେଥିପାଇଁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଧାରଣାରେ ବସିଲା ସଂଘ । ସରକାରୀ ମାନ୍ୟତା ସହିତ ୧୩ ଦଫା ଦାବିରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଲୋୟର୍ ପିଏମ୍ଜିରେ ଧାରଣା ଦିଆଯାଇଛି ।
ପୂର୍ବାହ୍ଣରେ ମହାସଂଘର ଶିକ୍ଷକମାନେ ବିଭିନ୍ନ ଜିଲ୍ଲାରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇଛନ୍ତି |ବିଧାନସଭା ଆଡ଼କୁ ଶୋଭାଯାତ୍ରା କରିଥିଲେ । ଲୋୟର ପିଏମ୍ଜିରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇ ସେମାନଙ୍କୁ ଅଟକାଯାଇଥିଲା । ସେଠାରେ ଏକ ପ୍ରତିବାଦ ସଭା କରି ଶିକ୍ଷକ ନେତୃବୃନ୍ଦ କହିଥିଲେ ଯେ ପୂର୍ବ ସରକାର ୧୦ ବର୍ଷ ତଳେ ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ ।
ମାତ୍ର ବିଦ୍ୟାଳୟରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ସୁରକ୍ଷା ଓ ଭବିଷ୍ୟତ ଆଜି ଅନିଶ୍ଚିତ। ସେମାନେ ସରକାରୀ କର୍ମଚାରୀ ନୁହନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି । ଶିକ୍ଷକମାନଙ୍କର ଚାକିରିରେ ସର୍ତ୍ତାବଳୀ(କ୍ୟାଡର୍ ରୁଲ୍) ନାହିଁ । ଏବେ ଯାଏଁ ମୃତ ୨୪ ଶିକ୍ଷକଙ୍କର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି ।

