ବଢୁଛି ଥଣ୍ଡା ; ଶୀତରେ ଛଟପଟ ହେଉଛି ରାଜଧାନୀ
ଭୁବନେଶ୍ୱର;୧୧|୧୨: ଥଣ୍ଡା ପାଇଁ ଥରୁଛି ରାଜଧାନୀ। ପୁଣି ଖସିଲା ପାରଦ। ଶୀତର ପ୍ରକୋପରେ ଲୋକେ କଲବଲ ହେଉଛନ୍ତି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଶୀତ ଅଧିକ ରହିଛି | ତେବେ ଲୋକେ ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଉପରେ ନିର୍ଭର କରୁଛନ୍ତି। କନ୍ଧମାଳ ଜିଲ୍ଲା ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୦ ଡିଗ୍ରୀକୁ ଖସିଛି । ତା ପଛକୁ ଫୁଲବାଣୀ ୬.୫ ଡିଗ୍ରୀ, ବାଲିଗୁଡ଼ା ୮.୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଇକିଆ, ଫିରିଙ୍ଗିଆ ଓ ନୂଆଗାଁରେ ପାରଦ ତଳମୁଁହା ହେବା ସହ ଜାଡ଼ରେ ଜଡସଡ ହେଉଛି ସାରା ଅଞ୍ଚଳ । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଆରମ୍ଭ ହୋଇଯାଉଛି । ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ସନ୍ଧ୍ୟା ହେବା ମାତ୍ରେ ସହର ରାସ୍ତା ଘାଟ ଜନଶୁନ୍ୟ ହୋଇଯାଉଛି। ଚା ଦୋକାନ ନିକଟରେ ଚା ଖଟି ବ୍ୟବସାୟ ବଢ଼ାଇବା ପାଇଁ ଦୋକାନୀ ମାନେ କାଠ ଗଣ୍ଡି ଆଣି ନିଆଁ ଲଗାଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ।
ଗତକାଲିର ରିପୋର୍ଟ ଅନୁଯାଇ, କୋରାପୁଟରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଥିଲା । କୋରାପୁଟ ରାଜୁଗୁଡାରେ ଧାନ ଖଳାରେ ତୁଷାର ପାତ ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡି କଲବଲ କରୁଥିବା ବେଳେ ତୁଷାରପାତ ମଧ୍ୟ କୋରାପୁଟରେ ଆରମ୍ଭ ହୋଇଯାଇଛି । ଗତକାଲି ରାଜୁଗୁଡାରେ ୫ ଡିଗ୍ରିକୁ ପାରଦ ଖସିଆସିଥିଲା । ସେପଟେ ଶିମିଳିପାଳରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗୋଟେ ସପ୍ତାହ ଧରି ଶିମିଳିପାଳର ତାପମାତ୍ରା ୫ ଡିଗ୍ରି ତଳେ ରହୁଥିବା ବେଳେ ଆଖ ପାଖ ଅଞ୍ଚଳରେ ୧୦ ରୁ ୧୨ ଡିଗ୍ରୀ ତାପମାତ୍ରା ରହି ଆସୁଛି । ଗତକାଲି ଆପାର-ବାରହାକାମୁଡ଼ାରେ ତାପମାତ୍ରା ୪ ଡିଗ୍ରି, ଚହଲାରେ ୬, ଗୁଡୁଗୁଡ଼ିଆରେ ୭, ବରେହିପାଣିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । କନ୍ଧମାଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ଦାରିଙ୍ଗିବାଡ଼ି, ଜି.ଉଦୟଗିରି, ବାଲିଗୁଡ଼ା ଆଦି ସ୍ଥାନରେ ୫ ଡିଗ୍ରି ତଳେ ତାପମାତ୍ରା ଅନୁଭୂତ ହେଉଛି ।

