Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲକାନଗିରିରେ ପହଞ୍ଚିଲେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ; ଦୁଇ ଗାଁ ମଧ୍ୟରେ ଶାନ୍ତି ଆଣିବା ପାଇଁ କରିବେ ସମାଧାନ

ମାଲକାନଗିରି,୧୧|୧୨: ମାଲକାନଗିରିରେ ଇଣ୍ଟରନେଟ କଟକଣାକୁ ଆଉ ୧୨ ଘଣ୍ଟା ପାଇଁ ବୃଦ୍ଧି କରାଗଲା | ପୂର୍ବରୁ କଟକଣା ଲଗା ଯାଇଥିଲା ଯାହା ଆଜି ୧୨ଟା ପର୍ଯ୍ୟନ୍ତ ରହିଥିଲା | କିନ୍ତୁ ସ୍ଥିତିର ସମୀକ୍ଷା ପରେ ଏବେ ଆଉ ୧୨ ଘଣ୍ଟାକୁ ବୃଦ୍ଧି କରାଗଲା | ଘଟଣାର ସ୍ଥିତି ସମୀକ୍ଷା ପାଇଁ ମାଲକାନଗିରିରେ ପହଞ୍ଚିଲେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ | ତାହା ସହିତ ଦକ୍ଷିଣାଞ୍ଚଳର ଡି ଆଇ ଜି ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମାଲକାନଗିରି ର ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି | ଦୁଇ ଗାଁ ମଧ୍ୟରେ ଶାନ୍ତି ଫେରେଇ ଆଣିବା ଉପରେ କରିବେ ସମୀକ୍ଷା |

ସୂଚନା ଅନୁସାରେ, ଗତ ୩ ତାରିଖରେ ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ଆଦିବାସୀ ମହିଳା ପାଡିଆମିଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । କିନ୍ତୁ ସେ ମୃତ ଶରୀରରେ ମୁଣ୍ଡ ନଥିଲା | ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଥିଲେ ଯେ, ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟେଇ ଥାଇପାରନ୍ତି |

ଏହି ଘଟଣାକୁ କିଛି ଦିନ ବିତିଯିବା ସତ୍ତ୍ୱେ ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ଅନେକ ଆଦିବାସୀ ନିଜ ନିଜର ପାରମ୍ପରିକ ଅସ୍ତ୍ର ସହିତ ତୀବ୍ର ଆନ୍ଦୋଳନ କରିଥିଲେ | ଏମିତିକି ଶହ ଶହ ଲୋକ ଏମଭି-୨୬ ଗାଁକୁ ଯାଇ ଭଙ୍ଗାରୁଜା କରିଥିବା ବେଳେ ଅନେକ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଭୟରେ ଏମଭି ୨୬ ଗାଁର ଲୋକେ ଘର ଛାଡ଼ି ପଳାଇଛନ୍ତି । ସ୍ଥିତି ପୁରା ଅଣାୟତ୍ତ ହୋଇ ଯାଇଥିଲା ଯାହା ଫଳରେ ଦୀର୍ଘ ସମୟ ଧରି ମାଲକାନଗିରିରେ ଇଣ୍ଟରନେଟ ସେବାକୁ ବନ୍ଦ କରା ଯାଇଥିଲା | ନିଆଁରେ ଏମଭି-୨୬ ଗାଁର ୧୮୮ଟି ଗୃହରୁ ୧୬୩ ଗୃହ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ତେବେ ଗତକାଲି ମହିଳାଙ୍କ କଟା ମୁଣ୍ଡ ମାଲକାନଗିରି ଜିଲ୍ଲାର କାଲିମେଳା ଠାରୁ ପ୍ରାୟ ୧୦ କିଲୋମିଟର ଦୂର ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ମିଳିଥିଲା। ପ୍ରାତଃ ସମୟରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ସେହି କଟା ମୁଣ୍ଡଟିକୁ ଦେଖିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଏସଡିପିଓ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଘଟଣାସ୍ଥଳରେ କାଲିମେଳା ପୋଲିସର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ