Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀର ନବ କଳେବର; ୯ ହଜାର ଏକର ଜମିରେ ବିଡ଼ିଏର ଟାଉନ ପ୍ଲାନିଂ

ଭୁବନେଶ୍ୱର,୧୧|୧୨: ରାଜଧାନୀର ହେବ ନବ କଳେବର | ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି | ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ୯ ହଜାର ଏକର ଜମିରେ ହେବ ବିଡ଼ିଏର ଟାଉନ ପ୍ଲାନିଂ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପ୍ଲାନିଂ ସାଇଟକୁ ଯାଇ ସମୀକ୍ଷା କରିଛନ୍ତି । ୪ଟି ଯାକ ଟିପି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛନ୍ତି । ଟିପି- ୧ ରେ ସହଜପୁର, ନରୋଗଦା, ଶିଯିପୁଟ, ପାଇକରାପୁର, ଟିପି ୨ ରେ ବିଜିପୁର, ତମାଣ୍ଡୋ, ଟିପି-୩ ରେ ପାଇକରାପୁର, ନୂଆଗାଁ , ଟିପି-୪ ରେ ଶ୍ୟାମସୁନ୍ଦରପୁର ରହିଛି । ସମୁଦାୟ ଜମିର ୬୦ ପ୍ରତିଶତ ଜମି ମୂଳ ମାଲିକଙ୍କୁ ଫେରାଇବ ବିଡ଼ିଏ ।

ଅବଶିଷ୍ଟ ୪୦ ପ୍ରତିଶତ ଜମିରେ ବିଡ଼ିଏ ରାସ୍ତା, ଡ୍ରେନ ଏବଂ ସ୍ୱରେଜର ବ୍ୟବସ୍ଥା ଇତ୍ୟାଦି ତିଆରି କରାଯିବ | ପୁରୀରେ ମଧ୍ୟ ଆରମ୍ଭ ହେବ ଟିପି ସ୍କିମ ବା ଟାଉନ ପ୍ଲାନିଂ ସ୍କିମ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ସେହି ଅନୁସାରେ ଏହାର କଳେବର ବଢାଇବାକୁ ଯୋଜନା ଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଜମି ଜବରଦଖଲ ଉଛେଦ ସରଳ ପ୍ରକ୍ରିୟାରେ କରାଯିବ । ଏବଂ ଲୋକମାନେ ସୁବିଧାରେ କିଭଳି ଘର ପାଇପାରିବେ ସେ ନେଇ ବ୍ୟବସ୍ଥା ମଧ୍ୟ କରାଯିବ ।

ସେପଟେ ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ କରିବାର ପ୍ରସ୍ତୁତି ଆରମ୍ଭ ହୋଇଛି | ପୁରୁଣା ଭୁବନେଶ୍ୱରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ପଡିବା ଦେଖି ସରକାରଙ୍କ ପକ୍ଷରୁ ଆଉ ୨ଟି ନୂଆ ତହସିଲ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ପୂର୍ବରୁ ଥିବା ୨୮ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସର୍କଲକୁ ୩ଟି ତହସିଲ ଅଫିସ୍‌ ଅଧୀନରେ ଭାଗ ଭାଗ କରିବା ପାଇଁ ନୀଳ ନକ୍ସା ପ୍ରସ୍ତୁତ ହୋଇଛି ।

ଏବେ ଭୁବନେଶ୍ୱର ଉପକଣ୍ଠରେ ଦିନକୁ ଦିନ ଜମି କିଣାବିକାରେ ବୃଦ୍ଧି ଘଟିବାରେ ଲାଗିଛି । ସହର ଖଣ୍ଡଗିରି ଓ ରସୁଲଗଡ଼ ଦିଗରେ ମଧ୍ୟ ବଢୁଛି । ତେଣୁ ଏହି ୨ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କର ଜମି କିଣାବିକା, ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମସ୍ୟା ହେଲେ କଳ୍ପନା ସ୍ଥିତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡୁଛି | ସେ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ନୂଆ ତହସିଲ ଖୋଲିବାର ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ତହସିଲ ଅଧୀନରେ ସୁନ୍ଦରପଦା, ଭୁବନେଶ୍ୱର, ଇତିପୁର, ଧଉଳି ଓ ଶିଶୁପାଳ ଭଳି ୯ଟି ଆର୍‌ଆଇ ସର୍କଲ ରହିବାକୁ ଯୋଜନା ହୋଇଛି ।

ସେହିଭଳି ନୂଆ ଖୋଲା ହେବାକୁ ଥିବା ରସୁଲଗଡ଼ ଅଞ୍ଚଳରେ ଗାଡ଼କଣ, ବାସୁଆଘାଇ, ଲକ୍ଷ୍ମୀସାଗର, ଗଡ଼ଗୋବିନ୍ଦପ୍ରସାଦ, ପାଣ୍ଡରାକୁ ମିଶାଇ ୯ଟି ଆର୍‌ଆଇ ସର୍କଲ ରହିବ । ଖଣ୍ଡଗିରିରେ ହେବାକୁ ଥିବା ଆର୍‌ଆଇ ସର୍କଲରେ ପାଇକରାପୁର, ପାତ୍ରପଡ଼ା, ଜାଗମରା, ତମାଣ୍ଡୋ, ଘାଟିକିଆ ସମେତ ୧୦ଟି ସର୍କଲ ରହିବ। ସରକାରୀ ଅନୁମୋଦନ ମିଳିବା ପରେ ନୂଆ ତହସିଲ ଅଞ୍ଚଳକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ