Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାକଡରୁ ମିଳିଲା ସରକାରୀ ଔଷଧ ; ରୋଗୀଙ୍କୁ ନ ଦେଇ , ତାରିଖ ଥାଇ ଫିଙ୍ଗିଦେଲେ ମାଗଣା ଔଷଧ

ବାଲେଶ୍ଵର;୧୧|୧୨: ସରକାର ରୋଗରୁ ମୁକ୍ତ ରହିବାପାଇଁ ବିଭିନ୍ନ ପ୍ରକାରର ଯୋଜନା କରିବା ସହିତ ଲୋକଙ୍କୁ ମାଗଣା ଔଷଧ ମଧ୍ୟ ଦେଉଛନ୍ତି | ଗରିବ ଅସହ୍ୟ ଲୋକଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଔଷଧ ଉପଲବ୍ଧ ହେଉଛି | କିନ୍ତୁ କିଛି ଲୋକେ କିଛି ସରକାରୀ ଡାକ୍ତରଖାନାରେ ଏହାର ଅପବ୍ୟବହାର କରୁଛନ୍ତି | ବ୍ୟବହାର କରିବା ତ ଦୂରର କଥା ଡାକ୍ତରଖାନାରେ ଲୋକଙ୍କୁ ମାଗଣା ଔଷଧ ନ ଦେଇ ତାଙ୍କୁ ଫିଙ୍ଗି ଦେଉଛନ୍ତି | ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାରେ | ରାସ୍ତା କଡ଼ରେ ପଡ଼ିଛି ପ୍ୟାକେଟ ପ୍ୟାକେଟ ଔଷଧ । ସରକାର ମାଗଣାରେ ବାଂଟୁଥିବା ଔଷଧକୁ ଫିଙ୍ଗି ଦିଆଯାଇଛି । ତାହା ବି ରୋଗୀଙ୍କୁ ନଦେଇ ଔଷଧ ଏକ୍ସପାରୀ ତାରିଖ ପୂର୍ବରୁ ।

ରେମୁଣା ବ୍ଲକ ଶ୍ରୀଜଙ୍ଗ–ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିଲୋମିଟର ଦୂର ତୁଣ୍ଡରା ରାସ୍ତା କଡ଼ରେ ଶହ ଶହ ଔଷଧ ପଡ଼ିଛି । ଅବଧି ସରି ନଥିବା ଔଷଧକୁ ଅଳିଆ ଗଦାରେ ଫିଙ୍ଗି ଦିଆଯାଇଛି । ସରକାର ମାଗଣାରେ ଯୋଗାଇ ଦେଉଥିବା ଆଇରନ୍ ଆଣ୍ଡ ଫଲିକ୍ ଏସିଡ୍ ସିରପର ଶହ ଶହ ବୋତଲ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଛି । ଫୋପାଡ଼ି ଦିଆଯାଇଥିବା ଔଷଧ ୨୦୨୫ ଏପ୍ରିଲ୍‌ରେ ପ୍ରସ୍ତୁତ ହୋଇଥିଲା । ଏହାର ଅବଧି ୨୦୨୬ ସେପ୍ଟେମ୍ବର ମାସ ପଯ୍ୟନ୍ତ ରହିଛି । ତେବେ ଏକ୍ସପାରୀ ପୂର୍ବରୁ ବିପୁଳ ସିରପ୍ ରାସ୍ତା କଡ଼ରେ କାହିଁକି ଫିଙ୍ଗି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଫିଙ୍ଗି ଦିଆଯାଇଥିବା ସିରପ୍‌ର ବ୍ୟାଚ ନମ୍ବର ସିଏଚ୍‌ଏସ୍-୫୦୦୬୫ । ଏହାର ଅବଧି ୨୦୨୬ ସେପ୍ଟେମ୍ବରରେ ସରୁଛି । ଏକ୍ସପାରୀର ୯ ମାସ ପୂର୍ବରୁ ଔଷଧକୁ ଫିଙ୍ଗି ଦିଆଯାଇଛି । ଜିଲ୍ଲାରେ ଶିଶୁ ମୃତ୍ୟୁହାର ଏବଂ ରକ୍ତ ହୀନତା ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ସିରପ୍ ନଦେଇ ଫୋପାଡ଼ି ଦିଆଯାଇଥିଲା ।

ତେବେ ଏନେଇ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ରାସ୍ତା କଡ଼ରେ ଶହ ଶହ ଏକ୍ସପାରୀ ହୋଇନଥିବା ସିରପ୍ ଫିଙ୍ଗାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । କିଏ ଏବଂ କେଉଁ ପରିସ୍ଥିତିରେ ବିପୁଳ ସରକାରୀ ମାଗଣା ସିରପ୍ ଫିଙ୍ଗିଲା ତାର ତଦନ୍ତ କରିବାକୁ ଦାବି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ