ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ଭୁବନେଶ୍ୱର,୧୫|୧୨: ଓଡ଼ିଶାବାସୀଙ୍କ ପାଇଁ ଭିସା ସଂଗ୍ରହ ପ୍ରକ୍ରିୟା ହେଲା ସହଜ ଆଉ ସରଳ | ଏବେ ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବନି। ଭୁବନେଶ୍ୱରରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ । ସକାଳ ପାଇଲେ ଅନେକ ଲୋକ ଭିସା ସଂଗ୍ରହ ପାଇଁ ଲମ୍ବା ଲାଇନରେ ଛିଡା ହୋଇଥାନ୍ତି | ଅନେକ ଦିନ ଅପେକ୍ଷା କରିବାକୁ ପଡିଥାଏ | ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ।
ତେବେ ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ| ଏବଂ ଏଥିପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ। ସୂଚନା ଅନୁସାରେ, ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବି ରହିଆସୁଥିଲା । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

