୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ଡାଇଭିଂ କରି ରେକର୍ଡ କଲେ ୧୫ ବର୍ଷୀୟା ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହୀ
ସମ୍ବଲପୁର,୧୫|୧୨: ସମ୍ବଲପୁରରେ ଜନ୍ମ ନେଇଥିବା ୧୫ ବର୍ଷୀୟା ତିସ୍ୟା ପାଣିଗ୍ରାହୀ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଗଭୀର ସମୁଦ୍ରରେ ଦୁଃସାହସିକ କ୍ରୀଡା କରି ସମସ୍ତଙ୍କୁ କରିଛନ୍ତି ଗର୍ବିତ । ଦୁବାଇରେ ରହୁଥିବା ଓଡ଼ିଆ ସ୍କୁବା ଡାଇଭର ତିସ୍ୟା ପାଣିଗ୍ରାହୀ ହାସଲ କରିଛନ୍ତି ନୂଆ ରେକର୍ଡ । କିଛି ଦିନ ତଳେ ନିଜର ୫୦ ତମ ଡାଇଭ୍ ପୁରା କରି ରେକର୍ଡ କରିଛନ୍ତି ତିସ୍ୟା । ମାଳଦ୍ବୀପର ‘କାଣ୍ଡୁମା ଥିଲା’ ଡାଇଭ୍ ସ୍ଥଳ। ଯେଉଁଠି ତିସ୍ୟା ନିଜର ୫୦ତମ ଡାଇଭ୍ ପୂରା କରିଛନ୍ତି । ‘କାଣ୍ଡୁମା ଥିଲା’ ମାଳଦ୍ବୀପର ଏକ ପ୍ରମୁଖ ରୋମାଞ୍ଚକାରୀ ଡାଇଭ ସ୍ଥାନ। ତାଲିମ ଦୃଷ୍ଟିକୋଣରୁ ଅତ୍ୟନ୍ତ କଠିନ ଓ ରୋମାଞ୍ଚକାରୀ ସ୍ଥାନରେ ୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ଡାଇଭିଂ କରି ତିସ୍ୟା ନିଜର ୫୦ ତମ ଡାଇଭ୍ ପୁରା କରି ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି|
ସୂଚନା ମୁତାବକ, ୧୫ ବର୍ଷ ବୟସରେ ୫୦ ତମ ଡାଇଭ୍ ପୂରଣ କରି ଏବେସୁଦ୍ଧା କୌଣସି ଓଡ଼ିଆ ରେକର୍ଡ ସୃଷ୍ଟି କରିନାହାନ୍ତି । ତେବେ ତିସ୍ୟା ପାଣିଗ୍ରାହୀ ନିଜର ଟ୍ୟାଲେଣ୍ଟ ଦେଖାଇ ଗଭୀର ସମୁଦ୍ରରେ ୫୦ ତମ ଡାଇଭ୍ ପୂରଣ କରି ସବୁଠାରୁ କନିଷ୍ଠ ଓଡ଼ିଆ ଡାଇଭର୍ ଭାବେ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ଡାଇଭ୍, ଇନଷ୍ଟ୍ରକଟର ଲୁକାଙ୍କ ପରିଚାଳନାରେ ଦକ୍ଷିଣ ଆଫ୍ରିକାରେ ସ୍କୁବା ଡାଇଭିଂ ଆୟୋଜନ ହୋଇଥିଲା | ଏହି ଅଦ୍ଭୁତ ରେକର୍ଡ ହାସଲ କରିବାରେ ତିସ୍ୟାଙ୍କ ବାପା ତଥା ଦୀର୍ଘ ଦିନର ଡାଇଭ୍ ପାର୍ଟନର ଆଡଭାନ୍ସଡ ସ୍କୁବା ଡାଇଭର ପ୍ରିୟଦର୍ଶୀ ପାଣିଗ୍ରାହୀ ସାଥ୍ ଦେଇଥିଲେ। ସ୍କୁବା ଡାଇଭିଂ କ୍ଷେତ୍ରରେ ଓଡ଼ିଆ ବାପ-ଝିଅଙ୍କ ଯୋଡ଼ି କମାଲ କରିଛି । ତେବେ ଡାଇଭିଂ ବେଳେ ପ୍ରଖର ସ୍ରୋତରୁ ସୁରକ୍ଷିତ ରହିବା ଲାଗି ଉଭୟ ଏକ ହୁକ୍ ବ୍ୟବହାର କରିଥିଲେ । ଅଥଳ ଜଳରାଶିରେ ଡାଇଭିଂ ବେଳେ ବିଶାଳ ସାମୁଦ୍ରିକ ଜୀବଙ୍କ ସଂସ୍ପର୍ଶରେ ଆସିବା ଦୁହିଁଙ୍କ ପାଇଁ ଯେତିକି କୌତୁହଳ ଥିଲା ସେତିକି ରୋମାଞ୍ଚ ଭରା ମଧ୍ୟ ଥିଲା । ସାର୍କ ଭଳି ବଡ଼ ସାମୁଦ୍ରିକ ଜୀବଙ୍କୁ ଅତି ନିକଟରୁ ଦେଖିବା ସଦା ସ୍ମରଣୀୟ ହୋଇ ରହିବ ବୋଲି ତିସ୍ୟା ଓ ପ୍ରିୟଦର୍ଶୀ ପାଣିଗ୍ରାହୀ କହିଛନ୍ତି ।
ସମ୍ବଲପୁରରୁ ଦୁବାଇ ପର୍ଯ୍ୟନ୍ତ ତିସ୍ୟାଙ୍କ ଯାତ୍ରା ଅସାଧାରଣ ଥିଲା । ଓଡ଼ିଶାର ସମ୍ବଲପୁରରେ ୨୦୧୦ରେ ଜନ୍ମିତ ତିସ୍ୟା ଗତ ୧୩ ବର୍ଷ ଧରି ଦୁବାଇରେ ରହି ଆସୁଛନ୍ତି । ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା, ୨୦୨୦ରୁ ସେ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ । ସମୁଦ୍ରର ୧୦୦ ଫୁଟ୍ ଗଭୀର ଜଳରାଶିରେ ଡାଇଭିଂ କରିବାର ସର୍ବକନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ରେକର୍ଡ ହାସଲ କରି ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି ତିସ୍ୟା ।
ସଫଳତା ବ୍ୟତୀତ, ତିସ୍ୟା ସମୁଦ୍ର ସୁରକ୍ଷା ଓ ସଚେତନତା ପ୍ରଚାର ପାଇଁ ସେ ସ୍କୁବା ଡାଇଭିଂକୁ ବ୍ୟବହାର କରୁଛନ୍ତି । ତିସ୍ୟା ଅଣ୍ଡରୱାଟର୍ କ୍ଲିନ୍-ଅପ୍ରେ ଯୋଗଦେଉଛନ୍ତି, ବିଭିନ୍ନ ଡାଇଭିଂ ମ୍ୟାଗାଜିନରେ ସଚେତନତାପୂର୍ଣ୍ଣ ମନ୍ତବ୍ୟ ଲେଖିବା ସହିତ ଯୁବପିଢିକୁ ସମୁଦ୍ର ସୁରକ୍ଷାରେ ଯୋଗଦାନ କରିବାକୁ ପ୍ରେରିତ ମଧ୍ୟ କରୁଛନ୍ତି । ସ୍କୁବା ଡାଇଭିଂରେ ରେକର୍ଡ ସୃଷ୍ଟି କରିଥିବା ତିସ୍ୟା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଦିବଙ୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ଶିକ୍ଷାବିଦ୍ ଦିବଙ୍ଗତ ସୁନନ୍ଦା ପାଣିଗ୍ରାହୀଙ୍କର ନାତୁଣୀ ।

