ଅସୁରକ୍ଷିତ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ; ଗୋପାଳପୁର ପରେ ଧଉଳିକୁ ରେଡ୍ଫ୍ଲାଗ ଜୋନ ଘୋଷଣା
ଭୁବନେଶ୍ୱର,୧୭|୧୨: ପ୍ରତିଦିନ କିଛି ନା କିଛି ଦୁଷ୍କର୍ମ ମାମଲା ସମ୍ପର୍କିତ ଖବର ଗଣାମଧ୍ୟମରେ ପ୍ରକାଶ ପାଉଛି | ଓଡ଼ିଶାରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ଉଠିଛି ସବୁଠୁ ବଡ ପ୍ରଶ୍ନ? ଗୋପାଳପୁର ପରେ,ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଧଉଳିକୁ ରେଡ୍ଫ୍ଲାଗ ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବରୁ ବ୍ରହ୍ମପୁରର ଗୋପାଳପୁର ବିଚରେ ଗତ ଜୁନ୍ ୧୫ ତାରିଖରେ ଏକ ଦୁଷ୍କର୍ମ ହୋଇଥିଲା ଯେଉଁଥିରେ ୨୦ ବର୍ଷିୟା ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ମାମଲାକୁ ଗମ୍ଭିରାତାର ସହିତ ନେଇ ଓଡ଼ିଶା ପୁଲିସ୍ ଏହାକୁ ରେଡ ଫ୍ଲାଗ୍ ଜୋନରେ ଅନ୍ତର୍ଭୁକ୍ତ କରିଥିଲା | ଦୁଷ୍କର୍ମ ଘଟଣାରେ ପୋଲିସ ୧୦ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ପୁଣିଥରେ ସେପ୍ଟେମ୍ବର ମାସରେ ପୁରୀ ବାଲିହରଚଣ୍ଡୀ ବିଚ୍ରେ ମଧ୍ୟ ଏକ ଗଣଦୁଷ୍କର୍ମ ହୋଇଥିଲା ଯେଉଁଥିରେ ୧୯ ବର୍ଷୀୟ କଲେଜ ଛାତ୍ରୀ ଏହି ଦୁଷ୍କର୍ମର ଶିକାର ହୋଇଥିଲେ। । କେବଳ ସେତିକି ନୁହେଁ, ଗତ ଜୁଲାଇ ମାସରେ ବାଲେଶ୍ବର ଡୋଗରା ବିଚ୍ରେ ସ୍ବାମୀଙ୍କ ଆଗରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ ଦୁବୃର୍ତ୍ତ। ଆଉ ଏବେ ଧଉଳି ଗଣଦୁଷ୍କର୍ମ ଘଟଣା | ତେବେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଏଭଳି ଅପରାଧିକ ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ?
ଏହି ସବୁ ଘଟଣା ପରେ ଆମେରିକା ତାର ନାଗରିକ ମାନଙ୍କୁ ସତର୍କ କରିଥିଲା। ଓଡ଼ିଶାରେ ନାରୀ ମାଙ୍କର ସୁରକ୍ଷା ନାହିଁ ବୋଲି ଚାରିଆଡେ କଥା ପଡିଲା | ଆଉ ଏଥିପାଇଁ ଓଡିଶାକୁ ନିନ୍ଦିତ ମଧ୍ୟ ହେବାକୁ ପଡିଲା | ନିନ୍ଦିତ ହେବା ପରେ ସବୁ ପର୍ଯ୍ୟଟନସ୍ଥଳୀର ସୁରକ୍ଷାକୁ ବଢ଼ାଇବାକୁ ଘୋଷଣା କରିଥିଲେ ସରକାର। କିନ୍ତୁ, ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଧଉଳିରେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ପରେ ପୁଲିସର କାର୍ଯ୍ୟଦକ୍ଷତା ପଦାରେ ପଡ଼ିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଗତକଲି ଏକ୍ସରେ ପୋଷ୍ଟ କରି ଘଟଣାକୁ ନିନ୍ଦା କରିବା ସହ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି | ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି। ତେବେ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ରାଜନୀତି ନକରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ୍ସରେ ପୋଷ୍ଟ କରିଛନ୍ତି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସରକାର ଅପରାଧକୁ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଛନ୍ତି।
ସୂଚନା ଅନୁସାରେ, ଧଉଳିରେ ଗଣଦୁଷ୍କର୍ମ ହେବା ପରେ ଏବେ ରେଡ୍ଫ୍ଲାଗ ଜୋନ ଭାବେ ଘୋଷଣା କରାଯାଇଛି | ମାମଲାର ସମୁର୍ଣ୍ଣ ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଅବଗତ କରାଇବ କ୍ରାଇମବ୍ରାଞ୍ଚ | ଏହି ମାମଲା କ୍ରାଇମ ଏଗେନଷ୍ଟ ଓମେନ ବା ଉଇଡ ଭାବେ ପରିଗଣିତ ହେବ । ଦକ୍ଷ ଅଫିସର ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।
ଜଣେ ଡ଼ିଏସପି ଅଫିସର ଧଉଳି ଥାନା ଯାଇ ତଦନ୍ତର ଅଗ୍ରଗତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟର ତଦାରଖ କରିବେ । ତଦନ୍ତ କିପରି ଆଗକୁ ଶୀଘ୍ର ବଢିବ, ସେନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ସମେତ, ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ ପର୍ଯ୍ୟନ୍ତ ସହଯୋଗ କରିବ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍ । ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କ ଗଣଦୁଷ୍କର୍ମ ଘଟଣା । ତେବେ ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ବି , ଅନ୍ୟ ୩ ଜଣ ଏବେବି ଫେରାର୍ ଅଛନ୍ତି । ଗତ ୧୦ ତାରିଖରେ ବାଙ୍କୁଆଳ ନଦୀପଠାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା ।

