Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟରେ ୬୯ଟଙ୍କା ହ୍ରାସ, ଚାଷୀ ଅସନ୍ତୋଷ

ବରଗଡ଼, ୧୭।୧୨ : ଏବେ ବରଗଡ ଜିଲ୍ଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ପ୍ରକ୍ରିୟାକୁ ଦୁଇ ସପ୍ତାହ ପୁରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡିରେ ଧାନ ବିକ୍ରି ସ୍ବାଭାବିକ ହୋଇପାରି ନାହିଁ। ମଣ୍ଡିକୁ ବିକ୍ରି ପାଇଁ ଯେଉଁ ପରିମାଣରେ ଧାନ ଆସୁଛି, ସେହି ହାରରେ ଧାନ କିଣାଯାଉନାହିଁ ବୋଲି ଅଭିଯୋଗ କରୁଛନ୍ତି ଚାଷୀ।

ଫଳରେ ମଣ୍ଡି ଗୁଡ଼ିକରେ ଦୀର୍ଘ ସମୟ ଧରି ଧାନ ପଡିରହୁଛି। ଏବଂ ଚାଷୀ ଦିନ ଦିନ ଧରି ମଣ୍ଡି ଆଗରେ ଅପେକ୍ଷା କରି ବସୁଛନ୍ତି। ଖାଲି ସେତିକି ନୁହେଁ, ଜିଲ୍ଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମଧ୍ୟ ମିଳିନାହିଁ । କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ଟଙ୍କା ବୃଦ୍ଧି ଘୋଷଣା କରିବା ପରେ ଚାଷୀ ଖୁସି ହୋଇଥିବା ବେଳେ ଏବେ ନୈରାଶଜନକ ଦେଖାଦେଇଛି। ଅନ୍ୟପଟେ ରାଜ୍ୟ ସରକାର ଧାନ କୁଇଣ୍ଟାଲ ବାବଦକୁ ଦେଉଥିବା ଇନପୁଟ୍‌ ଆସିଷ୍ଟାଣ୍ଟରୁ ୬୯ ଟଙ୍କା ହ୍ରାସ କରି ଦେଇଛନ୍ତି। ପୂର୍ବରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ପାଉଥିଲେ। ମାତ୍ର ଏବେ ଚାଷୀଙ୍କୁ ଇନପୁଟ୍‌ ଆସିଷ୍ଟାଣ୍ଟ ବାବଦକୁ ଚାଷୀଙ୍କୁ ଧାନ କୁଇଣ୍ଟାଲ ବାବଦକୁ ୭୩୧ ଟଙ୍କା ପ୍ରଦାନ କରାଯାଉଛି। ଏହାକୁ ନେଇ ସରକାରଙ୍କ ବିରୋଧରେ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବ ଅପେକ୍ଷା ଏଥର ଧାନ କିଣାବିକାରେ ଚାଷୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।

ତେବେ ବରଗଡ଼ ଜିଲ୍ଲାରେ ନିର୍ଦ୍ଧାରିତ ତାରିଖର ପ୍ରାୟ ମାସେ ପରେ ଅର୍ଥାତ୍‌ ଗତମାସ ୨୮ତାରିଖ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡି ଗୁଡ଼ିକ ଖୋଲିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଧାନ କିଣାବିକା କାର୍ଯ୍ୟ ସମ୍ପୂର୍ଣ୍ଣ ସରିନାହିଁ। ଏଭଳି ସ୍ଥିତିରେ ଗତ ୩ଦିନ ତଳେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାନବସ୍ତା ରଖିବା ସହିତ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ।

ଏହାପରେ ବି ଜିଲ୍ଲାରେ ଧାନ କିଣାବିକା ସମସ୍ୟାରେ ସୁଧାର ଆସି ନାହିଁ। ନା ମଣ୍ଡିରେ ଧାନ ବିକ୍ରି କାର୍ଯ୍ୟ ସରୁଛି ନା ଚାଷୀ ମନେ ଆଗାମୀ ଫସଲ ପାଇଁ ପ୍ରସ୍ତୁତ ହୋଇ ପାରୁଛନ୍ତି।  ଅନ୍ୟପଟେ ଧାନବିକ୍ରି ଦାବିରେ ସୋମବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀମାନେ ଧାରଣା ଦେଇଥିବାବେଳେ ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡ଼ାରେ ଚାଷୀମାନେ ତାଲା ମାରି ଧାନ ନେବାରେ ଡେରି ହେବାର ପ୍ରତିବାଦ କରିବା ଦେଖାଯାଇଥିଲା। ରାଜ୍ୟରେ ବିଜେପି ଶାସନକୁ ଆସିବା ପୂର୍ବରୁ ନିର୍ବାଚନୀ ପ୍ରଚାର ସମୟରେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଶାସନକୁ ଆସୁ ଆସୁ ରାଜ୍ୟର ଭାଜପା ସରକାର ତାହା ପ୍ରଦାନ ମଧ୍ୟ କରିଥିଲେ। ଏହାକୁ ନେଇ ଚାଷୀମାନେ ବେଶ ଖୁସି ହୋଇଥିଲେ। କିନ୍ତୁ ଏବେ କେନ୍ଦ୍ର ସରକାର ଯେତେବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ କୁଇଣ୍ଟାଲ ପ୍ରତି ୨୩୦୦ରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଛନ୍ତି, ସେତେବେଳେ ରାଜ୍ୟ ସରକାର ଧାନର ଇନପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଏମ୍‌ଏସ୍‌ପି ୨୩୦୦ ଟଙ୍କା ଏବଂ ଇନପୁଟ୍‌ ଆସିଷ୍ଟାଣ୍ଟ ୮୦୦ ଟଙ୍କା ଅନୁସାରେ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ସର୍ବମୋଟ ୩୧୦୦ ଟଙ୍କା ପାଉଥିଲେ। କିନ୍ତୁ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ ଟଙ୍କା ବୃଦ୍ଧି କରିଥିବାରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ଆଶା କରିଥିଲେ। ତେବେ ଚାଷୀ ମାନଙ୍କ ଆଶା କୁ ପାଣିରେ ଭସାଇ ଦେଇଛନ୍ତି ସରକାର। ରାଜ୍ୟ ସରକାର କେନ୍ଦ୍ରରୁ ନିର୍ଦ୍ଧାରିତ ହେଉଥିବା ଇନପୁଟ୍‌ ଆସିଷ୍ଟାଣ୍ଟ ୬୯ଟଙ୍କାକୁ ହ୍ରାସ କରି ଦେଇଥିବାରୁ ଚାଷୀଙ୍କ ଇନପୁଟ୍‌ ଆସିଷ୍ଟାଣ୍ଟ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କାରୁ ଖସି ୭୩୧ ଟଙ୍କା ହୋଇଛି ଯାହା ଚାଷୀ ମାନଙ୍କ ମନରେ ଗଭୀର ଦୁଃଖ ଦେଇଛି।

ବରଗଡ଼ ଗୋବିନ୍ଦପାଲିର ଜଣେ ଚାଷୀ ସୁବଳ ପ୍ରଧାନ କହିଛନ୍ତିଯେ, କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୬୯ଟଙ୍କା ବୃଦ୍ଧି କରିଥିବାରୁ ସେ ଏଥର ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ଆଶା ରଖିଥିଲେ। ମାତ୍ର ତାହା ହେଲାନି। ତେବେ ଆଗରୁ ତାଙ୍କୁ ଧାନ କୁଇଣ୍ଟାଲ ବାବଦକୁ ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ମିଳୁଥିଲା, ମାତ୍ର ଏଥର ଧାନ କୁଇଣ୍ଟାଲ ପ୍ରତି ୭୩୧ ଟଙ୍କା ଏବଂ ଏମ୍‌ଏସପି ବାବଦକୁ ୨୩୬୯ ଟଙ୍କା ପାଇଥିବା ସୁବଳ କହିଛନ୍ତି। ସେହିପରି ଚାଷୀନେତା ଏକାଦଶିଆ ସାହୁ କହିଛନ୍ତି, ନିର୍ବାଚନ ପୂର୍ବରୁ ଭାଜପା ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଦେବ ବୋଲି କହିଥିଲା। ଚାଷୀମାନେ ବିଶ୍ୱାସ କରି ପରିବର୍ତ୍ତନ ଆଶାରେ ମତଦାନ କରି ବିଜେପିକୁ କ୍ଷମତାକୁ ଆଣିଲେ। ଆଉ ଏବେ ଚାଷୀଙ୍କୁ ଏକ ବଡ ଧୋକା ମିଳିଛି ବୋଲି ସାହୁ କହଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ