Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟାଚ୍ୟୁ ଅଫ୍ ୟୁନିଟିର ପ୍ରଖ୍ୟାତ ନିର୍ମାତା ରାମ ସୁତାରଙ୍କ ପରଲୋକ

ନୂଆଦିଲ୍ଲୀ,୧୮|୧୨: ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ହେଉଛି ଷ୍ଟାଚ୍ୟୁ ଅଫ୍ ୟୁନିଟି | ଯାହାର ଡିଜାଇନର ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାର। ଗତ କାଲି ମଧ୍ୟରାତ୍ରରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ସେ ୧୦୦ ବର୍ଷ ବୟସରେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପୁଅ ଅନିଲ ସୂତାର ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, “ଗଭୀର ଦୁଃଖର ସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ମୋ ବାପା ରାମ ଭାଞ୍ଜୀ ସୂତାରଙ୍କ ୧୭ ଡିସେମ୍ବର ମଧ୍ୟରାତ୍ରରେ ଆମ ବାସଭବନରେ ପରଲୋକ ଘଟିଛି।”

ଖାଲି ଷ୍ଟାଚ୍ୟୁ ଅଫ୍ ୟୁନିଟି ନୁହେଁ, ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ଧ୍ୟାନ ମୁଦ୍ରାରେ ବସିଥିବା ଏବଂ ଛତ୍ରପତି ଶିବାଜୀଙ୍କ ଘୋଡା ଚଢ଼ିଥିବା ପ୍ରତିମୂର୍ତ୍ତିର ମଧ୍ୟ ସେ ନିର୍ମାଣ କରିଥିଲେ। ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ | ସୂଚନା ଅନୁସାରେ, ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିବା ରାମ ଭାଞ୍ଜୀ ସୂତାର ଛଅ ଦଶନ୍ଧି ଧରି ଏକ ପ୍ରଖ୍ୟାତ ମୂର୍ତ୍ତିକାର ଭାବେ କାମ କରିଥିଲେ। ତାଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେବଳ ସେତିକି ନୁହେଁ ସମ୍ପ୍ରତି ମହାରାଷ୍ଟ୍ର ସରକାର ତାଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ମହାରାଷ୍ଟ୍ର ଭୂଷଣ’ରେ ମଧ୍ୟ ସମ୍ମାନିତ କରିଛନ୍ତି। ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ଟାଗୋର ପୁରସ୍କାର ଆଦି ପ୍ରଦାନ କରାଯାଇଥିଲା।

ପ୍ରଖ୍ୟାତ ମୂର୍ତ୍ତିକାର ରାମ ସୂତାର ୧୯ ଫେବୃଆରୀ ୧୯୨୫ ମସିହାରେ ମହାରାଷ୍ଟ୍ରର ଧୂଲେ ଜିଲ୍ଲାର ଗୋଣ୍ଡୁର ଗ୍ରାମରେ ଏକ ସାଧାରଣ ବଢ଼େଇ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ହିଁ ତାଙ୍କର କଳା ପ୍ରତି ଗଭୀର ରୁଚି ରହିଥିଲା | ତାଙ୍କର ଏହି କଳା ପ୍ରତି ଅହେତୁକ ଆଗ୍ରହକୁ ଦେଖି ତାଙ୍କ ଗୁରୁ ରାମକୃଷ୍ଣ ଜୋଶୀ ତାଙ୍କୁ ମୁମ୍ବାଇର ପ୍ରତିଷ୍ଠିତ ଜେ.ଜେ. କଳା ବିଦ୍ୟାଳୟରେ ନାମ ଲେଖାଇବାକୁ ଉତ୍ସାହିତ କରିଥିଲେ। ସେହିଠାରୁ ତାଙ୍କର ମୂର୍ତ୍ତି ର୍ନିମାଣ କରିବାର ଯାତ୍ରା ଆରମ୍ଭ ହୋଇଥିଲା, ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିବାର ସୁଯୋଗ ପ୍ରଦାନ କରିଥିଲା।

୧୯୫୯ ମସିହାରେ ରାମ ସୂତାର ଦିଲ୍ଲୀ ଆସି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ | କିନ୍ତୁ କଳା ପ୍ରତି ଗଭୀର ଆଗ୍ରହ ହେତୁ ସରକାରୀ ଚାକିରିକୁ ଛାଡି ମୂର୍ତ୍ତିକଳା ପାଇଁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିଲେ। ୧୯୬୧ରେ ଗାନ୍ଧୀ ସାଗର ଡ୍ୟାମରେ ତାଙ୍କର ୪୫ ଫୁଟ ଉଚ୍ଚ ଦେବୀ ଚମ୍ବଲଙ୍କ ପ୍ରତିମୂର୍ତ୍ତି ତାଙ୍କୁ ଜାତୀୟ ସ୍ତରରେ ପରିଚିତି ଆଣିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ