ବୋହୂ ନିଜ ମାଆ ସହି ମିଶି ନେଲା ଶାଶୁର ଜୀବନ!
ଅନୁଗୁଳ,୧୮|୧୨: ଶାଶୁ ବୋହୁ ଭିତରେ ଝଗଡା ହେବାଟା ସାଧାରଣ କଥା | କିନ୍ତୁ ରାଗରେ ଉତ୍ତ୍ୟକ୍ତ ହୋଇ କାହାର ଜୀବନ ନେବା ଏହା ଜମା ସାଧାରଣ କଥା ନୁହେଁ | ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ | ଯେଉଁଠି ପାରିବାରିକ କଳହକୁ ଆଧାର କରି ବୋହୁ ତାଙ୍କ ମା ସହ ମିଶି ଶାଶୁଙ୍କର ଜୀବନ ନେଇଛନ୍ତି | ଅନୁଗୁଳ ସଦର ଥାନା ଖଲାରୀରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ତେବେ ବିଳମ୍ବିତ ରାତିରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି |
ନିଜର ମାଆ ସହ ମିଶି ସରିତା ସାହୁ ଶାଶୁ କୁନି ନାୟକଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତ ଶାଶୁଙ୍କ ପୁଅ କାହ୍ନୁ ନାୟକ । ତାଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ମନୋମାଳିନ୍ୟ ରହି ଆସିଛି। ଆଉ ଏବେ ଝଗଡାରୁ ରାଗି ହାତୁଡ଼ିରେ ପିଟି ଶାଶୂଙ୍କ ଜୀବନ ନେଇଛନ୍ତି ବୋହୂ ଓ ସମୁଦୁଣୀ। ଘଟଣା ପରେ ପୁଲିସ ବୋହୂ ଓ ସମୁଦୁଣୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି |
ସୂଚନା ଅନୁସାରେ, କାହ୍ନୁ ନାୟକ ଗତକାଲି ରାତିରେ କାମରୁ ଘରକୁ ଫେରିବା ପରେ ସ୍ତ୍ରୀ ସରିତା, ମାଆ ପାଖ ରୁମରେ ସୋଇଛନ୍ତି ବୋଲି ତାଙ୍କୁ କହିଥିଲେ। ତେବେ ପୁଅ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବହୁତ ରକ୍ତ ବାହାରୁଥିଲା।
ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଖଲାରୀ ଗଡ଼ପଦା ସାହିର କୁନି ନାୟକ (୪୭)ଙ୍କ ସହିତ ଗତକାଲି ରାତିରେ ବୋହୂ ସରିତା ସାହୁଙ୍କର କୌଣସି କାରଣରୁ ଝଗଡା ଆରମ୍ଭ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ବୋହୂ ସରିତା ଏକ ହାତୁଡ଼ିରେ ଶାଶୂଙ୍କୁ ପିଟି ଜୀବନ ନେଇଥିବା କୁହାଯାଉଛି। ତେବେ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ପୁରା ଘଟଣାର ତଦନ୍ତ କରିଛି| ହତ୍ୟାକାଣ୍ଡ ଘଟାଇଥିବା ଘଟଣାରେ ପୁଲିସ ବୋହୂ ସହିତ ତାଙ୍କ ମାଆକୁ ଅଟକ ରଖି ପଚରାଉଚରା କରିଥିବା ଜଣା ପଡିଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇଛି |

