ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ପକ୍ଷରୁ ସମ୍ବଲପୁର ବନ୍ଦ ଡାକରା ; ଟ୍ରେଡ ୟୁନିୟନ ଓ ବିଜେଡି ସମର୍ଥନ ଜଣାଇଲା
ସମ୍ୱଲପୁର,୧୯|୧୨: ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା । ଖରିଫ ଧାନ କିଣାରେ ଅବ୍ୟବସ୍ଥା କାରଣରୁ କୃଷକ ସଂଗଠନ ନେଇଛି ଏଭଳି ନିଷ୍ପତ୍ତି। ସୂଚନା ଅନୁସାରେ, ଆଜି ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁରରେ ଏହି ଆନ୍ଦୋଳନ ଚାଲିବ | ଶହ ଶହ ସଂଖ୍ୟାରେ ଚାଷୀ ଏହି ଆନ୍ଦୋଳନରେ ସାମିଲ ହେବେ । ଏହି ଆନ୍ଦୋଳନ ଡ଼ାକରାରେ ସବୁ କିଛି ବନ୍ଦ ଥିବା ବେଳେ ଜରୁରୀ ସେବା ଏବଂ ଜାତୀୟ ରାଜପଥ ଓ ରେଳକୁ ବାଦ ଦିଆଯାଇଛି।
ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମାନେ ବାରମ୍ବାର ପ୍ରତିବାଦ କରି ଆସୁଥିଲେ | କୋଉଠି ମଣ୍ଡିରେ କଟନି ଛଟନି ସମସ୍ୟା ତା ପୁଣି କୋଉଠି ଧାନ ଉଠାଣକୁ ନେଇ ସମସ୍ୟା | ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସମାଧାନ ହୋଇପାରିଲା ନାହିଁ | ତେଣୁ ସମସ୍ୟାର ସମାଧାନ ଦାବିରେ ଆଜି ସମ୍ବଲପୁର ବନ୍ଦ କରିଛନ୍ତି ଚାଷୀ ସଂଗଠନ । ବିଭିନ୍ନ ପ୍ରମୁଖ ଛକ ଉଡ଼ିକରେ, ଶହ ଶହ ଚାଷୀ ଏହି ବନ୍ଦ ଡ଼ାକରାରେ ସାମିଲ ହୋଇଛନ୍ତି |
ବିଭିନ୍ନ ଟ୍ରେଡ ୟୁନିୟନ ଓ ବିଜେଡି ଦଳ ମଧ୍ୟ ସମର୍ଥନ ଜଣାଇବା ସହିତ ଏହି ଆନ୍ଦୋଳନରେ ସାମିଲ ହୋଇଛି | ଧାର୍ଯ୍ୟ ହୋଇଥିବା ତାରିଖର ଗୋଟିଏ ମାସ ବିଳମ୍ବରେ ପଶ୍ଚିମ ଓଡିଶାରେ ଧାନ ମଣ୍ଡି ଆରମ୍ଭ ହେଇଥିବା ବେଳେ ଧାନ ଉଠାଣ ଓ ଟୋକାନ ବ୍ୟବସ୍ଥା ମଧ୍ୟ ଅଚଳ ହୋଇପଡିଛି। ସରକାର ଚାଷୀଙ୍କୁ ଟୋକନ ପହଞ୍ଚାଇବାରେ ଅସମର୍ଥ ହୋଇଛନ୍ତି | ଏହାର ପ୍ରତିବାଦରେ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କିଛିଦିନ ତଳେ ମଧ୍ୟ ବରଗଡ଼ରେ ମଧ୍ୟ ଅନେକ ସମସ୍ୟା ଦେଖାଯାଇଥିଲା ଧାନ ଉଠାଣକୁ ନେଇ | ଧାନରେ ପଇସା କାଟିବାକୁ ନେଇ ଅନେକ ଚାଷୀ ନିରାଶ ହୋଇଛନ୍ତି| ମଣ୍ଡି ଖୋଲିବା ପରେ ମଧ୍ୟ ଅନେକଙ୍କୁ ଟୋକନ ମିଳିନଥିବା ଅଭିଯୋଗ ଆସିଥିଲା | ଏହା ଶହ ଶହ ଚାଷୀଙ୍କୁ ନିରାଶ କରିଛି |

