ଜିଲ୍ଲା ଅନୁସୂଚିତ ଜାତି ସୁରକ୍ଷା ସମିତି ତରଫରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ବୀରମହାରାଜପୁର ଗସ୍ତ କୁ ବିରୋଧ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାନଦୀ ନେତ୍ର ଚିକିତ୍ସାଳୟକୁ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଗସ୍ତ ସ୍ଥଗିତ ରଖିବାକୁ ବୀରମହାରାଜପୁର ଥାନାର ଦ୍ୱାରସ୍ଥ ହୋଇଛି ଜିଲ୍ଲା ଅନୁସୂଚିତ ଜାତି ସୁରକ୍ଷା ସମିତି। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଳିଙ୍ଗ ନକଲି ଜାତି ପ୍ରମାଣ ପତ୍ର ହାତେଇଥିବା ଅଭିଯୋଗରେ ମାନ୍ୟବର ନ୍ୟାୟାଳୟଙ୍କ ତରଫରୁ ପ୍ରମାଣିତ ହୋଇସାରିଥିବା ସତ୍ତ୍ୱେ ତାଙ୍କୁ କାହିଁକି ମାନ୍ୟବର ଓଡିଶା ସରକାର ସମ୍ମାନସ୍ପଦ କ୍ୟାବିନେଟ ମନ୍ତ୍ରୀ ପଦବୀରେ ରଖିଛନ୍ତି ଏବଂ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ସଙ୍ଗିନ୍ ଅଭିଯୋଗ ଆଣିବା ସହିତ ତାଙ୍କ ବୀରମହାରାଜପୁର ଗସ୍ତକୁ ତୀବ୍ର ବିରୋଧ କରାଯିବ ବୋଲି ଜିଲ୍ଲା ଅନୁସୂଚିତ ଜାତି ସୁରକ୍ଷା ସମିତି ତରଫରୁ ଥାନାରେ ଦାବିପତ୍ର ପ୍ରଦାନ କରାଯାଇଛି। ନକଲି ଜାତି ପ୍ରମାଣ ପତ୍ର ହାତେଇବା ସହିତ ଡ଼. ମୁକେଶ ମହାଲିଙ୍ଗ ଅନୁସୂଚିତ ଜାତି ପାଇଁ ଆସୁଥିବା ପ୍ରତ୍ୟେକ ସୁବିଧା ସୁଯୋଗର ଭରପୁର ଫାଇଦା ଉଠେଇବା ସହିତ ଅନୁସୂଚିତ ବର୍ଗର ସଂରକ୍ଷିତ ସିଟରୁ ବିଧାନ ସଭା ସଦସ୍ୟ ଏବଂ କ୍ୟାବିନେଟ ମନ୍ତ୍ରୀ ପଦବୀ ହାତେଇଛନ୍ତି ବୋଲି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ଅନୁସୂଚିତ ଜାତି ସୁରକ୍ଷା ସମିତିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପୃଥ୍ଵୀରାଜ ଜଗଦଲା। ତେଣୁ ତାଙ୍କୁ ଅବିଳମ୍ବେ ଗିରଫ କରାଯାଉ ଏବଂ ସେ ଆତ୍ମସାତ କରୁଥିବା ସରକାରୀ ଅର୍ଥରାଶିର ଭରଣା କରାଯାଉ ଏବଂ ତାଙ୍କ ବୀରମହାରାଜପୁର ଗସ୍ତକୁ ବାତିଲ କରାଯାଉ ବୋଲି ଜିଲ୍ଲା ଅନୁସୂଚିତ ଜାତି ସୁରକ୍ଷା ସମିତି ତରଫରୁ ବୀରମହାରାଜପୁର ଥାନାରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ତାଙ୍କ ଦାବିପତ୍ରକୁ ଅଣଦେଖା କଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରାଯିବ ଏବଂ ଏଥିପାଇଁ ସରକାର, ସରକାରୀ କଳ ଏବଂ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବେ ବୋଲି ପୃଥ୍ୱୀରାଜ ଜଗଦଲା ଚେତାବନୀ ଦେଇଛନ୍ତି।

