ବାଂଲାଦେଶରେ ଥମୁନି ହିଂସା; ସିଙ୍ଗରଙ୍କ କନସର୍ଟରେ ପଥର ମାଡ
ଢାକା: ବାଂଲାଦେଶର ଫରିଦପୁରରେ ଲୋକପ୍ରିୟ ଗାୟକ ଜେମ୍ସଙ୍କ କନସର୍ଟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଯେଉଁଥିରେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଥିଲା ଯେତେବେଳେ ସଭାସ୍ଥଳରେ କିଛି ଦୁର୍ବୃତ୍ତ ପ୍ରବେଶ କରି ଉପସ୍ଥିତ ଲୋକଙ୍କ ଉପରେ ପଥର ଏବଂ ଢେଲା ମାଡ ଆରମ୍ଭ କରିଥିଲେ।ଯାହାଫଳରେ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡ଼ିଥିଲା।
ଏହି ଆକ୍ରମଣ ପରେ ବାଂଲାଦେଶୀ ଲେଖିକା ତସଲିମା ନସରିନ ଇନଷ୍ଟାଗ୍ରାମରେ ଘଟଣାର ଏକ ଭିଡିଓ ସେୟାର କରି ଦେଶରେ ଗାୟକ ଏବଂ କଳାକାରଙ୍କ ଉପରେ ହେଉଥିବା ଏପରି ଆକ୍ରମଣକୁ କଡା ନିନ୍ଦା କରି ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ସାଂସ୍କୃତିକ କେନ୍ଦ୍ର ଛାୟାନାଟ ପୋଡ଼ି ପାଉଁଶ ହୋଇଯାଇଛି ଓ ଉଦିଚି (ଏକ ସଂଗଠନ ଯାହାର ଉଦ୍ଦେଶ୍ୟ ସଂଗୀତ, ଥିଏଟର, ନୃତ୍ୟ, କବିତା ପାଠ ଏବଂ ଲୋକ ସଂସ୍କୃତିକୁ ପ୍ରୋତ୍ସାହିତ କରି ଧର୍ମନିରପେକ୍ଷ ଏବଂ ପ୍ରଗତିଶୀଳ ଚେତନା କୁ ସମର୍ଥନ କରିବା)ତାହା ମଧ୍ୟ ପାଉଁଶ ହୋଇଯାଇଛି।”ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଦିନ ପୂର୍ବରୁ ଉସ୍ତାଦ ଆଲାଉଦ୍ଦିନ ଖାନଙ୍କ ନାତି ସିରାଜ ଅଲି ଖାନ ଢାକା ଗସ୍ତ କରିଥିଲେ କିନ୍ତୁ ସେଠାରେ କଳାକାର, ସଙ୍ଗୀତ ଏବଂ ସାଂସ୍କୃତିକ ପ୍ରତିଷ୍ଠାନ ଅସୁରକ୍ଷିତ ହୋଇ ଯାଇଥିବାରୁ ସେ ଭାରତ ଫେରି ଆସିଥିଲେ। ଆହୁରି ମଧ୍ୟ ଦୁଇ ଦିନ ପୂର୍ବରୁ ଉସ୍ତାଦ ରସିଦ ଖାନଙ୍କ ପୁଅ ଅରମାନ ଖାନ ମଧ୍ୟ ଢାକା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ।” ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପଳାୟନ ପରେ ବାଂଲାଦେଶରେ ଏପରି ଘଟଣା ବଢ଼ିବାରେ ଲାଗିଛି। ବାଂଲାଦେଶରେ ଫେବୃଆରୀ ୧୨ ରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ହେଉଛି।

