ନିଜ ଜନ୍ମକଲା ଛୁଆକୁ ଖାଇଦେଲା ମା’ବାଘୁଣୀ!
ଭୁବନେଶ୍ୱର, 29।12: ପ୍ରଥମ ଥର ପାଇଁ ବାଘୁଣୀ ଜୟଶ୍ରୀ, ମା’ ହେଲା। ଏବଂ ତିନୋଟି ଛୁଆକୁ ଜନ୍ମ ଦେଇଥିଲା। କିନ୍ତୁ ଶେଷରେ ନିଜ ଛୁଆକୁ ହିଁ ଖାଇଦେଲା। ଜନ୍ମଦେଇ ନିଜ ଛୁଆକୁ ନିଜେ ଖାଇଦେଲା। ତିନି ଛୁଆରୁ ଗୋଟିଏ ମରିଗଲା, ଆଉ ଗୋଟାକୁ ନିଜେ ବାଘୁଣୀ ମାରିଦେଲା। ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ବାରଙ୍ଗ ସ୍ଥିତ ଜୁଲୋଜିକାଲ ପାର୍କରେ। ସୂଚନା ଅନୁସାରେ, ୩ ବର୍ଷୀୟ ବାଘୁଣୀ ଜୟଶ୍ରୀ ପ୍ରଥମ ଥର ପାଇଁ ପିଲା ଜନ୍ମ କରିଥିଲା। ଜୟଶ୍ରୀ ଗର୍ଭଧାରଣର ସମୟ ୧୦୧ ଦିନ ପରେ ଗତ ୨୭ ଡିସେମ୍ବରରେ ତିନିଟି ବାଘ ଛୁଆ ଜନ୍ମ ଦେଇଥିଲା। ଏହା ପ୍ରଥମ ପ୍ରସବ ହୋଇଥିବା ସତ୍ତ୍ୱେ ବାଘୁଣୀ ଜୟଶ୍ରୀ ମଧ୍ୟରେ ଛୁଆଙ୍କୁ ନେଇ ସେପରି ମାତୃସ୍ନେହ ଦେଖାଯାଇ ନଥିଲା। କି ସେ ଛୁଆମାନଙ୍କୁ ଠିକ୍ଭାବେ ଦାୟିତ୍ୱ ନେଇପାରି ନଥିଲା।
ତେବେ ପ୍ରଥମ ଛୁଆ ଦିନ ପ୍ରାୟ ୧୧ଟା ୫୫ ମିନିଟ୍ରେ ଜନ୍ମ ହୋଇଥିଲା କିନ୍ତୁ ବାଘୁଣୀ ଛୁଆଟି ପ୍ରତି କୌଣସି ଯତ୍ନ ନ ନେଇଥିବାରୁ, ଏହାକୁ ତୁରନ୍ତ ନିଓନେଟାଲ କେୟାର ୟୁନିଟ୍କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା ବେଳେ ଜୁ ଭେଟେରିନାରୀ ଡାକ୍ତରମାନଙ୍କ ନିରୀକ୍ଷଣ ରେ ରହିଛି।
ଅନ୍ୟପଟେ ବାଘୁଣୀ ଜୟଶ୍ରୀ ଦ୍ୱିତୀୟ ଛୁଆକୁ ଦିନ ୩ଟା ୩୩ ମିନିଟ୍ରେ ଜନ୍ମ ଦେଇଥିଲା। ଦ୍ଵିତୀୟ ଛୁଆ ଜନ୍ମ ସମୟରୁ ବହୁତ ଦୁର୍ବଳ ଥିଲା। ଛୁଆଟିକୁ ସମ୍ଭାଳୁଥିବା ସମୟରେ ବାଘୁଣୀ ଜୟଶ୍ରୀ ହଠାତ ତା’ ଉପରେ ପଡିଯାଇଥିବାରୁ ଛୁଆଟି ଗୁରୁତର ଭାବେ ଆହତ ହୋଇଥିଲା। ତେବେ ବାଘୁଣୀ ଠୁ ସଙ୍ଗେ ସଙ୍ଗେ ଅଲଗା କରାଯାଇଥିଲେ ମଧ୍ୟ ଛୁଆଟି ଗଭୀର ଆଘାତ ପାଇଥିବା କାରଣରୁ ସେଠାରେ ମୃତ୍ୟୁବରଣ କରିଥିଲା। ଏହା ପରେ ଜୟଶ୍ରୀ ତୃତୀୟ ଛୁଆକୁ ୪ଟା ୫୫ ମିନିଟ୍ରେ ଜନ୍ମ ଦେଇଥିଲା କିନ୍ତୁ କିଛି ସମୟ ପରେ ବାଘୁଣୀ ନିଜେ ଏହାକୁ ଖାଇଦେଇଥିଲା। ତେବେ ତିନୋଟି ଛୁଆ ମଧ୍ୟରୁ ଏବେ ଦୁଇଟି ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଛୁଆ ଜୀବିତ ରହିଛି।
ସୂଚନା ମୁତାବକ ଜୟଶ୍ରୀ ଜନ୍ମ ଦେଇଥିବା ବାଘ ଛୁଆ ଜନ୍ମ ସହ ମିଶାଇ ନନ୍ଦନକାନନ ଜୁଲୋଜିକାଲ ପାର୍କରେ ସମୁଦାୟ ବାଘଙ୍କ ସଂଖ୍ୟା ବୃଦ୍ଧି ହୋଇ ୨୯ରେ ପହଁଚିଛି। ଏଥି ମଧ୍ୟରୁ ୧୮ଟି ପୁରୁଷ ବାଘ ଥିବା ବେଳେ ୧୧ଟି ମହିଳା ବାଘ ରହିଛନ୍ତି।

