ଜାନୁଆରୀ ୧ରୁ ହୋଇପାରେ ଏହି ସବୁ ପରିବର୍ତ୍ତନ
ନୂଆଦିଲ୍ଲୀ: ଜାନୁଆରୀ ୧ ତାରିଖରୁ ସାଧାରଣ ଲୋକଙ୍କ ଜୀବନରେ ଅନଲାଇନ୍ ରାସନ୍ କାର୍ଡ ଠାରୁ ଆରମ୍ଭ କରି ୮ମ ବେତନ କମିଶନ ଲାଗୁ ହେବା ପର୍ଯ୍ୟନ୍ତ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାନୁଆରୀ ୨୦୨୬ ରୁ ଲାଗୁ ହେଉଥିବା ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ବଜେଟ୍, ଖର୍ଚ୍ଚ ଏବଂ ଦୈନନ୍ଦିନ ଆବଶ୍ୟକତାକୁ ସିଧାସଳଖ ପ୍ରଭାବିତ କରିପାରେ ବୋଲି କୁହାଯାଉଛି।
୨୦୨୬ ଜାନୁଆରୀ ୧ ତାରିଖରୁ ସାରା ଦେଶରେ ୮ମ ବେତନ କମିଶନ କାର୍ଯ୍ୟକାରୀ ହେବା ନେଇ ଆଶା କରାଯାଉଛି।ଯାହାଫଳରେ ଦରମା ଏବଂ ପେନସନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ବର୍ଷ ୨୦% ରୁ ୩୫% ପର୍ଯ୍ୟନ୍ତ ଦରମା ବୃଦ୍ଧି ହୋଇପାରେ ବୋଲି କୁହା ଯାଉଛି।ଏଥିସହିତ ନୂତନ ବର୍ଷ ରେ ସରକାର ସାମଗ୍ରୀ ଏବଂ ସେବା ଉପରେ GST ହ୍ରାସ କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି।ଯାହା ସାଧାରଣ ଲୋକଙ୍କ ଖର୍ଚ୍ଚ କୁ ହ୍ରାସ କରିବାରେ ସହାୟ ହୋଇପାରିବ।ତେବେ ଏକ ନୂତନ ଆୟକର ବିଲ୍ ମଧ୍ୟ ପାରିତ ହୋଇଛି, ଯାହା ଟିକସ ସ୍ଲାବ୍ ଏବଂ ନିୟମରେ ଅନେକ ପରିବର୍ତ୍ତନ ଆଣିଛି।ଯାହାଦ୍ଵାରା ବେତନଭୋଗୀ କର୍ମଚାରୀ, ଛୋଟ ବ୍ୟବସାୟ ଏବଂ ସାଧାରଣ ଗ୍ରାହକଙ୍କୁ ଲାଭ ପହଞ୍ଚାଇବ।
ଏହାବ୍ୟତୀତ ଜାନୁଆରୀ ୧ ତାରିଖରୁ ନୂତନ ରାସନ କାର୍ଡ ତିଆରି କରିବା ଠାରୁ ଆରମ୍ଭ କରି ନାମ ଯୋଡ଼ିବା, ଡିଲିଟ କରିବା କିମ୍ବା ସଂଶୋଧନ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ହେବ। ମୋବାଇଲ୍ ଫୋନ୍ କିମ୍ବା କମ୍ପ୍ୟୁଟର ବ୍ୟବହାର କରି ଘରୁ ଲୋକମାନେ ଆବେଦନ କରିପାରିବେ।ଏହାଦ୍ଵାରା ବିଶେଷକରି ଗ୍ରାମାଞ୍ଚଳ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକମାନେ ସୁବିଧା ପାଇପାରିବେ।
ଯଦି ଆପଣ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଆପଣଙ୍କର ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାନ୍ତି ତାହେଲେ ଏହା ୧ ଜାନୁଆରୀ ୨୦୨୬ ରୁ ନିଷ୍କ୍ରିୟ ହୋଇପାରେ।ଯାହାଦ୍ଵାରା ବ୍ୟାଙ୍କିଂ କାର୍ଯ୍ୟରେ ବାଧା ସୃଷ୍ଟି ହେବାସହ ଆୟକର ରିଟର୍ଣ୍ଣ, ଋଣ, ନିବେଶ ଏବଂ ବଡ଼ କାରବାର ଇତ୍ୟାଦି ପ୍ରଭାବିତ ହେବ।
୨୦୨୬ ରେ EPFO EPF ଉଠାଣ ନିୟମକୁ ସରଳ କରିଦିଆଯାଇଛି।ପୂର୍ବରୁ ଯାହାକୁ ୧୩ଟି ଭିନ୍ନ ଭିନ୍ନ ସର୍ତ୍ତାବଳୀ ରେ ବିଭକ୍ତ କରାଯାଇଥିଲା ବର୍ତ୍ତମାନ ତାହା ତିନୋଟି ଭାଗରେ ବିଭକ୍ତ ହୋଇଛି ଯେପରିକି ଅତ୍ୟାବଶ୍ୟକ ଆବଶ୍ୟକତା, ପରିବାରର ଆବଶ୍ୟକତା ଏବଂ ବିଶେଷ ପରିସ୍ଥିତି।ଏହାଦ୍ଵାରା କର୍ମଚାରୀମାନେ କେବେ ସମ୍ପୂର୍ଣ୍ଣ ପାଣ୍ଠି ଉଠାଇପାରିବେ ଓ କେବେ ଆଂଶିକ ପାଣ୍ଠି ଗ୍ରହଣ କରିପାରିବେ ତାହା ସହଜରେ ବୁଝିପାରିବେ।
ତେବେ ୧ ତାରିଖରୁ ବ୍ୟାଙ୍କିଂ ଏବଂ କ୍ରେଡିଟ୍ ସମ୍ବନ୍ଧୀୟ ଅନେକ ପରିବର୍ତନ ହେବା ନେଇ କୁହା ଯାଉଛି। ପୂର୍ବରୁ ୧୫ ଦିନରେ ଅପଡେଟ ହେଉଥିବା କ୍ରେଡିଟ ସ୍କୋର ବର୍ତ୍ତମାନ ପ୍ରତି ସପ୍ତାହରେ ଅପଡେଟ୍ ହେବ। ଏଥିସହିତ SBI, PNB ଏବଂ HDFC ପରି ବ୍ୟାଙ୍କଗୁଡ଼ିକ ଋଣ ଏବଂ FD ର ସୁଧ ହାରରେ ପରିବର୍ତ୍ତନ କରିଥିବା ଜଣାପଡିଛି।

