ଘଞ୍ଚ ଜଙ୍ଗଲ ଭିତରେ ଦମ୍ପତ୍ତିଙ୍କ ବିଷ ପିଇ ଆତ୍ମହତ୍ୟା; ରାତିସାରା ଜଗିଲା ୫ ବର୍ଷର ପୁଅ
ଦେବଗଡ଼,30।12: ଦେବଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶୁଣିଲେ ଯେ କେହି ବି ସ୍ତବ୍ଧ ହୋଇଯିବେ। ଘଞ୍ଚ ଜଙ୍ଗଲ ଭିତରେ ଦମ୍ପତ୍ତିଙ୍କ ବିଷ ପିଇ ମୃତ୍ୟୁ ହୋଇଥିଲା ଏବଂ ରାତିସାରା ଜଗି ରହିଥିଲା 5 ବର୍ଷର ପୁଅ। ଏ କଥା ଶୁଣିଲା ବେଳକୁ ଆଖିରୁ କାହା ଆଖିରୁ ବି ଲୁହ ଝରି ଆସିବ। ସୂଚନା ଅନୁସାରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଦୁଖଦଃ ଘଟଣା ଘଟିଛି। ଯେଉଁଠି ପାରିବାରିକ କଳହକୁ ନେଇ ଦମ୍ପତ୍ତିଙ୍କ ବିଷ ପିଇ ମୃତ୍ୟୁ ହୋଇଥିବା ବେଳେ ୫ ବର୍ଷର ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ ଗୁରୁତର ହୋଇଥିବା ଶିଶୁର କଟକର ଶିଶୁଭବନରେ ଚିକିତ୍ସା ଜାରି ରହିଛି। ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
ତେବେ ମୃତ ଦମ୍ପତ୍ତି ହେଲେ ପଳସମା ପଞ୍ଚାୟତର ଜିୟନ୍ତପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ଓ ସ୍ତ୍ରୀ ରିଙ୍କି ମାଝୀ। ଦୁହେଁ 5ବର୍ଷର ଶିଶୁ କୁ ଧରି ଶଶୁର ଘର ଚଢ଼େଇମରା ପଞ୍ଚାୟତର ଝରାବେରେଣୀ ଗ୍ରାମକୁ ଭୋଜି ଉଦ୍ଦେଶ୍ୟରେ ଯାଇଥିଲେ। ସେଠାରେ ପରିବାର ସଦସ୍ୟଙ୍କ ସହିତ ଭୋଜି ଭାତ ସାରି ଶନିବାର ଫେରିବା ସମୟରେ କୌଣସି ଏକ କାରଣକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା।
ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡା କ୍ରମେ ତୀବ୍ର ରୂପ ନେଲା। ଶେଷରେ ଦୁଷ୍ମନ୍ତ ଓ ରିଙ୍କି ଦଲକ ଛକ ରାସ୍ତା କଡ଼ରେ ବାଇକ୍ ରଖି ୫ ବର୍ଷର ଶିଶୁପୁତ୍ରକୁ ଛାଡ଼ିଦେଇ ଜଙ୍ଗଲ ଭିତରେ ଯାଇ ବିଷ ପିଇ ଦେଇଥିଲେ। ତେବେ ଏହି ଘଟଣାରେ ଦୁଷ୍ମନ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ରିଙ୍କିଙ୍କ ଅବସ୍ଥା ଗୁରୁତର ରହିଥିଲା। ବାପା, ମା କୁ ନ ଆସିବା ଦେଖି ସନ୍ଧ୍ୟା ହେବାରୁ ୫ ବର୍ଷର ଶିଶୁପୁତ୍ର ରିଷି ଉଭୟଙ୍କ ସନ୍ଧାନ ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ଯାଇଥିଲା। ବହୁତ ସମୟ ଧରି ଜଙ୍ଗଲ ଭିତରକୁ ଯାଇ ଏତେ ଶୀତ ରାତିରେ ଖୋଜା ଖୋଜି କରିବା ପରେ ପାଇଥିଲା।
5ବର୍ଷର ଶିଶୁ କଣ ବା କରିବ? କିଛି ଉପାୟ ନ ପାଇ ରାତିସାରା କାନ୍ଦି କାନ୍ଦି ବାପାଙ୍କ ମୃତଦେହ ଏବଂ ଗୁରୁତର ଅବସ୍ଥାରେ ଥିବା ମା’କୁ ଜଗି ରହିଥିଲା। ସକାଳ ହେବା ମାତ୍ରେ ନିଜର ବୁଦ୍ଧି ଦ୍ୱାରା ରାସ୍ତା ପାଖକୁ ଆସି ଯିବାଆସିବା କରୁଥିବା ଲୋକ ମାନଙ୍କୁ ଘଟଣାସ୍ଥଳକୁ ଡାକି ଆଣିଥିଲା। ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତ ଓ ରିଙ୍କିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ତେବେ ଡାକ୍ତରଖାନାରେ ଡାକ୍ତର ବାପା ଦୁଷ୍ମନ୍ତକୁ ମୃତ ଘୋଷଣା କରିଥିବା ବେଳେ ମା’ରିଙ୍କିଙ୍କ ଅବସ୍ଥା ଅତ୍ୟଧିକ ଖରାପ ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ମାତ୍ର ଚିକିତ୍ସାଧୀନ ଅବସ୍ଥାର ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପୁତ୍ର ରିଷି ମଧ୍ୟ ବିଷ ପିଇ ଥିବା ଯୋଗୁ ତାର ମଧ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ତେବେ ତାକୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ଏବଂ ତାର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

