Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ମାମଲା: ହାଇକୋର୍ଟରେ ଜାମିନ ପାଇଁ ଆବେଦନ କଲେ ଅର୍ପିତା ଚୌଧୁରୀ

ଭୁବନେଶ୍ୱର,୩୦|୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ, ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ଗାୟିକା ଅର୍ପିତା ଚୌଧୁରୀ। ତେବେ ସଙ୍ଗୀତକାର ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । କିଛିଦିନ ତଳେ ହ୍ୟୁମାନଙ୍କ ମାଆ ଶେଫାଳି ସୋନା ଅର୍ପିତା ଏବଂ ସୋମେଶଙ୍କ ସମେତ ୯ ଜଣଙ୍କ ନାଁରେ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ । ଏବେ ହ୍ୟୁମାନଙ୍କ ମାଆଙ୍କ ଅଭିଯୋଗ ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଅର୍ପିତା।

ସୂଚନା ଅନୁସାରେ, ତେବେ ଗତ କିଛି ଦିନ ତଳେ ହ୍ୟୁମାନଙ୍କ ମାଆ ଅର୍ପିତା ଏବଂ ସୋମେଶଙ୍କ ସମେତ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ | ଏବଂ ଏତଲାରେ ଗଲା ୩ରୁ ୪ ବର୍ଷ ଭିତରେ ହ୍ୟୁମାନଙ୍କ ଅତି ନିକଟତର ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ ଆଣିବାକୁ ଦାବି କରିଥିଲେ । ସେ ଏତଲାରେ ,ହ୍ୟୁମାନ୍‌ଙ୍କ ପତ୍ନୀ ଶ୍ରେୟା ମିଶ୍ର ଏବଂ ତାଙ୍କ ପରିବାର ସଦସ୍ୟ, ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ତାଙ୍କ ପରିବାର, ସୋମେଶ ଶତପଥୀ, ଦିନେଶ ବେହେରା, ମହମ୍ମଦ ଅବିତ(ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତି ଆଦିକୁ ତଦନ୍ତ ପରିସରଭୁକ୍ତ ଆଣିବାକୁ ସେ କହିଥିଲେ |

ତେବେ ଏହା ପୂର୍ବରୁ ଅର୍ପିତା ଚୌଧୁରୀଙ୍କ ନିକଟରେ ରହିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଅର୍ପିତାଙ୍କ ସହିତ ସୋମେଶଙ୍କ ସମ୍ପର୍କ, ଭୁବନେଶ୍ବରରେ ଥିବା ଅଡିଓ ଷ୍ଟୁଡିଓର ପୁରା ଆର୍ଥିକ କାରବାର ଯାଞ୍ଚ କରିବାକୁ ଅନେକ ଦାବି ହୋଇଥିଲା । ଏହି ସମସ୍ତ ଦିଗ ଉପରେ ସଠିକ ତଦନ୍ତ କରାଯାଉ ଏବଂ ଏହି ଘଟଣା ସମ୍ପର୍କିତ ସମସ୍ତ ପ୍ରମାଣ ନଷ୍ଟ ହେବା ପୂର୍ବରୁ ଏହାକୁ ରୋକିବା ନେଇ ହ୍ୟୁମାନଙ୍କ ମାଆ ଶେଫାଳି ସୋନା ମର୍କତନଗର ଥାନାରେ ଦେଇଥିବା ଅଭିଯୋଗ ଦେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟକୁ ଏତଲାର ଏକ ନକଲ ମଧ୍ୟ ପଠାଇଥିଲେ ।

କେଉଁ ପରିସ୍ଥିତିରେ ଆଉ କିଭଳି ହ୍ୟୁମାନ୍‌ଙ୍କ ମୃତ୍ୟୁ ହେଲା ? ତାହା ଏବେ ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି! ମୃତ୍ୟୁ ପଛରେ କୌଣସି ପ୍ରକାରର ଷଡ଼ଯନ୍ତ୍ର ରହିଛି କି? ଯଥା କୌଣସି ପ୍ରକାରର ନିଶା ଦେବା, ଶାରୀରିକ ଆଘାତ, ମାନସିକ ନିର୍ଯାତନା, ଚାପ, କିମ୍ବା କୌଣସି ପ୍ରକାରର ଆର୍ଥିକ କାରବାର ଚାପ ରହିଥିଲା କି,ନା? ଏ ସମସ୍ତ ଦିଗରୁ ତଦନ୍ତ କରିବାକୁ ହ୍ୟୁମାନଙ୍କ ମାଆ ଶେଫାଳି ସୋନା ପୋଲିସକୁ ଅନୁରୋଧ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ