ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଫସିଲେ ସରପଞ୍ଚ, ଅଯୋଗ୍ୟ ଘୋଷଣା ସହ ନିଲମ୍ବିତ କଲା ଜିଲ୍ଲା ପ୍ରଶାସନ
ବାଲେଶ୍ୱର,୩।୧ : ସରପଞ୍ଚ ନିଲମ୍ବିତ। ମିଥ୍ୟା ସତ୍ୟପାଠ ଅଭିଯୋଗ ଆଧାରରେ ସରପଞ୍ଚ ଭବାନୀ ଜେନାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତର ସରପଞ୍ଚ ଭବାନୀ ଜେନାଙ୍କୁ ନିଲମ୍ଵିତ କରାଯାଇଛି। ମିଥ୍ୟା ସତ୍ୟପାଠ ଦାଖଲ କରିବା କାରଣରୁ ଭବାନୀଙ୍କୁ ନିଲମ୍ବିତ କରିବା ସହିତ ଜିଲ୍ଲା ପ୍ରଶାସନ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛି । ଆଉ ଏବେ ନାଏବ ସରପଞ୍ଚଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସୂଚନା ମୁତାବକ ବ୍ରାହ୍ମଣଦା ପଞ୍ଚାୟତର ସରପଞ୍ଚ ଭବାନୀ ଜେନା ନିର୍ବାଚନ ସମୟରେ ମିଛ ସତ୍ୟପାଠ ଦାଖଲ କରିଥିଲେ। ତାଙ୍କର ୩ଟି ସନ୍ତାନ ଥିବା ବେଳେ ସେ ଦୁଇଟି ସନ୍ତାନ ଥିବା କହିଥିଲେ। ତେବେ ନିୟମ ଅନୁଯାୟୀ ଦୁଇଟିରୁ ଅଧିକ ସନ୍ତାନ ରହିଥିଲେ କୌଣସି ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ଯୋଗ୍ୟ ହେବେନାହିଁ ବୋଲି ଉଲ୍ଲେଖ ରହିଛି। ତେଣୁ ଭବାନୀ ମିଥ୍ୟା ସତ୍ୟପାଠ ଦେଇ ସରପଞ୍ଚ ପଦବୀ ହାତେଇଥିବା ଜଣା ପଡିଥିଲା। ତେବେ ଏହି ଖବର ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିବା ପରେ ଏଥିପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସରପଞ୍ଚ ପଦବୀରୁ ମଧ୍ୟ ନିଲମ୍ବିତ କରିଛି। ଆଉ ଏବେ ସରପଞ୍ଚଙ୍କ ସ୍ଥାନରେ ନାଏବ ସରପଞ୍ଚ ମିନତୀ ଖଟୁଆଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

