ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ; ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତା ଏବଂ ଅନ୍ୟାନ ଅତିଥି କାର୍ଯ୍ୟକ୍ରମରେ ହେଲେ ସାମିଲ
ଭୁବନେଶ୍ୱର,୩।୧: ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ । ସେଥିପାଇଁ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଏକ ବିରାଟ ସମାରୋହର ଆୟୋଜନ କରାଯାଇଛି। ଏହି ସମାରୋହରେ ଅନେକ ପ୍ରମୁଖ ଅତିଥି ଯୋଗଦେବାର ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସ, ବିଜେପି ଦଳର ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରପ୍ପା ମୋଇଲି, ରାଜ୍ୟସଭା ସଦସ୍ୟ ରଣଦୀପ ସୁର୍ଜେୱାଲା, କୋରାପୁଟ ସାଂସଦ ସପ୍ତଗିରି ଉଳ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଆଦି ପ୍ରମୁଖ ନେତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏବଂ ସମସ୍ତ ପ୍ରମୁଖ ଅତିଥି ସମାରୋହରେ ଯୋଗଦେଇ ଜାନକୀ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଆସନ୍ତା ବର୍ଷ ଜାନୁଆୟୀ ୩ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯିବ । ଓଡ଼ିଶାର ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ଇତିହାସରେ ଜାନକୀ ବଲ୍ଲଭଙ୍କ ଅବଦାନ ଅବିସ୍ମରଣୀୟ । ୧୯୨୭ ମସିହା ଜାନୁଆରି ୩ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ମହାନ ନେତା ନିଜର ଦୂରଦର୍ଶୀ ଚିନ୍ତାଧାରା ଓ ନିଜର ରାଜନୀତି ଜ୍ଞାନ ଯୋଗୁଁ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ କେବଳ ଜଣେ ରାଜନେତା ନଥିଲେ, ବରଂ ସେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଏବଂ ବିଦ୍ୱାନ ଥିଲେ। ସଂସ୍କୃତ ଓ ଓଡ଼ିଆ ଭାଷା ଉପରେ ତାଙ୍କର ବହୁତ ଜ୍ଞାନ ରହିଥିଲା।
“ଉଚ୍ଚ କୁଳରେ ଜାତହେବା ଦୈବର ଅଧୀନ କିନ୍ତୁ ପୁରୁଷକାର ମୋର ଅଧୀନ” । ବେଣୀ ସଂହାରମ୍ ନାଟକରେ ମହାବୀର କର୍ଣ୍ଣଙ୍କ ଏହି ସଂଳାପ କେବଳ ଜାନକୀ ବଲ୍ଲଭଙ୍କ ମୂଳମନ୍ତ୍ର ନଥିଲା ବରଂ ନିଜ କର୍ମ ମାଧ୍ୟମରେ ସେ ଏହାକୁ ପ୍ରମାଣିତ କରିଥିଲେ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ। ଗୋଟିଏ ପଟେ ସାହିତ୍ୟ ଓ ସାମ୍ବାଦିକତା ଦାୟିତ୍ୱକୁ ତୁଲାଉଥିବା ବେଳେ ଅନ୍ୟପଟେ ରାଜନୀତି ଦ୍ୱାରା ଲୋକଙ୍କ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ତେବେ ଜାନକୀ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିଥିଲେ। ୧୯୭୧ ମସିହାରେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ତାଙ୍କ ରାଜନୀତି କ୍ୟାରିଅରର ପ୍ରଥମ ସଫଳତା ଥିଲା। ଏହା ପରେ ୧୯୮୦ ମସିହା ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ପାଇଁ ଅପୂର୍ଵ ସଫଳତା ଆଣିଥିଲେ ଜାନକୀ। ଜାନକୀ ବଲ୍ଲଭଙ୍କ ସାଂଗଠନିକ ଦକ୍ଷତା ଉପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଖଣ୍ଡ ବିଶ୍ୱାସ ରହିଥିଲା । ଇନ୍ଦିରା ଗାନ୍ଧୀ ତାଙ୍କୁ ଶ୍ରମ, ପର୍ୟ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର ମନ୍ତ୍ରୀର ଦାୟିତ୍ୱ ତାଙ୍କୁ ଦେଇଥିଲେ।
ଲୋକସଭା ନିର୍ବାଚନର ପରେ ହୋଇଥିଲା ଓଡିଶାରେ ବିଧାନସଭା ନିର୍ବାଚନ । ସେହି ନିର୍ବାଚନରେ ଜାନକୀଙ୍କ ନେତୃତ୍ୱରେ କଂଗ୍ରେସ ବିଜୟ ହାସଲ କରିଥିଲା । ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ । ତାହାପରେ ୧୯୮୫ ମସିହାରେ ମଧ୍ୟ ତାଙ୍କରି ନେତୃତ୍ୱରେ ଦଳ ବିଜୟ ଲାଭ କଲା ଓ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତେବେ ୧୯୯୫ ମସିହାରେ ମଧ୍ୟ ଜାନକୀଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଜିତି କଂଗ୍ରେସ ଦଳ ନିଜର ସରକାର ଗଠନ କରିଥିଲା। ଏବଂ ଜାନକୀ ପଟ୍ଟନାୟକ ତୃତୀୟଥର ପାଇଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ। ଶେଷରେ, ୨୦୦୯ରୁ ୨୦୧୪ ଯାଏଁ ଆସାମର ରାଜ୍ୟପାଳ ଭାବେ ନିଜର କାର୍ଯ୍ୟ ନିର୍ବାହ ତୁଲାଇଥିଲେ ।
ଓଡ଼ିଶାକୁ ଏକ ଶିଳ୍ପ ବିକାଶିତ ରାଜ୍ୟରେ ପରିଣତ କରିବାରେ ଜାନକୀ ବଲ୍ଲଭଙ୍କ ବହୁତ ଅବଦାନ। ହଜାରେ ଦିନରେ ହଜାର ଶିଳ୍ପ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବା କାରଣରୁ ଓଡ଼ିଶାରେ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିକାଶ ହୋଇଥିଲା । ତାଙ୍କ ଦ୍ୱାରା କୃଷି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇଥିଲା । ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସମୟରେ ୧୯୮୦ ମସିହାରେ ଓମଫେଡ୍ ପ୍ରତିଷ୍ଠା ହୋଇଥିଲା। ସେହିପରି ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ଓପୋଲଫେଡ୍ ମଧ୍ୟ ତାଙ୍କରି ସମୟରେ କାର୍ଯ୍ୟକାରୀ ହୋଇଥିଲା । ହୋଟେଲକୁ ଶିଳ୍ପର ମାନ୍ୟତା ଦେବା ସହ ସିନେମା ଜଗତର ବିକାଶ ପାଇଁ ଓଡ଼ିଶାରେ କଳିଙ୍କ ଷ୍ଟୁଡିଓର ସ୍ଥାପନ କରାଯାଇଥିଲା।

