ଓଡ଼ିଶାରେ,ଖୁବ ଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମହମ୍ମଦ ମୋକିମ
ଭୁବନେଶ୍ୱର,୩।୧: ଗତ କିଛି ଦିନରୁ ଏକ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଜି ସେ ଦ୍ୱନ୍ଦ୍ୱର ଅନ୍ତ ହୋଇଛି। ଓଡ଼ିଶାରେ ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଏନେଇ ସ୍ପଷ୍ଟ କରିଛନ୍ତି ପୂର୍ବତନ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ। ଗଣମାଧ୍ୟମରେ ସ୍ପଷ୍ଟ ପ୍ରତିକ୍ରିୟା ଦେଇଛନ୍ତି ମୋକିମ। ସେ କହିଛନ୍ତି ଯେ, ରାଜ୍ୟରେ ଅନେକ ଯୁବ ନେତାମାନଙ୍କୁ ଏକ ବଡ ସୁଯୋଗର ଆବଶ୍ୟକତା ରହିଛି, ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ରହିଛନ୍ତି। ଆମେ ମଧ୍ୟ ଯୁବ ନେତା ଏବଂ ବୁଦ୍ଧିଜୀବୀଙ୍କ ସହ ରୀତିମତ ଆଲୋଚନା କରୁଛୁ, କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ, କିଏ ନା କିଏ ସେହି ସ୍ଥାନକୁ ପୂରଣ କରିଥାନ୍ତି । ଆଉ ଓଡ଼ିଶାରେ ଦକ୍ଷତାପୂର୍ଣ୍ଣ ଯୁବନେତା ରହିଛନ୍ତୁ ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି । ଓଡ଼ିଶାରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏକ ନିଶ୍ଚିତ ଭାବେ ଏକ ସଂଗଠନର ଆବଶ୍ୟକତା ରହିଛି ।
ଏହାପରେ କଂଗ୍ରେସ ଦଳର ହାଇକମାଣ୍ଡକୁ ମଧ୍ୟ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ସେ କହିଛନ୍ତି ଯିଏ ନିଜକୁ ନିଜେ ତିଆରି କରିଥିବ ତାକୁ ସାଇଡ କରି ଅନ୍ୟ କାହାକୁ ଦାୟିତ୍ୱ ଦିଆଗଲେ ସଂଗଠନର ଅବନତି ହୋଇଥାଏ। ଯାହା କଂଗ୍ରେସ ଦଳରେ ହୋଇଛି । ସେ ପୂର୍ବର ଏକ ଉଦାହରଣ ଦେଇ କହିଛନ୍ତି କି ଯେତେବେଳେ କମଳ ନାଥ ଓଡିଶା ଆସି ଜାନକୀ ବର୍ଲଭ ପଟ୍ଟନାୟକଙ୍କୁ ଅତିଥ ବୋଲି କହିଥିଲେ ଏବଂ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଗଲା, ସେବେଠାରୁ ହିଁ କଂଗ୍ରେସ ଦଳର ପତ୍ତନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ କଂଗ୍ରେସ ସେହି କ୍ଷତିରୁ ଉପରକୁ ଉଠି ପାରୁନାହିଁ। ସେତେବେଲେ ଯଦି କଂଗ୍ରେସର ମୁଖ୍ୟ ସୋନିୟା ଗାନ୍ଧୀ ଜାନକୀଙ୍କ ସହ ଆଲୋଚନା କରିଥାନ୍ତେ ତେବେ ଆଜିର ଦିନରେ କଂଗ୍ରେସ ଏକ ଦୃଢ଼ ସଂଗଠନ ଭାବେ ମୁଣ୍ଡ ଟେକି ଛିଡା ହୋଇଥାନ୍ତା । ଦିଲ୍ଲୀ ସୁପ୍ରିମ ମଧ୍ୟ ପିସିସି ସଭାପତି ପଦକୁ ବାରମ୍ବାର ପରିବର୍ତ୍ତନ କରି ରାଜ୍ୟରେ କଂଗ୍ରେସ ଭୋଟ ପ୍ରତିଶତକୁ କମାଇ ଦେଇଛନ୍ତି ବୋଲି ସେ କହିଛନ୍ତି । ଜାନକୀ ବାବୁ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ଚାଲିବା ଆବଶ୍ୟକ, କିନ୍ତୁ ଏହି ଆଦର୍ଶରେ ଚାଲିବାର କଂଗ୍ରେସ ଦଳର କୌଣସି ସଦସ୍ୟଙ୍କ ମଧ୍ୟରେ ଆନ୍ତରିକତା ମୋତେ ଦେଖାଯାଉନାହିଁ ବୋଲି ସେ ଗଣମାଧ୍ୟମରେ କହିଛନ୍ତି।

