ପରଲୋକରେ, ଯାତ୍ରାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଜ୍ଞାନ ରଞ୍ଜନ ସାହୁ
ଭୁବନେଶ୍ୱର,୬|୧: ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି | ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ କଳାକାର ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଛି । ସେ ଲିଭର ଜଣ୍ଡିସ ଜନିତ ରୋଗରେ ଆକ୍ରାନ୍ତ ଥିଲେ । କାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଗୁରୁତର ସମସ୍ୟା ଦେଖାଯିବାରୁ ଢେଙ୍କାନାଳର ଭୁବନ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା | ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ତାଙ୍କର ଅଭିନୟ କରିବାର ଯାତ୍ରା ତୁଳସୀ ଗଣନାଟ୍ୟରୁ ହିଁ ଆରମ୍ଭ କରିଥିଲେ | ନିଜର ନିଖୁଣ ଅଭିନୟ ଏବଂ ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକ ମାନଙ୍କ ଠାରୁ ଢେର ପ୍ରସଂଶା ସାଉଁଟି ଥିଲେ |
ସେ ଅନେକ ସୁପରହିଟ ନାଟକରେ ଅଭିନୟ କରିଥିଲେ | ସେ, ଖରାପ ଝିଅର ଗପ, ଶ୍ୱଶୁର ଘରକୁ ଶହେ ସଲାମ, କେତେ ଦୁଃଖ ଦେବୁ ଦେ ରେ କାଳିଆ ଭଳି ଅନେକ ସୁପରହିଟ ନାଟକରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ତୁଳସୀ ଗଣନାଟ୍ୟରୁ କ୍ୟାରିୟର ଆରମ୍ଭ କରି କ୍ରମେ ସ୍ଵର୍ଣ୍ଣ ମହଲ, ଧଉଳି ଗଣନାଟ୍ୟ ଭଳି ପ୍ରମୁଖ ଯାତ୍ରା ଅନୁଷ୍ଠାନରେ ନିଜର ଅଭିନୟ ମାଧ୍ୟମରେ ନିଜର ବିଶେଷ ପରିଚୟ ସୃଷ୍ଟି କରିପାରିଥିଲେ | ରଞ୍ଜନ ସାହୁଙ୍କ ପୂର୍ବରୁ ତିନି ଜଣ ବରିଷ୍ଠ କଳାକାରଙ୍କର ମଧ୍ୟ ଦେହାନ୍ତ ହୋଇ ସାରିଛି | ଯାତ୍ରା ଜଗତରୁ ଜଣଙ୍କ ପରେ ଜଣେ ବିଶିଷ୍ଟ କଳାକାରଙ୍କର ଦେହାନ୍ତ ଘଟିବା ଘଟଣାରେ ସାରା ଯାତ୍ରା ମହଲରେ ଶୋକର ଛାୟା ଖେଳି ଯାଇଛି |
ଗତ ନଭେମ୍ବର ମାସର ଆରମ୍ଭରେ, ଯାତ୍ରା ଜଗତର ବରିଷ୍ଠ କଳାକାର ଦେବୀ ରଥଙ୍କର ଦେହାନ୍ତ ହୋଇଥିବା ବେଳେ ଡିସେମ୍ବର ଆରମ୍ଭରେ ଗୁରୁ ପୃଷ୍ଟି ଓ ପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ ଏ ଦୁନିଆ ଛାଡି ଆର ପାରିକୁ ଚାଲିଯାଇଥିବାବେଳେ ଡିସେମ୍ବର ଶେଷ ଆଡକୁ ନାଟକରେ କମେଡି ରୋଲରେ ଅଭିନୟ କରୁଥିବା ବୁଧିଆ ନନା ବି ଚାଲିଯାଇଥିଲେ | ଏଥିରେ ସାରା ଯାତ୍ରା ଜଗତରେ ଶୋକର ଛାୟା ଖେଳିଯିବ ସହିତ ଯାତ୍ରା ପ୍ରେମୀଙ୍କୁ ଗଭୀର ଆଘାତ ମିଳିଛି |

