କଂଗ୍ରେସର ପୂର୍ବତନ ମନ୍ତ୍ରୀ ସୁରେଶ କଲମାଡିଙ୍କ ଦେହାନ୍ତ; ପୁନେର ବୈକୁଣ୍ଠ ଧାମରେ ମଧ୍ୟାହ୍ନ ତିନିଟାରେ ହେବ ଶେଷକୃତ୍ୟ
ନୂଆଦିଲ୍ଲୀ,୬|୧: କଂଗ୍ରେସର ବରିଷ୍ଠ ନେତା ତଥା ପୁନେର ପୂର୍ବତନ ସାଂସଦ ସୁରେଶ କଲମାଡିଙ୍କ ଆଜି ୮୨ବର୍ଷ ବୟସରେ ଦେହାନ୍ତ ହୋଇଛି। | ଦୀର୍ଘ ଦିନରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିଲା | ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ତାଙ୍କର ଶେଷକୃତ୍ୟ ପୁନେର ବୈକୁଣ୍ଠ ଧାମରେ ଆଜି ମଧ୍ୟାହ୍ନ ତିନିଟା ରେ ସଂପୂର୍ଣ୍ଣ ହେବ । ସୁରେଶ କଲମାଡୀଙ୍କ ପରିବାରରେ ତାଙ୍କ ପତ୍ନୀ,ପୁଅ,ବୋହୂ, ୨ ଜଣ ବିବାହିତା ଝିଅ ଏବଂ ଦୁଇ ଜ୍ବାଇଁ ମଧ୍ୟ ଅଛନ୍ତି ।
ସେ ପୂର୍ବରୁ ରେଳ ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ଵାହ କରିଥିଲେ | ଏବଂ ପରେ ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ପଦବୀରେ ମଧ୍ୟ ନିଯୁକ୍ତ ଥିଲେ | ତେବେ ସୁରେଶ କାଲମାଡ଼ିଙ୍କର କ୍ରୀଡା କ୍ଷେତ୍ରରେ ରହିଥିବା ଅବଦାନ ଅବିସ୍ମରଣୀୟ | ପୁନେର ଏହି ଲୋକପ୍ରିୟ ରାଜନେତା ଅନେକ ଥର ପାଇଁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଅନେକ ବର୍ଷ ପର୍ଯ୍ୟନ୍ତ କଲମାଡି ନିଜର ରାଜନୀତି ଦାୟିତ୍ୱ ତୁଲାଇବା ସହିତ ରାଷ୍ଟ୍ରୀୟ ସ୍ତରରେ ଖେଳ ପ୍ରଶାସନର ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ | ସୂଚନା ଅନୁଯାୟୀ, ୨୦୧୦ ମସିହାରେ କାମନଓ୍ବେଲ୍ଥ ଗେମ୍ସ ର ଘୋଟଲାରେ ତାଙ୍କ ନାମ ଆସିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା | ତେବେ ଏହି ଘଟଣା ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା | ଯାହା ଫଳରେ ଅନେକ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ପ୍ରକାଶ ପାଇଥିଲା |
ତାଙ୍କର ରାଜନୈତିକ କ୍ୟାରିୟରକୁ ନେଇ ଅନେକ ପ୍ରଶ୍ନ ଉଠାଯାଇଥିଲା ଏବଂ ଶେଷରେ ୨୦୧୧ ମସିହାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏବଂ ପରେ କଂଗ୍ରେସ ସଙ୍ଗଠନ ପାର୍ଟି ପକ୍ଷରୁ ମଧ୍ୟ ତାଙ୍କୁ ବହିଷ୍କୃତ କରାଯାଇଥିଲା । ସବୁ କ୍ଷେତ୍ରରେ ନିଜର ଦକ୍ଷତାର ଛାପ ଛାଡି ଯାଇଛନ୍ତି ଲୋକପ୍ରିୟ ରାଜନେତା ସୁରେଶ କଲମାଡି | ତାଙ୍କର ନିସ୍ଵାର୍ଥପର ସେବା ପାଇଁ ସେ ଆଜିବି ଲୋକଙ୍କ ହୃଦୟରେ ଘର କରି ରହିଛନ୍ତି । ତାଙ୍କର ଦେହାନ୍ତର ଖବରରେ ଶୋକର ଛାୟା ଖେଳି ଯାଇଛି । କଲମାଡିଙ୍କ ପରିବାର ସଦସ୍ୟଙ୍କ ସମେତ ପୁରା ଦେଶବାସୀ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ଅଶ୍ରୁଳ ଶ୍ରଦ୍ଧାଂଜଳି ଜଣାଇଛନ୍ତି |

