ବିଜୟ ଥାଲାପାଥିଙ୍କ ଦଳ ସହ ମେଣ୍ଟ କରିବ ବିଜେପି! ଅମିତ ଶାହାଙ୍କର ନେତା ମାନଙ୍କୁ କଡା ନିର୍ଦ୍ଦେଶ
ନୂଆଦିଲ୍ଲୀ,୬।୧: ଆଗକୁ ତାମିଲନାଡୁର ବିଧାନସଭା ନିର୍ବାଚନ ରହିଛି | ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚା ଜୋର ଧରିଛି | ସୂଚନା ଅନୁସାରେ, ତାମିଲନାଡୁରେ ନିଜର ଆସନକୁ ମଜବୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି ଲୋକପ୍ରିୟ ଅଭିନେତା ବିଜୟ ଥାଲାପାଥିଙ୍କ ଅଧୀନତ୍ଵରେ ଗଠନ ହୋଇଥିବା ନୂତନ ଦଳ ତାମିଲଗା ଭେଟ୍ରି କାଜାଗାମ (TVK) ସହ ମେଣ୍ଟ କରିବା ଚିନ୍ତା କରୁଛନ୍ତି ।
ତେବେ ତାମିଲନାଡୁ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ଦଳର ଏକ କୋର୍ କମିଟି ବୈଠକରେ ଯୋଗଦେଇ ଦଳର ପ୍ରତ୍ୟେକ ସଦସ୍ୟ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ସେ କହିଛନ୍ତି, କେବଳ ନିର୍ବାଚନ ଲଢ଼ିବା ପାଇଁ ନୁହେଁ, ବରଂ ଜିତିବା ପାଇଁ ପ୍ରୟାସ କରନ୍ତୁ । ତେବେ ଏହି ଗସ୍ତ ସମୟରେ ଶାହ ଜାଣିଶୁଣି ଏଆଇଏଡିଏମକେ (AIADMK) ମୁଖ୍ୟ ଇ.ପି.ଏସଙ୍କୁ ଭେଟି ନଥିବା ନେଇ ଚର୍ଚ୍ଚା ହେଉଛି , ଯେଉଁଥିରୁ ବିଜେପି ଏବେ ଡିଏମକେ ବିରୋଧୀ ଦଳ ମାନଙ୍କ ସହିତ ମେଣ୍ଟ କରିବା ନେଇ ସ୍ପଷ୍ଟ ଅନୁମାନ କରାଯାଉଛି |
ସୂଚନା ରହିଛିଯେ, ଏହା ପୂର୍ବରୁ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ଦଳ ମାତ୍ର ୪ଟି ସିଟ୍ ଜିତିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ବିଫଳତାର ସାମ୍ନା କରିଥିଲା ଦଳ | ଆଉ ଏବେ ଅଭିନେତା ବିଜୟଙ୍କ ଦଳ ତାମିଲନାଡୁରେ ଏକ ଷ୍ଟ୍ରଙ୍ଗ ରାଜନୈତିକ ଦଳ ଭାବେ ଛିଡା ହୋଇଛି | ତେଣୁ ବିଜେପି ପକ୍ଷରୁ ମେଣ୍ଟ କରିବା ନେଇ ସମ୍ଭାବ୍ୟ ସୃଷ୍ଟି ହେଉଛି |
ଅନ୍ୟପଟେ, ଟିଭିକେ ମୁଖପାତ୍ର ଫେଲିକ୍ସ ଗେରାଡଙ୍କ ଅନୁସାରେ, ଧର୍ମନିରପେକ୍ଷତା ଆଧାରରେ ପୂର୍ବରୁ କଂଗ୍ରେସ ଓ ଟିଭିକେ ମଧ୍ୟରେ ଭଲ ସମ୍ପର୍କ ରହିଛି । କିନ୍ତୁ ବର୍ତ୍ତମାନର ତାମିଲନାଡୁ କଂଗ୍ରେସ ନେତୃତ୍ୱର କିଛି ବ୍ୟକ୍ତିଗତ ସ୍ୱାର୍ଥ କାରଣରୁ ଏହି ମେଣ୍ଟ ବିଫଳ ହେଉଛି । ଆଉ ଏବେ ବିଜେପି ଏହି ସୁଯୋଗର ଫାଇଦା ଉଠାଇବାକୁ ଚିନ୍ତା କରୁଛି ।
ତେବେ ତାମିଲନାଡୁର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଦଳର ନେତାମାନଙ୍କୁ ଆଗୁଆ ପ୍ରାର୍ଥୀ ବାଛିବା ସହିତ ଆସନ୍ତା ଜାନୁଆରୀ ୧୪ (ପୋଙ୍ଗଲ) ସୁଦ୍ଧା ଏକ ବଡ଼ ମେଣ୍ଟର ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

