ନୂଆ ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବରେ ବିଜେଡି ସାମିଲ ହେବା ପ୍ରସଙ୍ଗ; ନବୀନଙ୍କୁ କଟାକ୍ଷ କଲେ ନରସିଂହ, କହିଲେ ଏବେ ଭଉଣୀ ପ୍ରେମ ଗଲା କୁଆଡେ


ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନକୁ ନେଇ ସରଗରମ ହେଉଛି ରାଜନୀତି। ଆସନ୍ତା ୨୮ରେ ସଂସଦ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାକୁ ନେଇ ବିରୋଧୀ ଦଳ ଅଭିଯୋଗ କରୁଥିବା ବେଳେ ଏଥିରେ ଯୋଗ ଦେବାକୁ ଥିବା ୧୫ ଦଳ ମଧ୍ୟରେ ବିଡେଡି ସାମିଲ ବେବା ପ୍ରସଙ୍ଗକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବିଜେଡି ସଂସଦ ଭବନ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବ ବୋଲି ସ୍ପଷ୍ଟ କରିବା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କଡା ସମାଲୋଚନା କରିଛନ୍ତି। ଶାସକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ‘ଭଉଣୀ ପ୍ରେମ’ ଗଲା କୁଆଡେ।

ମେ ୨୮ରେ ନୂଆ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପୂର୍ବରୁ ଦେଶରେ ବିରୋଧୀ ଏହାକୁ ବିରୋଧ କରିବା ସହ ପ୍ରଧାନମନ୍ତ୍ରୀ ନୁହେଁ ବରଂ ରାଷ୍ଟ୍ରପତି ଉଦଘାଟନ କରିବା ଦରକାର ବୋଲି ଦାବି କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ମୁଖ୍ୟ। ଯେତେବେଳେ ସଂସଦ ଭବନ ଉଦଘାଟନ ହେଉଛି ସେତେବେଳେ ରାଷ୍ଟ୍ରପତିଙ୍କୁ ଡକାନଯିବା ଅତ୍ୟନ୍ତ ନିନ୍ଦନୀୟ କଥା। ତାଠୁ ନିନ୍ଦନୀୟ ବିଜେଡି ସୁପ୍ରିମୋ ଏହି ଉତ୍ସବରେ ଯୋଗ ଦେବେ। ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ହେଲା ସେତେବେଳେ ବିଜେଡି ଏଭଳି ପ୍ରଚାର କଲା ଯେମିତି ଲାଗିଲା ବିଜେଡି ବିନା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇପାରିନଥାନ୍ତେ। ନବୀନ ସେତେହେଳେ ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ କରିବା ସହିତ ମହିଳା ସଶକ୍ତିକରଣର ନାରା ଦେଇଥିଲେ। କିନ୍ତୁ ଏବେ ଯେତେବେଳେ ସଂସଦ ଭବନ ଉଦଘାଟନକୁ ରାଷ୍ଟ୍ରପତିଙ୍କୁ ଡକାଯାଉନି ସେତେବେଳେ କିଭଳି ନବୀନ ଏପରି ଏକ ଉତ୍ସବରେ ସାମିଲ ହୋଇପାରୁଛି ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି।