ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସମ୍ବଲପୁର,୧୦|୧: ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାରେ, ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହିତ ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ପ୍ରଥମେ ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ ଏବଂ ପରେ ସେଠାରୁ ସଡ଼କ ପଥରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ | ଆଜି ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେବେ। ଏହାପରେ ମହାନଦୀ ସମ୍ମୁଖରୁ ସମ୍ବଲପୁରବାସୀଙ୍କ ପାଇଁ ‘ଇ-ବସ୍’ ସେବାର ଶୁଭାରମ୍ଭ କରିବେ । ଅପରାହ୍ନ ୨ଟା ୪୫ରୁ ୪ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ବୁର୍ଲା ପିଏମ୍ଶ୍ରୀ ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ ।
ଆସନ୍ତାକାଲି,ଗସ୍ତର ଦ୍ଵିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସହର ପାଇଁ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ସହିତ ସକାଳ ୧୧ଟା ୫୦ ମିନିଟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ‘ଟ୍ରମା କେୟାର’ କୋଠାର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

