କାଳ ହେଲା ୫ଟଙ୍କିଆ ଚିପ୍ସ ପ୍ୟାକେଟ୍ ? ଖେଳଣା ବ୍ଲାଷ୍ଟ ହୋଇ କୁନି ପୁଅର ଆଖି ହେଲା ନଷ୍ଟ
ଟିଟିଲାଗଡ଼,୧୩|୧: ବର୍ତ୍ତମାନ ସମୟରେ ଖାଦ୍ୟ ମଧ୍ୟରେ ଛୋଟ ପିଲାଙ୍କ ପ୍ରିୟ ହେଉଛି ଚିପ୍ସ ପ୍ୟାକେଟ୍ | ଚିପ୍ସ ପ୍ୟାକେଟ ଗୋଟେ ଧରାଇ ଦେଲେ ସେମାନଙ୍କର ଖୁସି କହିଲେ ନ ସରେ | ତେବେ ପିଲାଙ୍କ ଖୁସି ପାଇଁ ଏହି ଚିପ୍ସ ପ୍ୟାକେଟକୁ ହାତରେ ଦେବା ପୂର୍ବରୁ ହୋଇ ଯାଆନ୍ତୁ ସତର୍କ! ନହେଲେ ହୋଇଯିବ ଅନର୍ଥ | କାରଣ ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ଏବେ କାଳ ସାଜିଛି । ନିଆଁରେ ଖେଳଣା ପଡିବା ମାତ୍ରେ ହୋଉଛି ବିସ୍ଫୋରଣ । ଏମିତି ଏକ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖେଳଣା ବିସ୍ଫୋରଣ ଘଟି କୁନି ପିଲାର ଆଖି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।
ହୃଦୟ ବିଦାରକ ଦୃଶ୍ୟ | ଘଟଣାରେ ମା ଏବଂ ବାପା ନିଜର କୋହ ସମ୍ଭାଳି ପାରୁନାହାନ୍ତି | କଥା କହିବା ମାତ୍ରେ ଆଖିରୁ ଝରି ଆସୁଛି ଲୁହ । ପାଖରେ ଏକ କୁନି ପିଲା ବି ରହିଛି । ଯାହାର ଗୋଟିଏ ଆଖିରେ ବ୍ୟାଣ୍ଡେଜ ଲାଗିଛି l କାରଣ ପିଲାଟିର ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ପାଞ୍ଚ ଟଙ୍କିଆ ଚିପ୍ସ କାଳ ସାଜିଲା । ଚିପ୍ସ ଭିତରେ ଥିବା ଖେଳଣା ନିଆଁରେ ପଡିବା ମାତ୍ରେ ହୋଇଥିଲା ବିସ୍ଫୋରଣ ।
ଗତ ରବିବାର ସନ୍ଧ୍ୟାରେ, ଟିଟିଲାଗଡ଼ ଥାନା ଶଗଡଘାଟ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଉକ୍ତ ଗାଁର ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଳ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ଖାଇଥିଲେ । ସେହି ଜରି ପ୍ୟାକେଟରେ ଥିବା ଖେଳଣାକୁ ନିଆଁରେ ପକାଇଦେବା ମାତ୍ରେ ଜୋରରେ ବିସ୍ଫୋରଣ ଘଟି ଛିଟିକିକି ଆଖି ଉପରେ ଆସି ମାଡ଼ ହୋଇଥିଲା । ଏହା ପରେ କୁନି ଛୁଆକୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ପରେ ଆଖିଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ଜଣାପଡ଼ିଛି । ଏନେଇ ଆହତ କୁନି ପିଲାର ମାଆ ଏବଂ ବାପା ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି |
ପ୍ରାୟତଃ ସବୁ ଛୁଆ ଚିପ୍ସ ଖାଇବାକୁ ବହୁତ ଭଲ ପାଆନ୍ତି ଏବଂ ଅନେକ ସମୟରେ ପ୍ୟାକେଟ୍ ଭିତରେ ଥିବା ସୁନ୍ଦର ସୁନ୍ଦର ଖେଳନା ପାଇଁ ସେମାନେ ଏହାକୁ କିଣିବାକୁ ଜିଦ୍ କରନ୍ତି । କିନ୍ତୁ ଏହି ଖୁସି ଏକ ବଡ଼ ଦୁର୍ଘଟଣାର ରୂପ ନେଇଯିବ, ତାହା କେହି କଳ୍ପନା ମଧ୍ୟ କରିନଥିଲେ । ତେବେ ଛୋଟ ପିଲାଙ୍କୁ ଚିପ୍ସ ପ୍ୟାକେଟ୍ ଦେବା ପୂର୍ବରୁ ପ୍ୟାକେଟ ମଧ୍ୟରେ ଖେଳନା ଅଛି କି ନାହିଁ ଯାଞ୍ଚ କରନ୍ତୁ । ଅଜଣା ବା ନିମ୍ନମାନର ସ୍ଥାନୀୟ ବ୍ରାଣ୍ଡର ଖାଦ୍ୟ କିଣିବା ପୂର୍ବରୁ ନିଶ୍ଚୟ ଥରେ ଚିନ୍ତା କରନ୍ତୁ | ବିଶେଷ କରି ପ୍ୟାକେଟ୍ ଭିତରେ ଥିବା ‘ଲାଇଟ୍’ ବା ‘ବ୍ୟାଟେରୀ’ ଚାଳିତ ଖେଳନାଗୁଡ଼ିକ ଅଧିକ ବିପଜ୍ଜନକ ହୋଇପାରେ । ତେଣୁ କିଣିବା ପୂର୍ବରୁ ଏହି ସବୁ ଉପରେ ଧ୍ୟାନ ଦିଅନ୍ତୁ |

