ବିଧାନସଭାରେ ବିଧାୟକ ସଂଖ୍ୟା ହେବ ବୃଦ୍ଧି! ୧୪୭ରୁ ବଢ଼ିକି ହୋଇପାରେ ୨୦୦ ସିଟ୍
ଭୁବନେଶ୍ୱର,୧୩|୧: ବିଧାନସଭାର ଆସନ ସଂଖ୍ୟା ବୃଦ୍ଧି ହେବ | ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସଙ୍କେତ ଦେଇଛନ୍ତି | ତେବେ ଏହାକୁ ନେଇ ଓଡ଼ିଶା ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ଆଶାୟୀଙ୍କ ଉତ୍କଣ୍ଠା ମଧ୍ୟ ବଢିବାକୁ ଲାଗିଲାଣି। ନିର୍ବାଚନମଣ୍ଡଳୀର ସୀମା ବଦଳିଲେ ନେତାଙ୍କ ଭାଗ୍ୟ ମଧ୍ୟ ବଦଳିବ । କିଏ ଲାଭରେ ରହିବ ତ ପୁଣି କିଏ କ୍ଷତି ସହିବ । ତାହାକୁ ନେଇ ଏବେଠୁ ରାଜନୀତିର ଅଙ୍କକଷା ଆରମ୍ଭ ହେଲାଣି ।
୨୦୨୯ ସାଧାରଣ ନିର୍ବାଚନ ବେଳକୁ ଓଡ଼ିଶାର ରାଜନୈତିକ ରୂପରେଖ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିବ। ଜନ୍ମ ନେଇଥିବ ନୂଆ ନିର୍ବାଚନମଣ୍ଡଳୀ । ବିଧାନସଭାରେ ପ୍ରତିନିଧିତ୍ୱ କରିବାକୁ ଅନେକ ନେତାଙ୍କ ପାଇଁ ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେବ | ନୂଆ ଲୋକସେବା ଭବନ ଓ ବିଧାନସଭା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି ସଂକେତ ଦେଇଛନ୍ତି । ସେ କହିଛନ୍ତି, ୩୦୦ ଆସନ ବିଶିଷ୍ଟ ନୂଆ ବିଧାନସଭା ନିର୍ମାଣ ହେବ । ସୀମା ପୁନଃନିର୍ଦ୍ଧାରଣ ହେଲେ ପାଖାପାଖି ୫୦ରୁ ଅଧିକ ସିଟ୍ ବଢ଼ିବ । ଏହା ସହିତ ଓଡ଼ିଶାର ବିଧାନସଭା ବିଧାୟକଙ୍କ ସଂଖ୍ୟା ୧୪୭ରୁ ବୃଦ୍ଧିହୋଇ ୨୦୦ରେ ପହଞ୍ଚିବ। ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଭଳି ଓଡ଼ିଶାର ବିଧାନସଭା ହେବ |
୨୦୨୭ ଜନଗଣନା ପରେ, ସୀମା ପୁନଃନିର୍ଦ୍ଧାରଣ ସହ ନୂଆ ନିର୍ବାଚନମଣ୍ଡଳୀ ପାଇଁ ବାଟ ଫିଟିବ । ଏନେଇ ଜାତୀୟ ଗଣମାଧ୍ୟମରେ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଛି । ତେବେ ନୂଆ ନିର୍ବାଚନମଣ୍ଡଳୀ ଗୁଡିକର ଗଠନ ପାଇଁ ୨ଟି ମାପଦଣ୍ଡ ଧାର୍ଯ୍ୟ କରାଯାଇଛି । ଜନସଂଖ୍ୟା ଓ ଭୌଗୋଳିକ ଦୃଷ୍ଟିକୋଣକୁ ନଜରରେ ରଖି ନୂଆ ନିର୍ବାଚନମଣ୍ଡଳୀ କଥା ବିଚାର କରାଯାଇଥାଏ । ସୂଚନା ଅନୁସାରେ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କଟକ, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା ଆଦି ଜିଲ୍ଲାରେ ବଢିପାରେ ବିଧାନସଭା ନିର୍ବାଚନମଣ୍ଡଳୀ ସଂଖ୍ୟା । ତେବେ ଏନେଇ ମୁଖ୍ୟମନ୍ତ୍ରୀ ସଙ୍କେତ ଦେବା ପରେ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ସୂଚନା ରହିଛିଯେ, ଶେଷଥର ପାଇଁ ଗତ ୧୯୭୩ ମସିହାରେ ଓଡ଼ିଶା ବିଧାନସଭା ଆସନ ସଂଖ୍ୟା ୧୪୦ରୁ ବଢ଼ି ୧୪୭ ହୋଇଥିଲା । ଏବଂ ୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ସହ ନିର୍ବାଚନମଣ୍ଡଳୀର ଭୌଗୋଳିକ ପରିସୀମା ମଧ୍ୟ ବଦଳିଥିଲା

