Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ବିକ୍‌ କମର୍ସରେ ୧୦ ମିନିଟ୍‌ ଡେଲିଭରି ସେବା ହଟିଲା; ସୁରକ୍ଷା ଦୃଷ୍ଟିରୁ ସମୟ ସୀମା ହଟାଇବାକୁ ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ,୧୪|୧: ଡେଲିଭରି ବୟମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ | ଅନଲାଇନ୍ ଅର୍ଡର ପାଇଁ ଧାର୍ଯ୍ୟ କରାଯାଇଥିବା ସମୟସୀମା ୧୦ ମିନିଟ୍ ଡେଲିଭରି ନିୟମକୁ ଉଠାଇ ଦିଆଯାଇଛି। ସରକାର ଏଥିରେ ହସ୍ତକ୍ଷେପ କରିବା ପରେ ଏଭଳି ପରିବର୍ତ୍ତନ ହୋଇଛି | ୧୦ ମିନିଟ୍‌ରେ ଡେଲିଭରି ସେବା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ଦେଶର ପ୍ରମୁଖ ହୋମ ଡେଲିଭରି ସେବା ଯୋଗାଉଥିବା ଜୋମାଟୋ, ସ୍ବିଗି, ବ୍ଲିଙ୍କିଟ୍‌ ଏବଂ ଜେପ୍ଟୋକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ସରକାରଙ୍କ ଉକ୍ତ ନି‌ର୍ଦ୍ଦେଶନାମା ମୁତାବକ ବ୍ଲିଙ୍କିଟ୍‌ ତୁରନ୍ତ କାର୍ଯ୍ୟକାରୀ କରି ୧୦ ମିନିଟ୍‌ରେ ଡେଲିଭରି ସେବାକୁ ହଟାଇ ଦେଇଛି । ଏବଂ ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ସମ୍ଭାବନା ରହିଛି । ଗିଗ୍‌ ଶ୍ରମିକମାନଙ୍କ ସୁରକ୍ଷା ଏବଂ କର୍ମ ସଂସ୍କୃତିରେ ସୁଧାର ଆଣିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁସାରେ, କେନ୍ଦ୍ର ଶ୍ରମ ମନ୍ତ୍ରୀ ଡକ୍ଟର. ମନସୁଖ ମାଣ୍ଡଭିଆ, ବ୍ଲିଙ୍କିଟ୍, ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋର ଅଧିକାରୀଙ୍କ ସହ ଏହି ବିଷୟରେ ନିଜେ ଆଲୋଚନା କରିଥିଲେ। ବୈଠକରେ ଡେଲିଭରି ପାର୍ଟନରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଏବଂ ସମୟ ସୀମା ହଟାଇବା ଭଳି ଜରୁରୀ ବିଷୟ ନେଇ ଆଲୋଚନା ହୋଇଥିଲା।

ସରକାର କମ୍ପାନୀଗୁଡ଼ିକୁ ସ୍ପଷ୍ଟ ସୂଚନା ଦେଇଥିଲେ ଯେ, ଦ୍ରୁତ ଡେଲିଭରିର ଚାପ କାରଣରୁ ଡେଲିଭରି ବୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ । ଏହା ପରେ ସବୁ କମ୍ପାନୀ ସେମାନଙ୍କର ବ୍ରାଣ୍ଡ ବିଜ୍ଞାପନ ଏବଂ ନିଜ ନିଜର ସୋସିଆଲ ମିଡିଆ ପୋଷ୍ଟରୁ ଡେଲିଭରି ସମୟସୀମାକୁ ହଟାଇ ଦେବା ନେଇ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି |

ବାସ୍ତବରେ ଏହି ୧୦ ମିନିଟ୍ ସମୟ ସୀମା ଡେଲିଭରି ବୟମାନଙ୍କ ଉପରେ ଶୀଘ୍ର ଡେଲିଭରି କରିବା ପାଇଁ ଚାପ ପକାଉଥିଲା । ଯାହା ଦ୍ୱାରା ସଡ଼କ ଦୁର୍ଘଟଣା ଭଳି ବିପଦର ଭୟ ରହୁଥିଲା। ଏନେଇ ଗିଗ୍‌ ଆଣ୍ଡ୍‌ ପ୍ଲାଟଫର୍ମ ସର୍ଭିସ ୱାର୍କସ ସଂଘର କର୍ମଚାରୀମାନେ ଗତ ଡିସେମ୍ବର ୩୧ ତାରିଖରେ ଧର୍ମଘଟ କରିଥିଲେ। ଡେଲିଭରି ବୟମାନେ ସରକାରଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହା ପରେ ସରକାର କମ୍ପାନୀଗୁଡ଼ିକ ସହିତ କଥା ହୋଇ ଏଭଳି ପଦକ୍ଷେପ ନେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ