ଦୀର୍ଘ ଦିନ ଧରି ରଖାଯାଇଥିବା ଶାରୀରିକ ସମ୍ପର୍କ ଜବରଦସ୍ତି ନୁହେଁ: ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,୧୫।୧: ଆଜିର ସମୟରେ ଲିଭ୍-ଇନରେ ରହିବା ଏକ ଫ୍ୟାସନ ହୋଇଗଲାଣି । କିନ୍ତୁ ଏହି ଫ୍ୟାସନ ଯୋଗୁଁ ଅନେକ ସମୟରେ ବିଭନ୍ନ ବିବାଦ ପୂର୍ଣ୍ଣ ଘଟଣା ଘଟିଥାଏ । ତା’ ଭିତରେ ସବୁଠୁ ବଡ଼ ଅଭିଯୋଗ ହେଉଛି ଶାରୀରିକ ସମ୍ପର୍କକୁ ନେଇ । ତେବେ ଏହି ଅଭିଯୋଗକୁ ଆଧାର କରି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ହାଇକୋର୍ଟଙ୍କ ରାୟ ଅନୁସାରେ, ଏଣିକି ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ “ଜବରଦସ୍ତି’ ବୋଲି ଧରାଯାଇ ପାରିବ ନାହିଁ । କି ସେହି ଆଧାରରେ ଜଣେ ବ୍ୟକ୍ତିଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ମଧ୍ୟ କରାଯାଇ ପାରିବ ନାହିଁ | ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସମୟରେ କହିଛନ୍ତି । ଏହି ଆଧାରରେ ହାଇକୋର୍ଟ ଅଭିଯୁକ୍ତ ମହେନ୍ଦ୍ର ପ୍ରଧାନକୁ ବଳାତ୍କାର ମାମଲାରେ ଦୋଷମୁକ୍ତ କରିବା ସହିତ ଅନ୍ୟ ଅପରାଧ ପାଇଁ ଦଣ୍ଡାଦେଶରେ ସଂଶୋଧନ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ରାୟ ଶୁଣାଇଛନ୍ତି।
ସୂଚନା ଅନୁସାରେ, ଗତ ୨୦୦୬ରେ ସୋନପୁର ଜିଲ୍ଲା ତରଭା ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ ଯେ, ମହେନ୍ଦ୍ର ପ୍ରଧାନ ନାମକ ବ୍ୟକ୍ତି ତାଙ୍କୁ ଛୁରି ଦେଖାଇ ଜବରଦସ୍ତି ବଳାତ୍କାର କରିଥିଲେ | ଏହା ସହିତ ବିବାହର ପ୍ରତିଶୃତି ଦେଇ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଏହି ସମ୍ପର୍କ କାରଣରୁ ସେ ଗର୍ଭବତୀ ହେବା ପରେ ଅଭିଯୁକ୍ତ ମହେନ୍ଦ୍ର ତାଙ୍କୁ ଗର୍ଭ ନଷ୍ଟ କରିବାକୁ ଔଷଧ ଦେଇଥିଲେ। ଯାହା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ, ଏହି ମାମଲାରେ ନିମ୍ନ ଅଦାଲତ ମହେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ପରେ, ଏହି ଆଦେଶକୁ ମହେନ୍ଦ୍ର ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ।
ଆଉ ଏବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପୀଡ଼ିତା ଜଣକ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟ ମଧ୍ୟରେ ସେ କାହାକୁ କିଛି ଜଣାଇ ନଥିଲେ । ଏତେ ଦିନ ଧରି ରହିଥିବା ସମ୍ପର୍କକୁ “ଜବରଦସ୍ତି’ କୁହାଯାଇ ପାରିବ ନାହିଁ । ସ୍କୁଲ ରେକର୍ଡ ଅନୁଯାୟୀ, ଘଟଣା ଘଟିବା ସମୟରେ ପୀଡ଼ିତା ଜଣକ ନାବାଳିକା ନ ଥିଲେ କାରଣ ତାଙ୍କୁ ପ୍ରାୟ ୧୯ ବର୍ଷ ହୋଇଥିଲା । ଅନ୍ୟପଟେ ଡାକ୍ତରୀ ପ୍ରମାଣ ଅନୁସାରେ, ଗର୍ଭପାତ ହୋଇଥିବା ସ୍ପଷ୍ଟ ହୋଇଛି । ଏବଂ ଅଭିଯୁକ୍ତ ଔଷଧ ଦେଇଥିବା ମଧ୍ୟ ପ୍ରମାଣିତ ହୋଇଛି । ଏବେ ଅଦାଲତ ବଳାତ୍କାର ଅଭିଯୋଗକୁ ଖାରଜ କରିବା ସହିତ ମହେନ୍ଦ୍ରଙ୍କୁ ସେଥିରୁ ଖଲାସ କରିଛନ୍ତି । ତେବେ ଅନ୍ୟାନ୍ୟ ଅପରାଧ ପାଇଁ ପୂର୍ବରୁ ଜେଲ୍ ରେ କାଟିଥିବା ସମୟକୁ ହିଁ ତାଙ୍କ ପାଇଁ ଦଣ୍ଡାଦେଶ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ମାମଲା ଶେଷ ହୋଇଛି |

