Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ବାରମ୍ବାର ଆମ ବସ୍‌ ଦୁର୍ଘଟଣା; ଆକ୍ସନ୍‌ ମୋଡ୍‌ରେ ରାଜ୍ୟ ସରକାର

ଭୁବନେଶ୍ୱର,୧୫|୧ : ରାଜଧାନୀରେ ବାରମ୍ବାର ଆମ ବସ୍ ସମ୍ପର୍କିତ ଦୁର୍ଘଟଣା ଘଟୁଛି | ସାଧାରଣ ଜନତାଙ୍କ ସେବା ପାଇଁ ନିୟୋଜିତ କରାଯାଇଥିବା ଯାତ୍ରୀବାହୀ ବସରେ ଏବେ ଲୋକେ ଯିବାକୁ ଭୟ କରୁଛନ୍ତି | ନିକଟରେ ଦେଖାଯାଇଥିବା ଅନେକ ଦୁର୍ଘଟଣା ସମସ୍ୟାକୁ ଦୃଷ୍ଟିରେ ରଖି ବିଭାଗ ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ | ଏନେଇ ଆମ ବସ ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି | ଯେଉଁଥିରେ ଯାତ୍ରୀ ଏବଂ ସଡ଼କ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଏବଂ ଡ୍ରାଇଭରଙ୍କ ସାମଗ୍ରୀକ ବିକାଶ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି ।

ତେବେ ଯାତ୍ରୀମାନଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଯାତ୍ରା କରି ପୁରୁଣା ହୋଇସାରିଥିବା ବିପିଟିଏସଏଲ୍ ର ୩୦ଟି ପୁରୁଣା ବସ୍ ଗୁଡ଼ିକୁ ସ୍କ୍ରାପିଂ କରାଯିବ | ଏହା ବଦଳରେ କଟକ ଓ ଭୁବନେଶ୍ବରର ରାସ୍ତାକୁ ଦେଖି ଛୋଟ ଇ-ବସ୍ ଜନ ସାଧାରଣଙ୍କ ସେବା ନିମନ୍ତେ ସାମିଲ କରାଯିବ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଖାଲି ସେତିକି ନୁହେଁ, ବସ ଷ୍ଟପ ମାନଙ୍କରେ ଆମ ବସ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି । ଏହାସହ ଇ-ବସ୍ ଚଳାଚଳ ନେଇ ଡ୍ରାଇଭରଙ୍କୁ ଉପଯୁକ୍ତ ତାଲିମ ମଧ୍ୟ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି କରାଯାଇଛି । ଏହି ବୈଠକରେ, ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍ ପରିଚାଳନା ଅଧିକାରୀ ଶ୍ରୀ ସଞ୍ଜୟ ବିଶ୍ଵାଳ, ଡିସିପି, କମିଶନରେଟ୍ ପୁଲିସ୍, ଟ୍ରାଫିକ ଡ଼ିସିପି ଆଦି ପ୍ରମୁଖ ଅଧକାରୀ ଉପସ୍ଥିତ ରହିଥିଲେ ।

ସୂଚନା ରହିଛିଯେ,ଚଳିତ ଜାନୁଆରି ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ୍ ଗୁଡ଼ିକର ସ୍ପିଡ୍ ଲିମିଟ୍ ଉପରେ ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ତେବେ କୌଣସି ଆମ ବସ୍ ଏହି ନୀୟମ ଭଙ୍ଗ କରିଥିବାର ଘଟଣା ସାମ୍ନାକୁ ଆସିନାହିଁ ।

ଅନ୍ୟପଟେ, ଆସନ୍ତା ଜାନୁଆରି ୨୬ରୁ ଲାଗୁହେବ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି । ତେବେ ଡ୍ରାଇଭରଙ୍କ ସୁରକ୍ଷିତ ଗାଡ଼ି ଚାଳନା ଏବଂ ଅନ୍ୟାନ୍ୟ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ତିନିମାସରେ ଥରେ ଏହି ରାଶି ପ୍ରଦାନ କରାଯିବ । ସେହିପରି ଆସନ୍ତା ଫେବୃଆରିରୁ ଆମ ବସ୍ ରୁଟରେ ଜନ ସାଧାରଣଙ୍କ ମତ ଲୋଡ଼ାଯିବ। ଏନେଇ ଆରମ୍ଭ ହେବ ପ୍ରସ୍ତୁତି | ସାମାଜିକ ଗଣମାଧ୍ୟମ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ରୁଟ୍ ପରିବର୍ତ୍ତନ ଉପରେ ମତାମତ ମଗାଯିବ । ଆମ ବସ ଜନିତ ଦୁର୍ଘଟଣାକୁ ଆଖି ଆଗରେ ରଖି ପ୍ରମୁଖ ସଚିବ ଶ୍ରୀମତୀ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା | ଏଥିରେ ପ୍ରତି ୧୫ ଦିନରେ ଆମବସ୍ ଚଳାଚଳ ସମ୍ପର୍କରେ ସମୀକ୍ଷା କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ