‘ନବୀନ ମୋ ନେତା, ପାଣ୍ଡିଆନ ନେତା ନୁହନ୍ତି’ ଅରବିନ୍ଦ ମହାପାତ୍ରଙ୍କ ଏହି କଥା ପାଇଁ ବିଜେଡିରୁ ନିଲମ୍ବନ!
ଭୁବନେଶ୍ୱର,୧୬|୧: ଗତ କାଲି ବିଜେଡିରୁ ଅରବିନ୍ଦ ମହାପାତ୍ର ଏବଂ ସନା ମହାକୁଡ଼ଙ୍କୁ ନିଲମ୍ୱିତ କରାଯାଇଛି | ଦଳ ବିରୋଧୀ କାର୍ଯ୍ୟ ଆଧାରରେ ବିଜେଡି ସୁପ୍ରିମୋ ନିଲମ୍ବିତ କରିଛନ୍ତି | ଗତ କିଛିଦିନ ହେବ ବିଧାୟକ ଅରବିନ୍ଦ ମହାପାତ୍ର ନିଜର ଦମଦାର ମନ୍ତବ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଥିଲେ | ବିଧାନ ସଭାରେ ଅଧିବେଶନ ସମୟରେ ଶାସକ ଦଳ ବିରୁଦ୍ଧରେ ନିଜର ମନ୍ତବ୍ୟ ଦୃଢତାର ସହିତ ରଖୁଥିଲେ | ଗୃହରେ ବକ୍ତବ୍ୟରେ ସେ ଏଭଳି କିଛି କହିଥିଲେ ଯେଉଁଥିପାଇଁ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ | ସେ କହିଥିଲେ, ‘ନବୀନ ମୋ ନେତା, ପାଣ୍ଡିଆନ ନେତା ନୁହନ୍ତି। ମୋର ଯାହା କଥାବାର୍ତ୍ତା ମୁଁ ସିଧା ନବୀନଙ୍କ ସହ ହୁଏ।’ ‘ଜଣଙ୍କ ପରେ ଜଣେ ଅଫିସର କେନ୍ଦ୍ରୀୟ ଡେପୁଟେସନ୍ରେ ପଳାଇବେ। ଆପଣମାନେ କିଛି କରିପାରିବେନି। ଆପଣମାନେ ହିଁ ଏନ୍ଓସି ଦେଇ ପଠାଉଛନ୍ତି। ଶାସକ ଦଳ ଖାଲି କଥା କହିଲେ କ’ଣ ହେବ। ଯଦି କାର୍ଯ୍ୟାନୁଷ୍ଠାନ ନେବାର ଦମ୍ ଅଛି ତ ନିଅ। ଖାଲି ବୟାନବାଜି କଲେ କ’ଣ ହେବ।’ ‘ଶାସକ ଦଳ ବିଧାୟକ, ମନ୍ତ୍ରୀ କହୁଛନ୍ତି ପୂର୍ବ ସରକାରରେ ଅଫିସରମାନେ ଦୁର୍ନୀତି କରିଥିଲେ। ଯଦି ଅନିୟମିତତା ହୋଇଛି, ତେବେ ମାମଲା କର। କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କର। କ୍ରାଇମ ବ୍ରାଞ୍ଚରେ ଗୋଟେ କେଶ କର ଆଉ ରଫାଦଫା କର | ସେୟା ନ କରିକି ଖାଲି ୨୪ ବର୍ଷ ଶାସନ କଥା ଉଠେଇଲେ କଣ ଲାଭ ହେବ | ଏମିତିରେ ପାଞ୍ଚ ବର୍ଷ ସରିଯିବ, ଆପଣମାନେ କିଛି କରିବେ ବୋଲି ଲୋକଙ୍କର ଆଉ ଭରଷା କି ବିଶ୍ବାସ ନାହିଁ।’
ତେବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କର ବିଧାନସଭା ଗୃହ ଭିତରେ ଏହି ମନ୍ତବ୍ୟଗୁଡ଼ିକ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ଏହି କଥାଗୁଡ଼ିକ ଅରବିନ୍ଦଙ୍କୁ ଯେତିକି ଚର୍ଚ୍ଚିତ କରିଥିଲା ସେତିକି ବିଜେଡି ପାଇଁ ପରୋକ୍ଷରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଏହି ନିଲମ୍ବନ ପଛରେ ଏସବୁ ହିଁ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି। ତେବେ ପୂର୍ବରୁ ଏକ ଆଲୋଚନା ଯାହା ବଡ ଚର୍ଚ୍ଚାର ବିଷୟ ପାଲଟିଥିଲା | ଅନେକଙ୍କ କହିବା ଅନୁସାରେ, ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ରାଜୁତି ଚାଲିଛି। କିନ୍ତୁ ଅରବିନ୍ଦ ସବୁବେଳେ ନବୀନଙ୍କ ପ୍ରତି ଅରବିନ୍ଦ ନିଜର ସମର୍ପଣ ଭାବ ପ୍ରକାଶ କରୁଥିଲେ। ତେବେ ଏହି କାର୍ଯ୍ୟାନୁଷ୍ଠାନରୁ ଏକ ଅନୁମାନ ସ୍ପଷ୍ଟ ହେଉଛିଯେ, ଏଣିକି ନବୀନଙ୍କୁ ନେତା ମାନିବା ସହ ପାଣ୍ଡିଆନଙ୍କୁ ବି ସ୍ବୀକାର କରିବାକୁ ପଡ଼ିବ। ନଚେତ ଅରବିନ୍ଦ ମହାପାତ୍ରଙ୍କ ଭଳି ଅବସ୍ଥା ଭୋଗିବାକୁ ପଡିବ |
ସୂଚନା ଅନୁସାରେ, ଆଗକୁ ରାଜ୍ୟସଭାର ୪ ଆସନ ଖାଲି ହେବ | ଆଉ ଏହି ନିର୍ବାଚନ ପାଇଁ ଦଳ ମାନେ ଜୋରସୋର ପ୍ରସ୍ତୁତିରେ ଲାଗି ପଡିଛନ୍ତି | ଆଉ ଏହି ସମୟରେ ହଠାତ ଭାବେ ଏଭଳି ନିଲମ୍ବନ ବିଜେଡି ଦଳର ନେତା ମାନଙ୍କ ପାଇଁ ଏହି ଏକ ସତର୍କ ବାଣୀ ହୋଇପାରେ ବୋଲି ଅନୁମାନ କରାଯାଉଛି | କେବଳ ସେତିକି ନୁହେଁ, ରାଜ୍ୟସଭା ନିର୍ବାଚନ ପାଇଁ ନବୀନ ନିବାସରେ ଯେଉଁ ବଡ଼ ଯୋଜନା କରାଯାଉଛି, ଏହା ତାହାର ଏକ ପ୍ରତିଫଳନ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ଆଉ ଖୁବ୍ଶୀଘ୍ର ଏହି ଯୋଜନାର ସ୍ପଷ୍ଟ ରୂପରେଖ ସାମ୍ନାକୁ ଆସିବ।
ଅନ୍ୟପଟେ, ପୂର୍ବ ସରକାର ସମୟର ପ୍ରଭାବଶାଳୀ ଅଫିସରମାନଙ୍କ ପ୍ରତି ବର୍ତ୍ତମାନର ସରକାର ନରମ ଆଭିମୁଖ୍ୟ ପୋଷଣ ନେଇ ଅରବିନ୍ଦ ସରକାରଙ୍କୁ ଉସ୍କାଉଥିଲେ। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି। ଆଉ ଏହା ସରକାରଙ୍କୁ ଅଡ଼ୁଆରେ ପକାଉଛି। ଏ ନେଇ ଶାସକ ଦଳର ବହୁ ନେତା ସେମାନଙ୍କର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରୁଥିଲେ। ଏ ସମ୍ପର୍କରେ ପରୋକ୍ଷରେ ଅରବିନ୍ଦଙ୍କୁ ଚେତାବନୀ ଦିଆଯାଇଥିଲା | କିନ୍ତୁ ଅରବିନ୍ଦ ଏହି ପ୍ରସଙ୍ଗକୁ ବିଧାନସଭାରେ ବାରମ୍ବାର ଆଲୋଚନା ପରିଣାମରେ ଏହି ନିଲମ୍ବନ କରାଯିବା ନେଇ କୁହାଯାଉଛି।
ସେପଟେ, ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଆଗାମୀ ସମୟରେ ବଡ଼ ରାଜନୈତିକ ପଦକ୍ଷେପ ନେବାକୁ ଅଭିଯାନ ଚଳାଇଛନ୍ତି। ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି। ସେହି ସବୁ ଘଟଣାକୁ ଦେଖି ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଜୟଙ୍କୁ ଚେତାବନୀ ଦେବାକୁ ଉଦ୍ୟମ କରାଯାଇଛି। ଗତ ୨୬ ବର୍ଷ ତଳେ ଅର୍ଥାତ ୨୦୦୦ ମସିହାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲେ ନବୀନ। ତା ପରେ,ବିଜୟଙ୍କ ପୁଅ ଅରବିନ୍ଦ ବିଜେଡିରେ ଆସି ସାମିଲ ହୋଇଥିଲେ ବି ବିଜୟ ବିଜେଡିକୁ ଫେରିନାହାନ୍ତି କି ନବୀନ ନିବାସ ଯାଇନାହାନ୍ତି।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଲା | କିନ୍ତୁ କେନ୍ଦୁଝରର ଅନ୍ୟତମ ପ୍ରଭାବଶାଳୀ ବିଧାୟକ ବଦ୍ରିନାରାୟଣ ପାତ୍ର ବାରମ୍ବାର ଦଳୀୟ କାର୍ଯ୍ୟଧାରାକୁ ବାରମ୍ବାର ସମାଲୋଚନା କରିଚାଲିଛନ୍ତି। ଏପରିକି ପାଣ୍ଡିଆନ-ବବିଙ୍କ ଯୋଡ଼ିକୁ ନେଇ ସିଧାସଳଖ ଆକ୍ରମଣ କରୁଛନ୍ତି। ସମାନ ଭାବେ ସାଂସଦ ଦେବାଶିଷ ସାମନ୍ତରାୟ ବି ଦଳର ପରିଚାଳନାକୁ ନେଇ ଅସନ୍ତୋଷ ଜାହିର କରିବା ସହ ପାଣ୍ଡିଆନଙ୍କୁ ନେଇ ସମାଲୋଚନା କରୁଛନ୍ତି। ମାତ୍ର ଏହି ଦୁଇ ବରିଷ୍ଠ ନେତାଙ୍କୁ ତାଗିଦ୍ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଅ ଯାଉନାହିଁ କାହିଁକି? ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି! ତେବେ କାଲିର କାର୍ଯ୍ୟାନୁଷ୍ଠାନ ଆଗାମୀ ସମୟରେ ସେମାନଙ୍କ ପ୍ରତି ଏକ ଚେତାବନୀ ହେବକି? ଏନେଇ ମଧ୍ୟ ଆଲୋଚନା ହେଉଛି |
ତେବେ ବିଜେଡି ସୁପ୍ରିମୋ ନବୀନଙ୍କର, ଏହି ନିଷ୍ପତ୍ତି ନୂଆ ନୁହେଁ | ଏହା ପୂର୍ବରୁ ଅନେକ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ୱିତ କରି ଉଦାହରଣ ସୃଷ୍ଟି କରିଛନ୍ତି ନବୀନ | କିନ୍ତୁ କଥା ହେଉଛି କ୍ଷମତାରେ ଥାଇ ଦଳରୁ ନେତାଙ୍କୁ ନିଲମ୍ୱିତ କରିବା ଅଲଗା କଥା | କିନ୍ତୁ ୨୦୨୪ ନିର୍ବାଚନ ପରେ ଏମିତିରେ ଜଣେ ପରେ ଜଣେ ନେତା ଦଳ ଛାଡି ଯାଇ ଅନ୍ୟ ଦଳରେ ମିସୁଛନ୍ତି | ଆଉ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଏଭଳି ନିଷ୍ପତ୍ତି କ୍ଷମତାରୁ ଯିବା ପରେ ଏବେ ଏହି ନିଷ୍ପତ୍ତି ଦଳକୁ ଭାଙ୍ଗିବ କି ଏକଜୁଟ୍ କରିବ, ତାହା ଆଗାମୀ ସମୟରେ ଜଣା ପଡିବ |

