Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାର୍ଟିଠାରୁ ମାଟି ବଡ଼ ଓ ମାଟି ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସେ ସବୁବେଳେ ରହିବେ। ଏହି ମନ୍ତବ୍ୟ ପାଇଁ ଦଳରୁ ବିଦା ହେଲେ କି ସନା ମହାକୁଡ଼?

କେନ୍ଦୁଝର,୧୬|୧: ଗତକାଲି ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି | ବିଜେଡିର ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନା ମହାକୁଡ଼ଙ୍କୁ ଦଳ କାର୍ଯ୍ୟ ବିରୋଧୀ ଆଧାରରେ ନିଲମ୍ବନ କରିଛନ୍ତି ନବୀନ | ତେବେ ବିଜେଡିର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ନିଲମ୍ବନ ହେବାକୁ ଚାହୁଥିଲେ ବୋଲି ଅନୁମାନ କରାଯାଉଛି | ଏନେଇ ସେ ବାରମ୍ବାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସ୍ପଷ୍ଟ କରିଥିଲେ। ତେବେ ଦୁଇଦିନ ତଳେ ତାଙ୍କ ମନ୍ତବ୍ୟ ଏ କଥାକୁ ଆହୁରି ସ୍ପଷ୍ଟ କରିଛି | ସେ କହିଥିଲେ, ପାର୍ଟିଠାରୁ ମାଟି ବଡ଼ ଓ ମାଟି ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସେ ସବୁବେଳେ ରହିବେ। ଏହା ସହିତ ବିଜେଡି ସରକାର ସମୟରେ କେନ୍ଦୁଝର ଜିଲ୍ଲାକୁ ଅବହେଳା କରାଯାଉଥିବା ନେଇ ମଧ୍ୟ ମନ୍ତବ୍ୟ ରଖିଥିଲେ। ଏହି ମନ୍ତବ୍ୟ ପାଇଁ ସନାତନଙ୍କୁ ବିଜେଡି ନିଲମ୍ବନ କରିଛି ବୋଲି ସ୍ପଷ୍ଟ ଅନୁମାନ ହେଉଛି | କିନ୍ତୁ ସନାତନ ବିଜେଡି ସହିତ ନ ରହିବାକୁ ୨୦୨୪ ନିର୍ବାଚନ ପରଠାରୁ ହିଁ ଚିନ୍ତା କରିଥିଲେ ବୋଲି ତାଙ୍କ କାର୍ଯ୍ୟକ୍ରମ ଓ ଗତିବିଧିରୁ ଅନୁମାନ ହେଉଥିଲା। ତେଣୁ ନିଜେ ଦଳକୁ ଛାଡିବା ଅପେକ୍ଷା ଦଳ ତାଙ୍କୁ ନିଲମ୍ବିତ କରୁ ବୋଲି ଚାହୁଁଥିଲେ। ‌ତେବେ ସନାତନ ଯାହା ଚାହୁଁଥିଲେ, ବିଜେଡି ଦୀର୍ଘ ଦେଢ଼ବର୍ଷ ପରେ ତାହା କରିଛି ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, କେନ୍ଦୁଝର ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ସନାତନ ଦୁଇଥର ବିଧାୟକ ହୋଇଛନ୍ତି। ପ୍ରଥମଥର ୨୦୧୪ରେ ସେ ସ୍ବାଧୀନ ଭାବେ ଜିତିଥିଲେ। ଏବଂ ୨୦୧୯ରେ ସନାତନଙ୍କ ସମର୍ଥିତ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତଙ୍କୁ ବିଜେଡି ଟିକେଟ ଦେଇଥିଲା ଏବଂ ସେ ବିଧାୟିକା ହୋଇଥିଲେ। ଏହା ପରେ ୨୦୨୪ ନିର୍ବାଚନରେ ସନାତନଙ୍କୁ ଶେଷ ମୁହୂର୍ତ୍ତରେ ବିଜେଡି ଟିକେଟ ଦେଇଥିଲା ଏବଂ ସେ ନିର୍ବାଚନରେ ଜିତିଥିଲେ । ବିଜେଡିର ପରାଜୟ ପରେ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ଭେଟିବାକୁ ନବୀନ ନିବାସକୁ ଡାକିଥିଲେ। କିନ୍ତୁ ନିବୀନ ନିବାସରେ ଅନୁଷ୍ଠିତ ବୈଠକରେ ସନାତନଙ୍କ ବ୍ୟତୀତ ଅନ୍ୟ ସମସ୍ତ ‌ବିଧାୟକ ଉପସ୍ଥିତ ଥିଲେ। ସେ ଅସୁସ୍ଥ ଥିବା କାରଣ ଦର୍ଶାଇ ସେଠାକୁ ଯାଇନଥିଲେ। ସେହିପରି ଗତବର୍ଷ ଫେବୃୟାରି ୧୨ ତାରିଖରେ ବିଜେଡିର ବିଧାୟକ ଦଳ ବୈଠକରେ ମଧ୍ୟ ସନାତନଙ୍କୁ ଦେଖିବାକୁ ମିଳିନଥିଲା। ପୁଣି ଅସୁସ୍ଥତା ଦର୍ଶାଇ ସେ ଯାଇ ନଥିଲେ।

ସେ ବାରମ୍ବାର ନବୀନଙ୍କୁ ଅଣଦେଖା କରିବା ପଛରେ ଏକାଧିକ ଚର୍ଚ୍ଚା ରହିଥିବା ଆଲୋଚନା ହେଉଥିଲା। ତାହା ମଧ୍ୟରୁ ପ୍ରଥମଟି ହେଉଛି- ବହୁ ବର୍ଷ ଧରି ସନାତନ ବିଜେଡିର ଏକ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଥିଲେ। ସନାତନଙ୍କୁ ପୁଲିସ ଲଗାଇ ଧମକାଇବା ସହିତ ବ୍ୟାଙ୍କର ଜମାଟଙ୍କାକୁ ଫ୍ରିଜ୍‌ କରିବା, ତାଙ୍କ ସମର୍ଥକଙ୍କୁ ବିଭିନ୍ନ ସମୟରେ ଗିରଫ କରାଇବା ଓ ମୁହଁ ଖୋଲିଲେ ଗିରଫ କରିବାକୁ ତୃତୀୟ ମହଲାର କିଛି ଅଧିକାରୀ ନିୟମିତ ଧମକାଉଥିଲେ। ଯେଉଁଥି ପାଇଁ ସନାତନ ବିଜେଡି ଟିକେଟରେ ଲଢ଼ିଥିଲେ ମଧ୍ୟ ବିଜେଡି ବିରୁଦ୍ଧରେ ତାଙ୍କର ଅସନ୍ତୋଷ ରହିଥିଲା। ତେଣୁ ବିଜେଡିର ପରାଜୟ ପରେ ନବୀନଙ୍କୁ ସମ୍ମାନ ଦେବା କିମ୍ବା ତାଙ୍କ ନିର୍ଦ୍ଦେଶ ମାନିବାକୁ ସେ ଗୁରୁତ୍ବ ଦେଉନଥିଲେ ବୋଲି କୁହାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories