ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ! ଦ୍ୱିତୀୟ ପତ୍ନୀ ପରିବାର ପେନ୍ସନ୍ ବା ଫ୍ୟାମିଲି ପେନ୍ସନ୍ ପାଇବା ପାଇଁ ହକଦାର୍ ନୁହେଁ
କଟକ,୧୬|୧: ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପେନ୍ସନ୍ ପାଇବା ପାଇଁ ନିଶ୍ଚିତ ରୂପେ ଦାବିଦାର | କିନ୍ତୁ ତାଙ୍କର ଦ୍ୱିତୀୟ ପତ୍ନୀ ପରିବାର ପେନ୍ସନ୍ ବା “ଫ୍ୟାମିଲି ପେନ୍ସନ୍’ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ | ଏ କଥା ଆମେ କହୁନୁ ଏ କଥା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଯଦି ପ୍ରଥମ ପତ୍ନୀ ଜୀବିତ ଥିବା ସମୟରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରୁଛନ୍ତି, ତେବେ ସେହି ବିବାହ ଆଇନ ଦୃଷ୍ଟିରୁ ଭୁଲ। ଏପରି କ୍ଷେତ୍ରରେ ଦ୍ୱିତୀୟ ପତ୍ନୀ ପେନ୍ସନ୍ ପାଇଁ ଦାବି କରିପାରିବେ ନାହିଁ |ଏନେଇ ହାଇକୋର୍ଟର ବିଚାରପତି ଜଷ୍ଟିସ ଡି.କେ. ଶ୍ରୀପଦ ଏବଂ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଏକ ଖଣ୍ଡପୀଠ ଗଠିତ ହୋଇଥିଲା | ଯେଉଁଥିରେ ବିଚାରପତି ଜଷ୍ଟିସ ଡି.କେ. ଶ୍ରୀପଦ ଏବଂ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଏକ ମାମଲାରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ସୂଚନା ଅନୁସାରେ, ନିରଞ୍ଜନ ଦ୍ୱିବେଦୀ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କନକଲତା ଦ୍ୱିବେଦୀ ଫ୍ୟାମିଲି ପେନ୍ସନ୍ ପାଇଁ ଆବେଦନ କରିଥିଲେ । ତେବେ ତଦନ୍ତରୁ ଜଣାପଡ଼ିଥିଲା ଯେ, ନିରଞ୍ଜନ ତାଙ୍କର ପ୍ରଥମ ପତ୍ନୀ ଇନ୍ଦୁମତୀ ଦ୍ୱିବେଦୀ ଜୀବିତ ଥିବା ସତ୍ତ୍ୱେ କନକଲତାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ବିବାହ କରିଥିଲେ । ତେବେ ଏହି ଆଧାରରେ କଣ୍ଟ୍ରୋଲର୍ ଅଫ୍ ଆକାଉଣ୍ଟ୍ସ କନକଲତାଙ୍କ ପେନ୍ସନ୍ ଦାବିକୁ ଖାରଜ କରିଦେଇଥିଲେ ବୋଲି ସୂଚନା ରହିଛି । କିନ୍ତୁ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି କନକଲତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରିଣୀଙ୍କ ଯୁକ୍ତି ଥିଲା ଯେ, ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ବିବାହ ଆଇନ ସମ୍ମତି ହେବା କଥା | କିନ୍ତୁ ହାଇକୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି ।
ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କ ଥାଇ ଦ୍ୱିତୀୟ ବିବାହ କରିବା ଏକ ଆଇନତଃ ଭୁଲ । ଯାହା ଆରମ୍ଭରୁ ବେଆଇନ ତାହା ପରେ ଆଇନଗତ ବା ବୈଧ ବୋଲି ଗ୍ରହଣ କରାଯାଇ ପାରିବନାହିଁ । ଓଡ଼ିଶା ସିଭିଲ ସର୍ଭିସେସ୍ (ପେନସନ) ନିୟମାବଳୀ-୧୯୯୨ ଅନୁସାରେ, ପେନସନ ପାଇଁ ଜଣେ “ବୈଧ ପତ୍ନୀ’ ହେବା ଅପରିହାର୍ଯ୍ୟ । ହିନ୍ଦୁ ବିବାହ ଆଇନ-୧୯୫୫ ଅନୁସାରେ “ଏକପତ୍ନୀ ବ୍ରତ’ ଏକ କଠୋର ନିୟମ | ଯେଉଁ ବିବାହ ଆରମ୍ଭରୁ ହିଁ ଭୁଲ ତାହା ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମଧ୍ୟ ବୈଧ ହୋଇପାରିବ ନାହିଁ । ଦ୍ୱିତୀୟ ପତ୍ନୀଙ୍କୁ ପେନ୍ସନ୍ ଦେବା ପାଇଁ ଅନୁମତି ଦେବା ଅର୍ଥ ବେଆଇନ କାର୍ଯ୍ୟକୁ ସମର୍ଥନ କରିବା ସହ ସମାନ । ଫ୍ୟାମିଲି ପେନ୍ସନ୍ କେବଳ ଆଇନତଃ “ବୈଧ ପତ୍ନୀ’ଙ୍କୁ ମିଳିଥାଏ | ଏନେଇ ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ସୂଚନା ଦେଇଛନ୍ତି ।

