Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ଡାକ୍ତର ଦମ୍ପତିଙ୍କଠାରୁ ୧୫ ଦିନରେ ୧୫ କୋଟି ଟଙ୍କା ଲୁଟି ନେଲେ ସାଇବର ଠକ!

ନୂଆଦିଲ୍ଲୀ,୧୬|୧: ସାଇବର ସମ୍ପର୍କିତ କାର୍ଯ୍ୟକଳାପକୁ ରୋକିବାକୁ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି | ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ଏନେଇ ଅବଗତ ମଧ୍ୟ କରାଉଛନ୍ତି ସରକାର | କିନ୍ତୁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ପ୍ରତିଦିନ ସାଇବର ଠକେଇ ମାମଲା ସମ୍ପର୍କିତ ଖବର ସାମ୍ନାକୁ ଆସୁଛି |ତେବେ ଏଭଳି ଏକ ଘଟଣା ଘଟିଛି ଭାରତର ରାଜଧାନୀ ନୂଆଦିଲ୍ଲୀରେ | ଗ୍ରେଟର କୈଳାସରେ ବସବାସ କରୁଥିବା ଏନଆରଆଇ ଡାକ୍ତର ଦମ୍ପତିଙ୍କୁ ଡିଜିଟାଲ ଗିରଫ କରି ସେମାନଙ୍କଠାରୁ ପ୍ରାୟ ୧୫ କୋଟି ୮୫ଲକ୍ଷ ଟଙ୍କା ଠକି ନେଇ ଯାଇଛନ୍ତି।

ଗତ ଡିସେମ୍ବର ୨୪ରୁ ଜାନୁଆରି ୯ ମଧ୍ୟରେ ଏହି ଠକେଇ ହୋଇଥିବା ଜଣାପଡିଛି | ଅର୍ଥାତ ୧୫ ଦିନ ମଧ୍ୟରେ ସାଇବର ଅପରାଧୀ ଏହି ଠକେଇ କରିଛନ୍ତି | ଡାକ୍ତର ଓମ୍ ତନେଜା ଏବଂ ତାଙ୍କ ପତ୍ନୀ ଡାକ୍ତର ଇନ୍ଦିରା ତନେଜା ପ୍ରାୟ ୪୮ ବର୍ଷ ଧରି ଆମେରିକାରେ ଚାକିରି କରୁଥିଲେ | ଏବଂ ପରେ ଅବସର ନେଇ ୨୦୧୫ରେ ଭାରତକୁ ଫେରି ଆସିଥିଲେ।

ସୂଚନା ଅନୁସାରେ, ଡାକ୍ତର ଦମ୍ପତି ୨୦୧୫ ମସିହାରୁ ଚାରିଟେବୁଲ ସର୍ଭିସ ସହ ଜଡ଼ିତ ଥିଲେ। କିନ୍ତୁ ଦିନେ ଏମିତି ଏକ ଠକେଇର ଶିକାର ହେବେ ସେ ସ୍ବପ୍ନରେ ଭାବି ନଥିଲେ | ଗତ ଡିସେମ୍ବର ୨୪ତାରିଖରେ ସାଇବର ଠକମାନେ ଡାକ୍ତର ଦମ୍ପତିଙ୍କୁ ଫୋନ କରିଥିଲେ । ଏଥିରେ ସେମାନେ ବୃଦ୍ଧବୃଦ୍ଧାଙ୍କୁ ମିଥ୍ୟା ମାମଲାରେ ଫସେଇ ଦେବା ସହିତ ଗିରଫ ୱାରେଣ୍ଟ ପାଇଁ ଧମକ ମଧ୍ୟ ଦେଇଥିଲେ। ତେବେ ଡାକ୍ତର ଦମ୍ପତି ଏତେ ଭୟଭୀତ ହୋଇଯାଇଥିଲେ ଯେ, ସେମାନେ ସାଇବର ଠକଙ୍କ ରଚିତ ଯୋଜନାରେ ଫସି ଯାଇଥିଲେ। ଏହାପରେ କିଛିସମୟ ମଧ୍ୟରେ ଡକ୍ଟର ଇନ୍ଦିରା ତନେଜାଙ୍କ ଦ୍ୱାରା ଆଠଟି ଭିନ୍ନଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଇଥିଲା ବୋଲି ଜଣାପଡିଛି ।

ଡକ୍ଟର ଇନ୍ଦିରା ତନେଜାଙ୍କ କହିବା ଅନୁସାରେ, ସାଇବର ଠକମାନେ ତାଙ୍କୁ ବିଭିନ୍ନ ପରିମାଣର ଟଙ୍କା ଡିମାଣ୍ଡ କରିଥିଲେ | କେତେବେଳେ ୨ କୋଟି ଟଙ୍କା ତ ପୁଣି କେତେବେଳେ ୨ କୋଟି ୧୦ ଲକ୍ଷ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ। କେବଳ ସେତିକି ନୁହେଁ ତାଙ୍କୁ ଗିରଫ ୱାରେଣ୍ଟ ଏବଂ ମିଥ୍ୟା ମାମଲା ଯେମିତି କି ପିଏମଏଲଏ ଏବଂ ମନି ଲଣ୍ଡରିଂ ଆଇନର ଉଦାହରଣ ଦେଇ ଧମକ ମଧ୍ୟ ଦେଇଥିଲେ। ଠକେଇ ବିଷୟରେ ଯେମିତି ଦମ୍ପତ୍ତି ଜଣଙ୍କ କାହାକୁ ସୂଚନା ନ ଦେଇ ପାରନ୍ତି ସେଥିପାଇଁ ସାଇବର ଅପରାଧୀମାନେ ତାଙ୍କ ସ୍ୱାମୀ ଡକ୍ଟର ଓମ୍ ତନେଜାଙ୍କୁ ଭିଡିଓ କଲ୍ କରି ତାଙ୍କ କାର୍ଯ୍ୟ ଉପରେ ନଜର ରଖୁଥିଲେ ଏବଂ ନିଶ୍ଚିତ କରୁଥିଲେ ଯେ ସେ ଠକେଇ ବିଷୟରେ କାହାକୁ କହୁ ନାହାଁନ୍ତି ତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଏକ କାମରେ ଆମେ ପୁଲିସ ଷ୍ଟେସନ ଯାଇଥିଲୁ। ଭିଡିଓ କଲରେ ଥିବା ଠକମାନେ ପୁଲିସ ଅଧିକାରୀଙ୍କ ସହିତ ଅଶ୍ଳୀଳ ଭାଷାରେ କଥା ହୋଇଥି‌ଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କଠାରୁ ଇତିମଧ୍ୟରେ ଠକ ୧୪କୋଟି ୧୮ଲକ୍ଷ ଟଙ୍କା ହଡ଼ପ କରି ନିଆଯାଇଛି। ଏହି ଘଟଣା ଡାକ୍ତର ଦମ୍ପତି ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏବେ ମାମଲାର ଅଧିକ ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ସାଇବର ୟୁନିଟ୍ ଆଇଏଫଏସଓକୁ ହସ୍ତାନ୍ତର କରିଛି ବୋଲି ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ