ନବୀନଙ୍କୁ ଭେଟିଲେ ଅଖିଳେଶ ଯାଦବ! ବଦଳିବକି ରାଜନୀତି ଗଣିତ?
ଭୁବନେଶ୍ୱର,୧୭ା୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ୨ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଏହି ଗସ୍ତକୁ ମିଶାଇ ଅଖିଳେଶ ୩ଥର ଓଡ଼ିଶା ଆସିଲେଣି।ପୂର୍ବରୁ ମଧ୍ୟ ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିଲେ | ନୂଆପଡା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀଙ୍କ ପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଶା ଆସିଥିଲେ।
ଏହା ପୂର୍ବରୁ ଅଖିଳେଶ ପୁରା ପରିବାର ସମେତ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ | ଏବଂ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀ ମଧ୍ୟ କରିଥିଲେ। ତେବେ ଗତକାଲି ଅଖିଳେଶ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୋଟିଏ ବର୍ଷରେ ୩ ଥର ଓଡ଼ିଶା ଆସିବାର ସୁଯୋଗ ମିଳିଛି। ପୂର୍ବରୁ ଅନେକ ସମାଜବାଦୀ ଆନ୍ଦୋଳନରେ ଓଡ଼ିଶାର ବହୁ ନେତା ସାମିଲ ଥିଲେ। ରାଜ୍ୟର ମହାନ ନେତା ବିଜୁ ପଟ୍ଟନାୟକଙ୍କ ଭଳି ସମାଜବାଦୀ ବିଚାରର ଲୋକ ମଧ୍ୟ ସାମିଲ ହୋଇଥିଲେ | ସେହିଭଳି ବିଚାରଧାରା ରଖୁଥିବା ଲୋକଙ୍କୁ ଏକାଠିକରି ଆଗକୁ ବିରାଟ ଶକ୍ତି ପ୍ରସ୍ତୁତ କରାଯିବ। ଯାହା ବିଭାଜନ କରୁଥିବା ରାଜନୀତିକୁ ବିରୁଦ୍ଧ କରିବ | ସମାଜବାଦୀ ପାର୍ଟି ଏହି ବିଭାଜନ ରାଜନୀତିକୁ କେବେ ପସନ୍ଦ କରେନାହିଁ। ବିଜେପି ବିରୋଧରେ ଲଢ଼ିବାର ସମସ୍ତ ଶକ୍ତିକୁ ଏକାଠି କରାଯିବ। ବିଜେପିର ସବୁ କାରନାମା ଯେତେବେଳେ ଲୋକଲୋଚନକୁ ଆସିବ ତା’ପରେ ସେ ଦିଲ୍ଲୀ ଯିବେ ଏବଂ ଆଗାମୀ ସମୟରେ ସେ ବାରମ୍ବାର ଓଡ଼ିଶା ଆସିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଓଡ଼ିଶାରେ ସମାଜବାଦୀ ପାର୍ଟି ଆଗକୁ ବଢୁ ସେ ଉଦ୍ଦେଶ୍ୟରେ ସେ ରାଜ୍ୟକୁ ବାରମ୍ବାର ଆସୁଛନ୍ତି ବୋଲି ଅଖିଳେଶ ତାଙ୍କ ମନ୍ତବ୍ୟରେ କହିଛନ୍ତି।
ଏହାପରେ ସେ ଏକ ଘରୋଇ ହୋଟେଲକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିଥିଲେ | ଏବଂ ପରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ଉଦ୍ଦେଶ୍ୟରେ ନବୀନ ନିବାସ ଯାଇଥିଲେ । ନବୀନ ନିବାସରେ ପ୍ରାୟ ୩୦ ମିନିଟ୍ ଧରି ସେ ନବୀନଙ୍କ ସହ ବିଭିନ୍ନ ରାଜନୈତିକ ବିଷୟରେ ଆଲୋଚନା କରିଥିଲେ। ମିଳିଥିବା ସୂଚନା ଅନୁସାରେ, ନବୀନଙ୍କୁ ବୈଠକ ସମୟରେ ଦେଶର ଜଣେ ବଡ଼ ନେତା ବୋଲି ଅଖିଳେଶ ସମ୍ବୋଧନ କରିଥିଲେ | ଏହାସହିତ ଜାତୀୟ ରାଜନୀତି ପ୍ରସଙ୍ଗରେ ମୁହଁ ଖୋଲି ନିଜର ଗୁରୁତ୍ୱ ମନ୍ତବ୍ୟ ଦେବାକୁ କୁଆଡ଼େ ପ୍ରସ୍ତାବ ଦେଇଥିବା ମଧ୍ୟ ଆଲୋଚନା ହେଉଛି। ନବୀନଙ୍କୁ ଭେଟିବା ପରେ ଅଖିଳେଶ କହିଛନ୍ତି, ବିଜୁ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବୀନ ପଟ୍ଟନାୟକ ଶାସନ ସମୟରେ ଓଡ଼ିଶାର ବହୁ ବିକାଶ କରିଛନ୍ତି। ରାଜ୍ୟରେ ଯେଉଁ ଅଞ୍ଚଳକୁ ଗଲେ ବିଜେଡି ଶାସନ ସମୟରେ କେତେ ବିକାଶ ହୋଇଛି ତାହା ଦେଖାଯାଉଛି। ନବୀନ ଏବଂ ସେ କୌଣସି ନା କୌଣସି ବାଟରେ ଭାଜପା ସହ ଲଢୁଛନ୍ତି। ବିଜୁ ବାବୁଙ୍କ ସହ ଅଖିଳେଶଙ୍କ ବାପାଙ୍କର ରହିଥିବା ଗଭୀର ସମ୍ପର୍କ ବିଷୟରେ ମଧ୍ୟ ସେ କହିଥିଲେ। ତେବେ ଆଗକୁ ଥିବା ୪ ରାଜ୍ୟ ସଭା ଆସନ ଭୋଟିଂ ପୂର୍ବରୁ ଓଡ଼ିଶାକୁ ଅଖିଳେଶଙ୍କ ଗସ୍ତ ଏବଂ ନବୀନଙ୍କ ସାଙ୍ଗରେ ସାକ୍ଷାତ ଏକ ରାଜନୈତିକ ମୋଡ ବଦଳାଇବକି? ଏନେଇ ରାଜନୈତିକ ମହଲରେ ମଧ୍ୟ ଆଲୋଚନା ହେଉଛି | ଅଖିଳେଶ ରହୁଥିବା ଘରୋଇ ହୋଟେଲରେ ବହୁ ବରିଷ୍ଠ ନେତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ବୋଲି ମଧ୍ୟ ଜଣାପଡିଛି।

