ଭକ୍ତ ନିବାସରେ ଚାରି ଚକିଆ ଯାନ ପାର୍କିଂ ଫି ନିୟମରେ ପରିବର୍ତ୍ତନ ; ପାର୍କିଂ ଫି ବାବଦକୁ ଦେବାକୁ ପଡିବ ୨୪୦ଟଙ୍କା
ପୁରୀ, ୧୮।୧ : ଏଣିକି ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସରେ ପାର୍କିଂ ବାବଦକୁ ଦେବାକୁ ପଡିବ ୨୪୦ଟଙ୍କା। ଚାରି ଚକିଆ ଯାନ ପାର୍କିଂ ପାଇଁ ଦିନକୁ ୫ ଶହ ଟଙ୍କା ଫି ନିୟମରେ ହୋଇଛି ସଂଶୋଧନ। ପୂର୍ବରୁ ଏଥିପାଇଁ ୫୦୦ ଟଙ୍କା ରହିଥିଲା। ଏଣିକି ଚାରିଚକିଆ ଯାନ ପାର୍କିଂ କଲେ ୫୦୦ ଟଙ୍କା ନୁହେଁ ବରଂ ୨୪୦ ଟଙ୍କା ଦେବାକୁ ପଡ଼ିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜିଠାରୁଏହି ନୂତନ ପାର୍କିଂ ଫି ଲାଗୁ କରାଯିବ। ଭକ୍ତ ନିବାସରେ ରହିବାକୁ ଥିବା ଯାତ୍ରୀ ମାନଙ୍କର ଗାଡ଼ି ହିଁ ପାର୍କିଂ କରାଯିବ।
ସୂଚନା ଅନୁସାରେ, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଠାରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତିମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ସରକାରଙ୍କ ଅନୁମତି ମିଳିବା ପରେ ହିଁ ଦିନ, ତିଥି, ଲଗ୍ନ ଓ ବାର ସ୍ଥିର କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ରତ୍ନ ଅଳଙ୍କାର ଗଣତିମଣତି ସମୟରେ କେବଳ ପାଳିଆ ସେବାୟତମାନେ ହିଁ ଉପସ୍ଥିତ ରହିବେ।
ଆଦର୍ଶ ଗୁରୁକୁଳ ନିର୍ମାଣ କରିବା ପାଇଁ ମାଟିତୋଟାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଏହା ସହିତ ଖୁବଶୀଘ୍ର ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଆରମ୍ଭ ହେବାସହ ମହାପ୍ରଭୁଙ୍କ ପାଇଁ ନୂଆ ରତ୍ନପଲଙ୍କର ସେଟ୍ ମଧ୍ୟ ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ଭିତରେ ମୋବାଇଲ କୁ ନେଇ ମଧ୍ୟ କଟକଣା ଲାଗୁ ହୋଇଛି। ସୁରକ୍ଷାକର୍ମୀଙ୍କ ସମେତ ସେବାୟତଙ୍କ ଲାଗି ମୋବାଇଲ ଫୋନ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ ହୋଇଛି।
ଅନ୍ୟପଟେ, ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି। ସେବାୟତ ମାନଙ୍କ ପରାମର୍ଶ ଓ ଶୁଭ ବେଳା ଦେଖି ମହାପ୍ରଭୁଙ୍କ କାର୍ଯ୍ୟରେ ରତ୍ନ ପଲଙ୍କ ବ୍ୟବହୃତ କରାଯିବା ଖୁବଶୀଘ୍ର ସର୍ବସାଧାରଣଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଗୁଣ୍ଡିଚା ମନ୍ଦିର ଯାଇ ବୁଲି ଦେଖିବା ପରେ ମାର୍ଗଦର୍ଶିକା ଆଧାରରେ ସର୍ବସାଧାରଣଙ୍କ ପାଇଁ ଦ୍ବାର ଖୋଲିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରବେଶ ଫି ଦଶ ଟଙ୍କା ରଖାଯାଇଥିବା ବେଳେ ମୋବାଇଲ ଓ ଜୋତା ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଫ୍ରି ରହିବ। ସେହିପରି ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟର ଦଶାବତାର ମୂର୍ତ୍ତି ଲାଗିବା ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ଏନେଇ ନିଷ୍ପତ୍ତି ନିଆଯିବ।
ଖୁବଶୀଘ୍ର ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ରାମ୍ପରେ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥା କେବଳ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ବୈଠକ ପରେ ସୂଚନା ଦେଇଛନ୍ତି।

