ଖଣ୍ଡଗିରି କୁମ୍ଭ ମେଳା ପାଇଁ ବିଏମସିର କଡା ନିୟମ; ଯାତ୍ରା ପେଣ୍ଡାଲରେ ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ NOC
ଭୁବନେଶ୍ୱର,୨୦|୧: ଖଣ୍ଡଗିରି କୁମ୍ଭ ମେଳାକୁ ନେଇ ବିଏମସି ଆଣିଛି କଡା ନିୟମ | ଯାତ୍ରା ପେଣ୍ଡାଲରେ ଅଶ୍ଳିଳତା ପ୍ରଦର୍ଶନ ଏବଂ ମେଳା ବାହାରେ ପାର୍କିଂ ଉପରେ କଟକଣା | ଏନେଇ ନିରୀକ୍ଷଣ କରିବ ବିଏମସିର ସ୍ଵତନ୍ତ୍ର ସ୍କୁଆଡ |
ସୂଚନା ଅନୁସାରେ, ଆସନ୍ତା ଜାନୁଆରି ୨୭ରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭ ମେଳା। ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ। ଅଂଶ ଗ୍ରହଣ କରିବେ ୧୪ ଯାତ୍ରା ପାର୍ଟି। ଏଥିପାଇଁ ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ନିଜ ନିଜର ପ୍ରସ୍ତୁତି ଜୋର ସୋରରେ ଆରମ୍ଭ ହୋଇଛି | ଏ ସବୁ ମଧ୍ୟରେ ଖଣ୍ଡଗିରି ଯାତ୍ରା ପାଇଁ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି |
ଏଣିକି ଯାତ୍ରା ପେଣ୍ଡାଲରେ ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ ଏନଓସି। ଏନେଇ ନଜର ରଖିବ ବିଏମସିର ସ୍ଵତନ୍ତ୍ର ସ୍କୁଆଡ। ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ନିଆଯିବ ଆକ୍ସନ। ପାର୍କିଂ ଉପରେ ବି ହୋଇଛି କଟକଣା | ବାହାରେ ପାର୍କିଂ କଲେ ଗାଡ଼ି ଉଠେଇ ନେବା ସହ ଗାଡ଼ି ମାଲିକଙ୍କୁ ୧୨ ଶହ ଟଙ୍କା ଫାଇନ ମଧ୍ୟ ହେବ |
କେବଳ ସେତିକି ନୁହେଁ ମେଳାର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବ ଯାତ୍ରା କମିଟି | ଯାତ୍ରା କଳାକାର ଓ କମିଟି ସଦସ୍ୟଙ୍କ ପାଇଁ ହେବ ସ୍ଵତନ୍ତ୍ର ପାର୍କିଂ ପ୍ଲେସ। ସେନେଇ କମିଟି ଜାଗା ନିରୂପଣ କରିବେ। ଏନେଇ ଦକ୍ଷିଣ ପୂର୍ବ ଜେଡିସି ସୂଚନା ଦେଇଛନ୍ତି। ଖଣ୍ଡଗିରି ଯାତ୍ରା କମିଟି ସହିତ ଆଲୋଚନା ପରେ ଏହି ଏସଓପି ବିଏମସି ପକ୍ଷରୁ ଜାରି ହୋଇଛି ବୋଲି ଜଣାପଡିଛି |

