ଉଲୁଣ୍ଡା ରେ ବ୍ଲକ ସ୍ତରୀୟ ବନ୍ଦେ ମାତରମ୍ ସାମୁହିକ ଗାନ କାର୍ଯ୍ୟକ୍ରମ ଉଦଯାପିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବନ୍ଦେ ମାତରମ ସାମୁହିକ ଗାନ କାର୍ଯ୍ୟକ୍ରମ ସଫଳତାର ସହିତ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଲୁଣ୍ଡା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରଭକ୍ତି ଓ ସଂସ୍କୃତିଚେତନା ବିକାଶରେ “ବନ୍ଦେ ମାତରମ” ଗୀତର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ୍ରାଂଶୁ ଶେଖର ମଲ୍ଲିକ , ବ୍ଲକ ଆର୍ଥିକ ଅଧିକାରୀ ଜୟନ୍ତୀ ମଲ୍ଲିକ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରୀତିକା ପଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ବନ୍ଦେ ମାତରମ ତାଲିମ ଦାତା ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ “ବନ୍ଦେ ମାତରମ” ଗୀତର ଐତିହ୍ୟ, ମୂଲ୍ୟବୋଧ ଓ ଦେଶପ୍ରେମ ସହିତ ତାହାର ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରି ସମସ୍ତଙ୍କୁ ପ୍ରେରିତ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ବନ୍ଦେ ମାତରମ ତାଲିମ ଦାତା ତଥା ଜାମ ଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମେଶ୍ୱର ବଡ଼ମାଳି ସୁସଂଗଠିତ ଭାବେ ପରିଚାଳନା କରିଥିଲେ ।
ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ସାମୁହିକ ଉପସ୍ଥିତିରେ “ବନ୍ଦେ ମାତରମ” ଗାନ ସହ କାର୍ଯ୍ୟକ୍ରମଟି ଭକ୍ତିମୟ ପରିବେଶରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।

