ସ୍ଲୋଗାନ୍ ଓ ରିଲସ ପ୍ରତିଯୋଗୀତାରେ ବୀରମହାରାଜପୁର କଲେଜ ର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ
ବୀରମହାରାଜପୁର : ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ମତଦାତା ସଚେତନତା ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସ୍ଲୋଗାନ ଓ ରିଲସ ବିଭାଗରେ ବୀରମହାରାଜପୁର ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ତୃତୀୟ ବର୍ଷର ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି I ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁଥିବା ଜାତୀୟ ମତଦାତା ଦିବସରେ ସେ ପୁରସ୍କୃତ ହେବେ I ଆୟୋଗଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ପତ୍ର ନଂ. EC- REV- PROG – 0010 -2025 /472, ତା.19.01.2026 କୁ ଭିତ୍ତିକରି ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I ଚନ୍ଦ୍ରିକା ଏବଂ ତାଙ୍କର ମାର୍ଗଦର୍ଶକ ଅଧ୍ୟାପକ ନରେନ୍ଦ୍ର ଝା ଙ୍କୁ ଅଧ୍ୟକ୍ଷ ଡ଼. ପାଢ଼ୀ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଅଧିକରୁ ଅଧିକତର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେବୋଲି ଆଶାବ୍ୟକ୍ତ କରିଛନ୍ତି I ଚନ୍ଦ୍ରିକାଙ୍କ ଏହି କୃତିତ୍ୱ ପାଇଁ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜ଼ିଲ୍ଲାପାଳ ଏବଂ ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି I ଚଳିତ ବର୍ଷ ମଧ୍ୟ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରରେ ହୋଇଥିବା ରଙ୍ଗୋଲି ପ୍ରତିଯୋଗିତାରେ ଚନ୍ଦ୍ରିକା ପ୍ରଥମ ହୋଇଥିବାବେଳେ ଏହି ମହାବିଦ୍ୟାଳୟର ଅନ୍ୟତମ ଛାତ୍ରୀ ବର୍ଷାରାଣୀ ବାଦୀ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସୂଚନା ଯୋଗ୍ୟଯେ ଏହି ମହାବିଦ୍ୟାଳୟରେ ଇଲେକ୍ଟରାଲ ଲିଟିରେସୀ କ୍ଳବ (Electoral Literacy Club ) ଗଠିତ ହୋଇ ଏହି ଅଞ୍ଚଳ ରେ ମତଦାତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ମତଦାତା ସଚେତନତା ଅଭିଯାନରେ ପ୍ରମୁଖ ଭାଗିଦାରୀ ହୋଇ ପାରିଛି I ଗତବର୍ଷ ମଧ୍ୟ ଏହି କ୍ଳବ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ନାତକ ମହାବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିଲା I

