Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ; ତମାଖୁ, ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦକୁ ନିଷିଦ୍ଧ ଘୋଷଣା

ଭୁବନେଶ୍ୱର,୨୨|୧: ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ! ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ ଲାଗୁ ହୋଇଛି କଟକଣା | ୨୦୧୩ ମସିହାରେ ରାଜ୍ୟରେ ଗୁଟ୍‌ଖା ନିଷିଦ୍ଧ ଘୋଷଣା ହୋଇଥିଲା | ଆଉ ଏବେ ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏହାର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବିତରଣ ଓ ବିକ୍ରି ଉପରେ କଟକଣା ଲାଗୁ ହୋଇଛି | ରାଜ୍ୟରେ ଏ ସବୁ ପଦାର୍ଥକୁ ନିଷିଦ୍ଧ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା,ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍‌ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ ଯୋଗୁଁ କର୍କଟ ରୋଗର ମାତ୍ରା ବୃଦ୍ଧି ହେଉଛି | ଏହା ସହିତ ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ବିଶ୍ବ ବୟସ୍କ ତମାଖୁ ସର୍ବେକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶାର ୪୨% ଜନସଂଖ୍ୟା ପାନ,ଗୁଆ,ପାନ ମସଲା ଆଦି ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା। ଏହା ଜାତୀୟ ହାର ତୁଳନାରେ ଦୁଇଗୁଣ ଅଧିକା ରହିଥିଲା।

ସେହିପରି ଖାଦ୍ୟ ସୁରକ୍ଷା ଓ ମାନକ (ନିଷିଦ୍ଧ ଓ ବିକ୍ରି କଟକଣା) ନିୟନ୍ତ୍ରଣ, ୨୦୧୧ ଆଇନ ଅନୁସାରେ, ତମାଖୁ ଓ ନିକୋଟିନ୍‌ଯୁକ୍ତ ଉତ୍ପାଦର ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଭଳି ସ୍ବସ୍ଥାଗତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍‌ ଉତ୍ପାଦ ବିକ୍ରିକୁ ରାଜ୍ୟରେ ନିଷିଦ୍ଧ ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗୁଟ୍‌ଖା କମ୍ପାନିମାନେ ଗୋଟିଏ ପ୍ୟାକେଟ୍‌ରେ ତମାଖୁ ଏବଂ ଅନ୍ୟ ପ୍ୟାକେଟ୍‌ରେ ସାଧାରଣ ଚୋବାଇବା ଉତ୍ପାଦ ବିକ୍ରି କରୁଥିବା ନଜରକୁ ଆସିଥିଲା। ଯାହା ପରେ ଲୋକମାନେ ଏହି ଦୁଇ ଉତ୍ପାଦକୁ ମିଶାଇ ପୂର୍ବଭଳି ସେବନ କରୁଛନ୍ତି। ଏନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟମାନଙ୍କୁ ଏହି ବିଷୟରେ ମତ ରଖିବାକୁ ଆହ୍ବାନ କରିଥିଲେ। ଆଉ ଏବେ ସୁପିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତମାଖୁ ଓ ନିକୋଟିନ୍‌ଯୁକ୍ତ ଉତ୍ପାଦ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ତମାଖୁ ଉତ୍ପାଦର ବିକ୍ରିକୁ ନିଷିଦ୍ଧ କରାଯାଇଛି। ସେହିଭଳି ପ୍ୟାକେଟ୍‌ କିମ୍ବା ବିନା ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଉତ୍ପାଦ କିମ୍ବା ସହଜରେ ଅନ୍ୟ ଉତ୍ପାଦ ସହ ସହଜରେ ମିଶି ପାରୁଥିବା ଉତ୍ପାଦର ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ