ବିଜେଡିର ଗୋଟିଏ ଆସନ ନିଶ୍ଚିତ,ଚତୁର୍ଥ ଆସନ ଆଲୋଚନା ସ୍ତରରେ : ବିଜେଡି ନେତା ପ୍ରଶାନ୍ତ ମୁଦୁଲି
ଭୁବନେଶ୍ବର,୨୪।୧: ଆସନ୍ତା ଅପ୍ରେଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ଅବଧି ସରୁଛି । ତେଣୁ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବା । ଏହି ଆସନକୁ ନେଇ ଉଭୟ ବିଜେପି ଏବଂ ବିଜେଡି ମଧ୍ୟରେ ଲଢେଇ ଆରମ୍ଭ ହେବ । ରାଜନୀତିର ଗଣନା ଅନୁସାରେ, ୨ଟି ଆସନ ବିଜେପିକୁ ମିଳିବା ବେଳେ ଆଉ ଗୋଟିଏ ବିଜେଡିକୁ ମିଳିବା ନେଇ ନିଶ୍ଚିତ ହୋଇଛି । ଚତୁର୍ଥ ଆସନକୁ ନେଇ ଲଢେଇ ହେବ | ଗୋଟିଏ ଆସନ ବିଜେଡିକୁ ମିଳିବା ନିଶ୍ଚିତ ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେ ଦ୍ୱିତୀୟ ଆସନ ପାଇଁ କ’ଣ ନିଷ୍ପତ୍ତି ନିଆଯିବ ତାହା ଆଲୋଚନା ପରେ ଜଣା ପଡିବ । ଆମ ନେତା ନବୀନ ପଟ୍ଟନାୟକ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ବିଜେଡିରେ ରାଜ୍ୟସଭାକୁ ଯିବା ପାଇଁ ଯେଉଁ ମାନଦଣ୍ଡ ରହିଛି ସେହି ତାଲିକାରେ ଅନେକ ନେତା ରହିଛନ୍ତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।
ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଦିଲ୍ଲୀପ ରାୟଙ୍କ ପହଞ୍ଚିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟସଭାର ଚତୁର୍ଥ ସିଟ୍କୁ ନେଇ ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ରହି ଥିବାବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରେ ଅଧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଆଲୋଚନା ହୋଇଛି ।
ରାଜ୍ୟସଭା ଆସନକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଉଭୟ ନେତାଙ୍କ ସାକ୍ଷାତ ଏବେ ଚର୍ଚ୍ଚାର ବିଷୟ ହୋଇଛି | ତେବେ ଏହି ସାକ୍ଷାତକୁ ନେଇ ଦିଲ୍ଲୀପ ରାୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି | ଅନ୍ୟପଟେ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତିଯେ, ଆମ ଘର ସହିତ ତାଙ୍କର ପାରିବାରିକ ସମ୍ପର୍କ ରହିଛି । ସେ ପୂର୍ବରୁ ମଧ୍ୟ ସେ ଆମ ଘରକୁ ଆସନ୍ତି । ବାପା ବିଶ୍ଵଭୂଷଣ ହରିଚନ୍ଦନ ମଧ୍ୟ ମୋ ସହିତ ଅଛନ୍ତି ତାଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟିଛନ୍ତି ବୋଲି ସେ କହିଛନ୍ତି।

