ଆଜିଠାରୁ ଆରମ୍ଭ ହେବ ଓଜେଇଇ ଆବେଦନ ପ୍ରକ୍ରିୟା; ଆସନ୍ତା ମେ ୪ରୁ ୯ ପର୍ଯ୍ୟନ୍ତ ପରୀକ୍ଷା
ଭୁବନେଶ୍ୱର,୨୮।୧ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କିମ୍ବା ‘ଓଜେଇଇ’ ୨୦୨୬ ବର୍ଷ ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୨୨ ଏହି ପ୍ରକ୍ରିୟାର ଶେଷ ତାରିଖ ରହିଛି | ସେହିପରି ମେ ୪ରୁ ୯ ପର୍ଯ୍ୟନ୍ତ ପରୀକ୍ଷା ହେବ । ତେବେ ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ସିଷ୍ଟମରେ ପରୀକ୍ଷା ହେବ । ଆବେଦନକାରୀମାନେ ଓଜେଇଇର ଆପ୍ ରୁ ସମ୍ପୂର୍ଣ୍ଣ ତଥ୍ୟର ସୂଚନା ପାଇପାରିବେ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ବି ଫାର୍ମା, ନର୍ସିଂ (ବିଏସ୍ସି ନର୍ସିଂ, ପୋଷ୍ଟ ବିଏସ୍ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ,ଏ ଏମ୍ଏସ୍ସି ନର୍ସିଂ), ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ବି କ୍ୟାଟ୍, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ ଏବଂ ବି ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା କରାଯିବ । ଏହାସହିତ ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ ବିଫାର୍ମା କୋର୍ସ ନାମଲେଖା ହେବ । ସେହିପରି ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ମଧ୍ୟ ନାମଲେଖା ହେବ । ପରୀକ୍ଷା ସଂପର୍କିତ ସମସ୍ତ ସୂଚନାବଳୀ ଓଜେଇଇ ୱେବ୍ସାଇଟ୍ ରେ ଉପଲବ୍ଧ ରହିଛି । ଛାତ୍ର ଛାତ୍ରୀମାନେ ଯଦି ବାହାର ରାଜ୍ୟର ହୋଇଥିଲେ ସେମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ମିଳିବ ନାହିଁ କିନ୍ତୁ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଆବେଦନ କରିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ଓଜେଇଇ ୱେବ୍ସାଇଟ୍ ମାଧ୍ୟମରେ ନିଜର ଆବେଦନ ଆରମ୍ଭ କରିପାରିବେ । ବିଟେକ୍, ବି ଆର୍କ, ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି, ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍, ବିଏଚ୍ଏମ୍ଏସ୍ କୋର୍ସରେ ସରକାରୀ ଓ ଘରୋଇ କଲେଜରେ ନାମଲେଖା ପାଇଁ ଜେଇଇ ମେନ୍ ୨୦୨୬ ପରୀକ୍ଷା/ ନିଟ୍ ୟୁଜି ୨୦୨୬ ପରୀକ୍ଷା ଦେବାକୁ ପଡିବ। ଏନେଇ ଆବେଦନକାରୀଙ୍କୁ ସମସ୍ତ ସୂଚନା ଏବଂ ବିଜ୍ଞପ୍ତି ଓଜେଇଇ ଆପ୍ ରୁ ମିଳିବ । ତେଣୁ ଏହି ଆପ୍କୁ ଛାତ୍ର ଛାତ୍ରୀ ମାନେ ନିଜ ମୋବାଇଲରେ ଇନ୍ଷ୍ଟଲ୍ କରିବାକୁ କୁହାଯାଇଛି।

