ଗୁଟ୍ଖା ଏବଂ ତମାଖୁ ବିକ୍ରିକୁ ନେଇ ବିଏମ୍ସିର ବଡ ପଦକ୍ଷେପ: ଓମ୍ଫେଡ ପାର୍ଲର, ଭେଣ୍ଡିଂ ଜୋନ୍ରେ ବିକ୍ରି କଲେ, ଲାଇସେନ୍ସ ବାତିଲ ହେବ!
ଭୁବନେଶ୍ୱର,୨୯|୧: ନିକଟରେ,ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି | ସରକାରଙ୍କ ନିର୍ଦ୍ଦେଶ ପରେ ନୂଆ କଟକଣା ଜାରି କରିଛି ବିଏମସି | ଓମଫେଡ ପାର୍ଲର ଏବଂ ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ବିକ୍ରିକୁ ନେଇ କଟକଣା ଲାଗୁ ହୋଇଛି । ରାଜ୍ୟରେ ଗୁଟ୍ଖା ବିକ୍ରି ଉପରେ କଟକଣା ଲାଗୁ କରାଯିବା ପରେ ବିଏମ୍ସି କଠୋର ପଦକ୍ଷେପ ଗ୍ରହଣ କରିଛି । ଏନେଇ ମେୟରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କର୍ପୋରେସନ ବୈଠକରେ ଗୁଟଖା ବିକ୍ରି ନିଷେଧ ଉପରେ ଆଲୋଚନା ହୋଇଥିଲା ।
ବିଏମ୍ସି ପକ୍ଷରୁ ସହରରେ ଏହି କଟକଣାକୁ କଡାକଡି ପାଳନ କରାଯିବ | ବୈଠକରେ ଗୁଟଖା ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରାଯିବା ଲାଗି ଆଗତ ହୋଇଥିବା ପ୍ରସ୍ତାବ ଉପରେ କର୍ପୋରେସନ ମୋହର ବାଜିଛି । ବିଏମ୍ସି ଅଧୀନରେ ଥିବା ସମସ୍ତ ଓମ୍ଫେଡ୍ ପାର୍ଲର ଏବଂ ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ବିକ୍ରିକୁ ବାରଣ କରାଯାଇଛି । ବିଏମ୍ସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଟିମ୍ ଏସବୁ ସ୍ଥାନରେ ଯାଞ୍ଚ କରିବ । ଏହା ସହିତ ରାଜଧାନୀର ୩ଟି ଜୋନାଲ ଅଧିକାରୀ ଏହାର ତଦାରଖ କରିବେ । ସେହିପରି ସହରର ସମସ୍ତ ଭେଣ୍ଡିଂ ଜୋନ୍ ଏବଂ ଓମ୍ଫେଡ ଷ୍ଟଲ, ପାନ ଦୋକାନକୁ ଏହି ଏନ୍ଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରିବେ । ତେବେ ଯେଉଁ ଦୋକାନରୁ ଗୁଟ୍ଖା କିମ୍ବା ତମାଖୁ ଜାତ୍ୟ ଦ୍ରବ୍ୟ ବାହାରିବ ସେମାନଙ୍କ ଲାଇସେନ୍ସକୁ ବାତିଲ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏପରିକି ବିଏମ୍ସି ଅଞ୍ଚଳରେ ଗୁଟଖା ପ୍ରଚାର ଲାଗି ଲଗାଯାଇଥିବା ହୋର୍ଡିଂଗୁଡ଼ିକୁ ମଧ୍ୟ ହଟାଇ ଦିଆଯିବ । ଯଦି କୌଣସି ଏଜେନ୍ସି ଗୁଟ୍ଖା ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

