ତମାଖୁ ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ତରଫରୁ ଏକ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଡୁଲେଶ୍ବର ରାଧାମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚିକିତ୍ସାଳୟର ଜନସ୍ୱାସ୍ଥ୍ୟ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଜୁଏଡ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ତମାଖୁ ନିଶା ସେବନର ସ୍ବାସ୍ଥ୍ୟ ଉପରେ ଥିବା କୁପ୍ରଭାବ ତଥା ଧୂମଯୁକ୍ତ ତମାଖୁରେ ନିକୋଟିନ ଛଡ଼ା ଅନେକ ରାସାୟନିକ ପଦାର୍ଥ ଅଛି ଯାହା ମନୁଷ୍ୟ ଶରୀର ପ୍ରତି ଅତ୍ୟନ୍ତ ହାନିକରକ ବୋଲି ସମସ୍ତଙ୍କୁ ସଚେତନ କରା ଯାଇଥିଲା । ତମାଖୁ ଯୋଗୁ ବିଭିନ୍ନ କର୍କଟ ରୋଗ ଯଥା ଫୁସ୍ଫୁସ୍ କର୍କଟ, ମୁଖଗହ୍ବର କର୍କଟ, ଗଳାକର୍କଟ, ପାନକ୍ରିଆଜ, ବୃକ୍କ ଓ ୟୁରିନାରି ବ୍ଲାଡର କର୍କଟ, ସ୍ତନ କର୍କଟ ହେବା ଆଶଙ୍କା ଥାଏ। ସିଗାରେଟ୍ ଓ ବିଡ଼ି ସେବନ ଦ୍ୱାରା ଶ୍ୱାସନଳୀ ଓ ଫୁସ୍ଫୁସ୍ ସମ୍ବନ୍ଧୀୟ ରୋଗ ହୋଇଥାଏ। ଆଜ୍ମା ରୋଗର ଲକ୍ଷଣ ବଢ଼ିଯାଇଥାଏ। ହୃତ୍ପିଣ୍ଡଜନିତ ରୋଗ ଓ ଉଚ୍ଚ ରକ୍ତଚାପ ଦେଖାଦେଇଥାଏ । ଡାଇବେଟିସ ରୋଗୀ ତମାଖୁ ସେବନକଲେ ସେମାନଙ୍କଠାରେ ବୃକ୍କ ଓ ଆଖିର ସମସ୍ୟା ବୃଦ୍ଧି ପାଇଥାଏ । ଧୂମଯୁକ୍ତ ତମାଖୁ ସେବନ ଦ୍ୱାରା କେତେଜଣଙ୍କଠାରେ ଯୌନ ସମସ୍ୟା ଓ ପ୍ରଜନନ ଜନିତ ସମସ୍ୟା ଦେଖାଯାଇଥାଏ । ଯେଉଁ ଛୋଟ ପିଲାଙ୍କର ପରିବାରରେ କୌଣସି ସଦସ୍ୟ ସିଗାରେଟ୍ କିମ୍ବା ବିଡ଼ି ସେବନ କରୁଥାନ୍ତି ସେମାନଙ୍କଠାରେ ବାରମ୍ବାର ଶ୍ୱାସ ଓ ଫୁସ୍ଫୁସ୍ ସଂକ୍ରମଣ ଦେଖାଦେଇଥାଏ ବୋଲି ବାର୍ତ୍ତା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପୁରୋହିତ, ପ୍ରେମାନନ୍ଦ ଷାଣ୍ଡ, ବସୁଦେବ ପ୍ରଧାନ, ଅମରେନ୍ଦ୍ର ଦେହୁରୀ ଙ୍କ ପରିଚାଳନା ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଏକ ଶପଥ ପାଠ ର ଆୟୋଜନ କରାଯାଇଥିଲା ହୋଇଥିଲା। କୁଇଜ୍ରେ ସ୍ୱାଗତିକା କର୍ମୀ ପ୍ରଥମ,ବବ୍ଲି ବଘାର ଦ୍ବିତୀୟ ଓ ଶୁଭମ୍ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

